କନକ ବ୍ୟୁରୋ : ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିଲା । କିନ୍ତୁ ଯେଭଳି ଭାବେ ଭଣ୍ଡାରର ୩ଟି ଯାକ ତାଲା ଭାଙ୍ଗି ଖୋଲାଗଲା ତାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଶ୍ନ ଉଠୁଛି,
ରତ୍ନଭଣ୍ଡାରର ଚାବି କୁଆଡେ ଗଲା? କିଏ ହଜାଇଲା ଚାବି? ୨୦୧୮ରେ ମିଛ କହିଥିଲେ କି ସରକାର? ଅସଲ ଚାବି କୁଆଡେ ଗଲା ସେ ନେଇ ତଦନ୍ତ ହେବା ଜରୁରୀ ନୁହେଁ କି? ଚାବି ହଜିବା ପ୍ରସଙ୍ଗରେ ରଘୁବାର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବ କି? ଆଇନମନ୍ତ୍ରୀ କହିଛନ୍ତି, ଚାବି ହଜିବା ଘଟଣାର ତଦନ୍ତ ସାପେକ୍ଷ । ଆଉ ତଦନ୍ତ ହେବ।
୨୦୧୮ରେ ଭିତର ରତ୍ନଭଣ୍ଡାର ଚାବିକୁ ନେଇ ବଡ ବିବାଦ ହୋଇଥିଲା । ଅସଲ ଚାବି ନାହିଁ ଡୁପ୍ଲିକେଟ ଚାବି ଅଛି ବୋଲି ସରକାର କହିଥିଲେ । ଆଉ ସେ ସମୟରେ ରତ୍ନଭଣ୍ଡାର ଖୋଲାଯାଇନଥିଲା, ଯାହା ଏବେ ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି ।
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବିର ତତ୍ତ୍ବାବଧାରକ ହେଉଛନ୍ତି ପୁରୀ ଜିଲ୍ଲାପାଳ । ତାଙ୍କ ତତ୍ତ୍ବାୱଧାନରେ ଭିତର ଭଣ୍ଡାରର ଚାବି ଟ୍ରେଜେରୀରେ ରହିଥାଏ । ଭିତର ରତ୍ନଭଣ୍ଡାର ୧୯୭୮ରେ ଖେଲାଯାଇ ଅଳଙ୍କାରର ଗଣତିମଣତି ହୋଇଥିଲା । ୧୯୮୨ ଓ ୮୫ରେ ଖୋଲାଯାଇ କିଛି ସୁନା ଆଣି ମହାପ୍ରଭୁଙ୍କ ଅଳଙ୍କାର ମରାମତି ହୋଇଥିଲା । ୧୯୮୫ରୁ ପୁରୀର ଯେଉଁମାନେ ଜିଲ୍ଲାପାଳ ଥିଲେ, ସେମାନେ ଏ ବାବଦରେ ନିଶ୍ଚିତ ଭାବେ ଅବଗତ ଥିବେ । ୧୯୮୫ରେ ଜିଲ୍ଲାପାଳ ଥିଲେ ନରେନ୍ଦ୍ର କୁମାର ମହାପାତ୍ର । ଏହାର ଭିତରେ ୩୯ ବର୍ଷ ବିତିଗଲାଣି । ତେଣୁ କାହା ସମୟରେ ଚାବି ହଜିଲା ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆଗକୁ ଏହି ଚାବି ହଜିବା ଘଟଣା ଏକ ବଡ ପ୍ରସଙ୍ଗ ହେବାକୁ ଯାଉଛି । ଏଥିପାଇଁ ବିଜେପି ନେତା ତତାକାଳୀନ ବିଜେଡି ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ।