କୁଆଡେ ଯିବେ ଆଦିବାସୀ? ବିନା ପଟ୍ଟାରେ ଜଙ୍ଗଲ ଜମିରେ ରହୁଥିବା ବନବାସୀଙ୍କୁ ହରେଇବାକୁ ପଡିବ ବାସସ୍ଥାନ

Advertisment

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଜଙ୍ଗଲରେ ରହି ଆସୁଥିବା ଆଦିମ ବନବାସୀ ଓ ଆଦିବାସୀମାନଙ୍କୁ ଏବେ ଜଙ୍ଗଲ ମଧ୍ୟରୁ ବହିଷ୍କୃତ ହେବାକୁ ପଡିପାରେ । ବିନା ପଟ୍ଟାରେ ଜଙ୍ଗଲ ଜମିରେ ରହୁଥିବା ଆଦିବାସୀଙ୍କୁ ହରେଇବାକୁ ପଡିବ ବାସସ୍ଥାନ । ଓଡିଶା ସମେତ ୨୦ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ସୁନ୍ଦରଗଡ ପ୍ରଶାସନର ମତ, ନ୍ୟାୟାଳୟର ନିର୍ଦେଶ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

publive-image

ଫରେଷ୍ଟ ରାଇଟ ଆକ୍ଟରେ ଜଙ୍ଗଲ ଜମି ଅଧିକାର ମିଳିନଥିବା ଆଦିବାସୀଙ୍କୁ ବାସହରା ଚିନ୍ତା । ଜଙ୍ଗଲ ଜମି ଅଧିକାର ପାଇନଥିବା ଆଦିବାସୀଙ୍କୁ ଜଙ୍ଗଲରୁ ହଟାଇବା ପାଇଁ ଓଡିଶା ସମେତ ୨୦ଟି ରାଜ୍ୟକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯାହା ଆଦିବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ରାଜନୈତିକ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦେଶର ପୁର୍ନବିଚାର ପାଇଁ ଅବେଦନ କରାଯିବ ।

publive-image

ତେବେ ଦେଶର ୨୦ ଲକ୍ଷ ଆଦିବାସୀ ଓ ପାରମ୍ପରିକ ଭାବରେ ଜଙ୍ଗଲରେ ରହୁଥିବା ପରିବାର ପ୍ରଭାବିତ ହେବେ । ସୁପ୍ରିମକୋର୍ଟରେ ଓଡିଶା ଦାଖଲ କରିଥିବା ସତ୍ୟପାଠ ଅନୁସାରେ ରାଜ୍ୟରେ ୫ ଲକ୍ଷ ୭୩ ହଜାର ୮୬୭ ଆଦିବାସୀ ଜଙ୍ଗଲ ଅଧିକାର ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୨ ହଜାର ୨୫୦ ଜଣଙ୍କ ଆବେଦନ ଖାରଜ ହୋଇଛି । ସୁନ୍ଦରଗଡ ଜିଲ୍ଲାର ୧୬ ହଜାର ଆବେଦନ ଖାରଜ ହୋଇଛି । ୩୧ ହଜାର ୬୮୭ ପାରମ୍ପରିକ ଅଧିବାସୀ ଜଙ୍ଗଲ ଅଧିକାର ପାଇଁ ଆବେଦନ କରିଥିଲେ । ୨୬ ହଜାର ୬୨୦ ଜଣଙ୍କ ଆବେଦନ ଖାରଜ ହୋଇଛି । ଜିଲ୍ଲା ପ୍ରଶାସନ ୬୨୧ ଜଣଙ୍କ ଜଙ୍ଗଲ ଜମି ପଟ୍ଟା ଖାରଜ କରିଛି ।

publive-image

ଜିଲ୍ଲା ପ୍ରଶାସନ ଜଙ୍ଗଲ ଜମି ପଟା ଖାରଜ କରିବା ପରେ ଜଙ୍ଗଲ ଛାଡି କୁଆଡେ ଯିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ନିରିହ ଆଦିବାସୀ । ଗ୍ରାମସଭାର ବିନା ଅନୁମୋଦନରେ ଜମି ପଟ୍ଟା ଖାରଜ କରିବା ସଂପୂର୍ଣ୍ଣ ବେଆଇନ୍ ବୋଲି କହିଛନ୍ତି ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଇଥିବା କହିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । କୋର୍ଟଙ୍କ ନିର୍ଦେଶ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରାଯାଏ ତେବେ କ’ଣ ହେବ ଆଦିବାସୀଙ୍କ ଭାଗ୍ୟ? କୁଆଡେ ଯିବେ ପୁରୁଷ ପୁରୁଷ ଧରି ଜଙ୍ଗଲରେ ରହୁଥିବା ବନବାସୀ? ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ଯଦି ସହରରେ ଥଇଥାନ କରାଯାଏ ତେବେ ସେମାନେ ସହରରେ ଖାପ୍ ଖୁଆଇ ଚଳିପାରିବେ ତ? ନାଁ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ ସୃଷ୍ଟି କରିବେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe