କେଉଁଠି ଅଛନ୍ତି ଆଇପିଏସ୍ ଆଶିଷ ସିଂ? ସରିଗଲାଣି ଛୁଟି, ଫେରିନାହାଁନ୍ତି ଆଇପିଏସ୍ ଅଫିସର । ପୋଲିସ୍ ଡିଜିଙ୍କୁ ଚିଠି ଲେଖିଲେ ଗୃହ ବିଭାଗର ଅତିରିକ୍ତ ସଚିବ ।

340

କନକ ବ୍ୟୁରୋ: କେଉଁଠି ଅଛନ୍ତି ଆଇପିଏସ୍ ଆଶିଷ ସିଂ? ସରିଗଲାଣି ଛୁଟି, ହେଲେ ଫେରିନାହାଁନ୍ତି ଆଶିଷ ସିଂ । ତେଣୁ ଏନେଇ ଆଜି ପୋଲିସ୍ ଡିଜିଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ । ମିଳିଥିବା ସୂଚନା ମୁତାବକ, ମେ ୪ ତାରିଖରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଛୁଟି ନେଇଥିଲେ । ଏହାପରେ ସେ ଛୁଟି ବଢାଇଛନ୍ତି କି ନାହିଁ, ସେନେଇ କୌଣସି ବି ସୂଚନା ଦେଇନାହାଁନ୍ତି । ଯେଉଁ କାରଣରୁ ତାଙ୍କୁ ନେଇ ଏପରି ଚିଠି କରିଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂ । ଛୁଟିରେ ଯାଇ ସେ ବିଜେଡିକୁ ସହଯୋଗ କରୁଥିବା ନେଇ ବିଜେପି ଅଭିଯୋଗ କରିଥିଲା । ଏହାପରେ ଭାରତୀୟ ନିର୍ବାଚନ କମିସନ ଏମ୍ସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ମେଡିକାଲ ଟିମ୍ ତାଙ୍କୁ ପୂରା ଫିଟ୍ ବୋଲି ଘୋଷଣା କରିବା ପରେ, ଇସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମାସେ ଛୁଟି ନେବା ପରେ ସେ ଏବେ ଚାକିରିରେ ଯୋଗ ଦେଇଛନ୍ତି କି ନାହିଁ, ସେ ଚିଠି କରି ପଚାରିଛନ୍ତି ଗୃହ ବିଭାଗର ଅତିରିକ୍ତ ସଚିବ ।