କୁଆଡେ ଗଲା ସ୍ୱର୍ଗଦ୍ୱାର ଜମି ଦୁର୍ନୀତିର ତଦନ୍ତ ରିପୋର୍ଟ ? ୩ ବର୍ଷ ହେଲା ସମସ୍ତଙ୍କ ମୁହଁରେ ପଡିଛି ତାଲା

ସ୍ବର୍ଗଦ୍ବାର ଜମି ଦୁର୍ନୀତି ରିପୋର୍ଟ ଏବେ କାହା ପାଖରେ? ପୁରୀ ପ୍ରଶାସନ କହୁଛି ତଦନ୍ତ ରିପୋର୍ଟ ଆର୍‌ଡିସିଙ୍କୁ ଦିଆଯାଇଛି। ଆର୍‌ଡିସିଙ୍କ ପାଖରେ ଏ ରିପୋର୍ଟର ମଧ୍ୟ କିଛି ଖୋଜ୍‌ଖବର ମିଳୁନି। ଅନ୍ୟପକ୍ଷରେ ରହସ୍ୟଜନକ ଭାବେ ଗତ ୨୦୧୬-୧୭‌ରେ ହୋଇଥିବା ସ୍ବର୍ଗଦ୍ବାର ଜମି ମହାଦୁର୍ନୀତିର ତଦନ୍ତ ରିପୋର୍ଟକୁ ନେଇ ସମସ୍ତେ ରହସ୍ୟଜନକ ଭାବେ ଚୁପ୍‌ ବସିଛନ୍ତି

173

କନକ ବ୍ୟୁରୋ :  ସ୍ବର୍ଗଦ୍ବାର ଜମି ଦୁର୍ନୀତି ରିପୋର୍ଟ ଏବେ କାହା ପାଖରେ? ପୁରୀ ପ୍ରଶାସନ କହୁଛି ତଦନ୍ତ ରିପୋର୍ଟ ଆର୍‌ଡିସିଙ୍କୁ ଦିଆଯାଇଛି। ଆର୍‌ଡିସିଙ୍କ ପାଖରେ ଏ ରିପୋର୍ଟର ମଧ୍ୟ କିଛି ଖୋଜ୍‌ଖବର ମିଳୁନି। ଅନ୍ୟପକ୍ଷରେ ରହସ୍ୟଜନକ ଭାବେ ଗତ ୨୦୧୬-୧୭‌ରେ ହୋଇଥିବା ସ୍ବର୍ଗଦ୍ବାର ଜମି ମହାଦୁର୍ନୀତିର ତଦନ୍ତ ରିପୋର୍ଟକୁ ନେଇ ସମସ୍ତେ ରହସ୍ୟଜନକ ଭାବେ ଚୁପ୍‌ ବସିଛନ୍ତି।

ଗତ ୨୦୧୬-୨୦୧୭ରେ ପୁରୀ ଜିଲ୍ଲା ପ୍ରଶାସନ ସ୍ବର୍ଗଦ୍ବାର ଜମି ଦୁର୍ନୀତିକୁ ନେଇ ଏକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଥିଲେ। ପ୍ରାୟ ୯୯ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟ ପୁରୀ ଜିଲ୍ଲା ପ୍ରଶାସନ ଆର୍‌ଡିସିଙ୍କୁ ହସ୍ତାନ୍ତର କରିଥିଲା। ସ୍ବର୍ଗଦ୍ବାର ଅଞ୍ଚଳର ମୋଟ ଜମି ୩୦ ଏକର ୧୧୦ ଡେସିମିଲରୁ ପ୍ରଶାସନ ୧୬ ଏକର ୭୩୫ ଡେସିମିଲ ଜମିକୁ ତଦନ୍ତ ପରିସରକୁ ନେଇଥିଲା। ରାଜସ୍ବ ବିଭାଗର ଅଧିକାରୀଙ୍କୁ ନେଇ ଏହି ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ତଦନ୍ତ ବେଳେ ସ୍ବର୍ଗଦ୍ବାର ଅଞ୍ଚଳର ୧୩୬ ଖାତାରୁ ୧୩୩ଟି ଖ‌ାତାକୁ ତଦନ୍ତ ପରିସରଭୂକ୍ତ କରାଯାଇଥିଲା। ସେହିଭଳି ୨୦ଟି ବିକ୍ରୟପତ୍ରକୁ ଯାଞ୍ଚ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ୧୨ଟି କେସ ରେକର୍ଡରେ ୨.୫୦୫ ଡେସିମିଲ ଜମି ସଂପୂର୍ଣ୍ଣ ଜାଲିଆତି ହୋଇଥିବା ସାଂଘାତିକ ତଥ୍ୟ ଜାଣିବାକୁ ପାଇଥିଲେ। ତେବେ ଏହି ୧୨ଟି କେସ୍‌ରେ ଯେଉଁ ଲୋକଙ୍କ ନାମ ଆସିଥିଲା ସେମାନେ ସମସ୍ତେ ଥିଲେ ପ୍ରଭାବଶାଳୀ ଓ ସେବାୟତ।

ରିପୋର୍ଟରେ ସମୁଦାୟ ୧୭ଟି କେସ୍‌ରେ ଫୌଜଦାରି ମାମଲା ରୁଜୁ କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସୁପାରିସ ହୋଇଥିଲା। ମାତ୍ର ଏହା ପରେ ପ୍ରଶାସନ ହଠାତ୍ ତୁନି ପଡ଼ିଗଲା। ୧୭ ଜଣଙ୍କ ନାମରେ କୌଣସି ଫୌଜଦାରି ମାମଲା କରାଗଲା ନାହିଁ। ଏ ଦିଗରେ ରହସ୍ୟଜନକ ଭାବେ ତଦନ୍ତ ମଧ୍ୟ ଆଗକୁ ବଢିଲା ନାହିଁ। ଏବେ ସ୍ବର୍ଗଦ୍ବାର ବିକାଶ କାମ ଚାଲୁଥିବାରୁ ଏହି ତଦନ୍ତ ରିପୋର୍ଟ ଖୋଲିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ମଧ୍ୟ ହେଲା ନାହିଁ। ତେବେ ଏଭଳି ଏକ ମହାଦୁର୍ନୀତି ରିପୋର୍ଟକୁ କାହା ଇସାରାରେ ଚାପି ଦିଆଗଲା ତାକୁ ନେଇ ଏବେ ପୁରୀରେ ଚର୍ଚ୍ଚା ଜୋରଧରିଛି।