ଗୃହରାଷ୍ଟ୍ର ମନ୍ତ୍ରୀ ଗଲେ କୁଆଡେ? ମୁହଁ ଖୋଲିବାକୁ କାହିଁକି କୁନ୍ଥୁକୁନ୍ଥୁ?

332

କନକ ବ୍ୟୁରୋ : ମମିତା ହତ୍ୟା ଘଟଣାର ପର୍ଦ୍ଦାଫାଶ ହେଲା, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଲା । କିନ୍ତୁ ଏହି ପ୍ରସଙ୍ଗରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସଥିବା ମନ୍ତ୍ରୀ ପୂରା ମୌନ । ଗୋବିନ୍ଦ ସାହୁ ଫେରାର ହେବା ପରଠାରୁ ଏବେ ଯାଏଁ କୌଣସି ଘଟଣାରେ ପଦିଏ ପ୍ରତିକ୍ରିୟା ରଖିନାହାନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ପୋଲିସ ପରକୀୟା ପ୍ରୀତି ଥିଓରୀ ଆଣି ଗୋବିନ୍ଦ ସାହୁଙ୍କ କଲେଜ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଏହି ଘଟଣାରୁ ଏକପ୍ରକାର ଦୂରେଇ ସାରିଥିଲେ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ଏଯାଏଁ ସାମ୍ନାକୁ ଆସିବାକୁ ପଛଘୁଞ୍ଚା ଦେଉଛନ୍ତି । ପ୍ରଶ୍ନବାଣକୁ ଭୟ କରି ସାମ୍ନାକୁ ଆସିବାକୁ ଦିବ୍ୟଶଙ୍କର ସାହସ ଜୁଟାଇ ପାରୁନଥିବା ଚର୍ଚ୍ଚା ହେଉଛି । ଏପରିକି ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜନୀତି ତେଜିବା ପରେ ମନ୍ତ୍ରୀ ଏକପ୍ରକାର ଏକାନ୍ତବାସକୁ ଚାଲି ଯାଇଥିବା ଚର୍ଚ୍ଚା ହେଉଛି ।

‘ଦିବ୍ୟଶଙ୍କର ହାଏ ହାଏ, ଦିବ୍ୟଶଙ୍କର ଇସ୍ତଫା ଦିଅ’, କଟକରୁ କଳାହାଣ୍ଡି ଯାଏଁ ବିରୋଧୀଙ୍କ ଏହି ନାରା ସହ କୁଶପୁତ୍ତଳିକା ପୋଡି, ବାସଭବନକୁ ଅଣ୍ଡାମାଡ ପରେ ବି ମନ୍ତ୍ରୀ ନିରବ । ଏପରିକି ଜାତୀୟ ମହିଳା କମିଶନ ମନ୍ତ୍ରୀଙ୍କୁ ବିଦା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମଧ୍ୟ ଦିବ୍ୟଶଙ୍କର ସାମ୍ନାକୁ ଆସି ନିଜ ନିର୍ଦ୍ଦୋଷତାର ପ୍ରମାଣ ଦେବାକୁ କାହିଁକି କୁନ୍ଥୁକୁନ୍ଥୁ ହେଉଛନ୍ତି । ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରର ଘନିଷ୍ଠ ସମ୍ପର୍କ ରହିଥିଲା । ଏପରିକି ଗୋବିନ୍ଦ ସାହୁଙ୍କ କଲେଜକୁ ମନ୍ତ୍ରୀ ବାରମ୍ବାର ଯାଉଥିଲେ, କଲେଜକୁ ନିଜର ଜୀବନ ଠାରୁ ଅଧିକ ବଡ ବୋଲି କହୁଥିଲେ । କିନ୍ତୁ ଏହି କଲେଜରେ ଅନୈତିକ କାର୍ଯ୍ୟ ଚାଲୁଥିଲା ବୋଲି ଚାରିଆଡେ ଚର୍ଚ୍ଚା । କଲେଜରେ ଥିବା ଗୁପ୍ତକୋଠରୀରେ ଅନୈତିକ କାର୍ଯ୍ୟ ଚାଲୁଥିଲା ବୋଲି କୁହାଯାଉଛି । ଆଉ ମନ୍ତ୍ରୀ ବାରମ୍ବାର କଲେଜକୁ ଯାଉଥିବାରୁ ଦିବ୍ୟଶଙ୍କରଙ୍କ ଉପରକୁ ସାଧାରଣରେ ଆଙ୍ଗୁଠି ମଧ୍ୟ ଉଠୁଛି । ତେଣୁ ନୈତିକତା ଦୃଷ୍ଟିରୁ ଦିବ୍ୟଶଙ୍କର ଏ ବାବଦରେ ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ନାହିଁ କି? ହଜାର ହଜାର ଲୋକେ ମନ୍ତ୍ରୀଙ୍କ ମୁହଁରୁ ସ୍ପଷ୍ଟୀକରଣ ଜାଣିବାକୁ ଚାହୁଁଥିଲେ ମଧ୍ୟ ମନ୍ତ୍ରୀ ନୀରବ କାହିଁକି?

