ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନର ନିଷ୍ପତି ସପକ୍ଷରେ ମତ ଦେଲେ ବିଜେଡିର ଦୁଇ ମନ୍ତ୍ରୀ ! ଅନ୍ୟପଟେ ଭିତର ଭଣ୍ଡାର ଚାବିକୁ ନେଇ ବଢିଚାଲିଛି ସସପେନସ

18

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ବିଜେଡିର ଦୁଇ ବରିଷ୍ଠ ମନ୍ତ୍ରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ସପକ୍ଷରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି । ରତ୍ନଭଣ୍ଡାରରେ ଫାଟ ରହିଛି, ମରାମତି ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପ୍ରଫୁଲ୍ଲ ସାମଲ । ସେପଟେ ଭିତର ଭଣ୍ଡାରର ଚାବି କିଏ ରଖିଛି ଏହାକୁ ନେଇ ମଧ୍ୟ ରହସ୍ୟ ଜାରି ରହିଛି । ଚାବି ନମିଳିବା କାରଣରୁ ଭିତର ଭଣ୍ଡାର ଖୋଲିପାରିଲା ନାହିଁ ବୋଲି ଚର୍ଚ୍ଚା ହେଉଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ସପକ୍ଷରେ ମତ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି । ସେ କହିଛନ୍ତି, ରତ୍ନଭଣ୍ଡାରରେ ଫାଟ ରହିଛି, ମରାମତି ଆବଶ୍ୟକ । କେବଳ ମହେଶ୍ୱର ନୁହଁନ୍ତି ବିଜେଡିର ଆଉ ଜଣେ ମନ୍ତ୍ରୀ ମଧ୍ୟ ରତ୍ନଭଣ୍ଡାରର ସଂପୂର୍ଣ୍ଣ ଯାଂଚ ହେବା ଆବଶ୍ୟକ ବୋଲି କହିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି, ଏହା ଆମ କଳା ସଂସ୍କୃତି ଓ ଭାସ୍କର୍ଯ୍ୟର କଥା । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଉଚିତ ପଦକ୍ଷେପ ନେଉଛି । ବିଜେଡିର ଦୁଇ ମନ୍ତ୍ରୀ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ କହିଥିବା ବେଳେ ଭିତର ଭଣ୍ଡାର ଚାବିକୁ ନେଇ ବିବାଦ ବଢିବାରେ ଲାଗିଛି । ଯେଉଁ ୫ ପେନ୍ଥା ଚାବି ନେଇ ଯାଂଚକାରୀ ଦଳ ଭଣ୍ଡାର ଘର ଭିତରକୁ ଯାଇଥିଲେ, ସେଥିରେ ଭିତର ଭଣ୍ଡାରର ଚାବି ନଥିଲା ଏବଂ ସେହି କାରଣରୁ ଭିତର ଭଣ୍ଡାର ଖୋଲିପାରିଲା ନାହିଁ ବୋଲି କିଛି ସେବାୟତ କହିଛନ୍ତି ।

ଆଉ ଥରେ ବର୍ଷା ଦିନରେ ଭଣ୍ଡାର ଘର ଯାଂଚ ନେଇ ବିଶେଷଜ୍ଞ କମିଟି ମତ ଦେଇଥିବା ବେଳେ ଏବେ ଚାବିକୁ ନେଇ ଅଡୁଆରେ ପଡିଛି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ । ସେପଟେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି ସେବାୟତ । ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଏହା ଯେତିକି ରହସ୍ୟ ହୋଇ ରହିଥିଲା । ଭିତର ଭଣ୍ଡାର ନଖୋଲିବା କାରଣରୁ ରହସ୍ୟ ଆହୁରି ବଢିବାରେ ଲାଗିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ, ଭିତର ରତ୍ନଭଣ୍ଡାର ଖୋଲିବା ଆବଶ୍ୟକ ନଥିଲା । ଏବେ ପ୍ରଶ୍ନ ଉଠୁଛି- ପ୍ରକୃତରେ ଭିତର ଭଣ୍ଡାର ଖୋଲିବା ଅବଶ୍ୟକ ନଥିଲା ନା ଚାବି ନମିଳିବାରୁ ଅଧାରୁ ଅଟକିଥିଲା ଯାଂଚ କାମ ।