ଅନ୍ୟପଟେ ଦିବ୍ୟଶଙ୍କର ହେଉଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ । କିନ୍ତୁ ମମିତା ହତ୍ୟାକାଣ୍ଡକୁ ନେଇ ଯେତେବେଳେ ସାରା ରାଜ୍ୟରେ ତୁମ୍ବି ତୋଫାନ ଲାଗିରହିଛି, ଅସନ୍ତୋଷର ନିଆଁ ଜଳୁଛି, ସରକାରଙ୍କୁ ଏହି ପ୍ରସଙ୍ଗରେ ବିରୋଧୀ ଘେରୁଛନ୍ତି ସେତେବେଳେ ଦିବ୍ୟଶଙ୍କରଙ୍କ ସବୁଠୁ ବଡ ଦାୟିତ୍ୱ ହେଉଛି ଏହାର ପୂରା ସତ ଲୋକଙ୍କ ସାମ୍ନାରେ ରଖିବା । ଏପରିକି ଯୋଜନାବଦ୍ଧ ଭାବେ ଗୋବିନ୍ଦ ସାହୁଙ୍କୁ ଥାନାରୁ ଫେରାର କରାଯାଇଥିବା ଚର୍ଚ୍ଚା ହେଉଛି । ଆଉ ଗୋବିନ୍ଦ ଯେହେତୁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ଘନିଷ୍ଠ ଥିଲେ ତେଣୁ ମନ୍ତ୍ରୀଙ୍କ ଆଡକୁ ଆଙ୍ଗୁଠି ଉଠାଉଛନ୍ତି ଲୋକେ । କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁହଁ ଖୋଲିବା ତ ଦୂରର କଥା ବରଂ ଲାଗୁଛି ଯେପରି ଗମ୍ଭୀରା ଘରେ ପଶି ରହିଛନ୍ତି ଦିବ୍ୟଶଙ୍କର । ନା କାହାକୁ ଦେଖା ଦେଉଛନ୍ତି, ନା ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଏପରିକି ନିଜ ବିରୋଧରେ ଆସୁଥିବା ଅଭିଯୋଗ ବାବଦରେ ମଧ୍ୟ ଚୁପ୍ ରହିଛନ୍ତି ମନ୍ତ୍ରୀ । ଆଉ ଏଭଳି ନୀରବ ରହି କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଦିବ୍ୟଶଙ୍କର? ନା ମାମଲା ଶାନ୍ତ ନ ପଡିବା ଯାଏଁ ଏଭଳି ଚୁପ୍ ରହିବାକୁ ଶ୍ରେୟସ୍କର ଭାବିଛନ୍ତି ଦିବ୍ୟଶଙ୍କର । ଯଦି ହତ୍ୟାକାଣ୍ଡ ଭଳି ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଚୁପ୍ ରହିବେ ତେବେ ଏହି ପ୍ରସଙ୍ଗରେ ଦେବ କିଏ? କାରଣ ବୁଧବାର ପୋଲିସ ପକ୍ଷରୁ ଯେଉଁ ପ୍ରେସମିଟ୍ କରାଯାଇଥିଲା ସେଥିରେ ଅନେକ ଅସମାହିତ ପ୍ରଶ୍ନକୁ ଏଡାଇ ଦିଆଯାଇଥିଲା । ଏପରିକି ଗୋବିନ୍ଦଙ୍କ କଲେଜ ଓ ଦିବ୍ୟଶଙ୍କରଙ୍କ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନକୁ ଭିନ୍ନ ଢଙ୍ଗରେ ଏଡାଇ ଯାଇଥିଲେ ଉତ୍ତରାଞ୍ଚଳ ଡିଆଇଜି । କେବଳ ପରିବାରର ଅଭିଯୋଗ ଆଧାରରେ ତଦନ୍ତ ଆଗକୁ ବଢୁଛି ବୋଲି ଡିଆଇଜି କହିଥିଲେ । ତେଣୁ ଏଠି ପ୍ରଶ୍ନ ଉଠୁଛି, ଗୋବିନ୍ଦଙ୍କ କଲେଜ ଓ ଦିବ୍ୟଶଙ୍କରଙ୍କୁ ନେଇ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର କିଏ ଦେବ? ପୋଲିସ ନା ଦିବ୍ୟଶଙ୍କର ନିଜେ ।