ଝାଡଖଣ୍ଡର ଏକ ଛୋଟ ସହରରୁ ଆସି ବଲିଉଡର ଦାମିନୀ ସାଜିଥିବା ମିନାକ୍ଷୀ ଶେଷାଦ୍ରୀ ଆଜି କେଉଁଠି । କାହିଁକି ଛାଡିଲେ ବଲିଉଡ

409

କନକ ବ୍ୟୁରୋ : ଝାଡଖଣ୍ଡ ଏକ ଛୋଟ ରାଜ୍ୟ । ବିଶେଷ ଭାବେ ଏଠାରେ ଅନୁସୂଚିତ ଜାତି ଓ ଜନଜାତିର ଲୋକ ବସ ବାସ କରନ୍ତି । ଜାତୀୟ ଶିକ୍ଷିତ ହାରରେ ରାଜ୍ୟଟି ପଛରେ । ବିକାଶ ବି ସେମିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ନୁହେଁ । ହେଲେ ବିଭିନ୍ନ ସମୟରେ ଦେଶକୁ ଏମିତି କିଛି ଉପହାର ଦେଇ ନିଜକୁ ବିଶ୍ୱ ଦରବାରରେ ପରିଚିତ କରାଇଛି ଝାଡଖଣ୍ଡ । ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଠାରୁ ଆରମ୍ଭ କରି ବଲିଉଡର ଦାମିନୀ ମିନାକ୍ଷୀ ଶେଷାଦ୍ରୀଙ୍କ ପର୍ଯ୍ୟନ୍ତ ।

ବଲିଉଡରେ ନିଜର ସୁନ୍ଦରତା ଓ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ସେଦିନର ଦାମିନୀ ବା ମିନାକ୍ଷୀ ଶେଷାଦ୍ରୀଙ୍କର ଆଜି ୫୭ ତମ ଜନ୍ମଦିନ । ୧୬ ନଭେମ୍ବର ୧୯୬୩ ମସିହାରେ ଝାଡଖଣ୍ଡ ର ସିନ୍ଦେରୀ ସହରରେ ଜନ୍ମ ନେଇଥିବା ମିନାକ୍ଷୀ ବହୁଦିନ ହେବ ବଲିଉଡ ଇଣ୍ଡଷ୍ଟ୍ରିଜ୍ ରୁ ବହୁଦୂରରେ ରହିଛନ୍ତି । ସେ ସମୟରେ ବଲିଉଡରେ କିଛି ନାମକରା ନାୟୀକାଙ୍କ ମଧ୍ୟରେ ତାଙ୍କୁ ଗଣାଯାଉଥିଲା । ହେଲେ ଏକଥା ସମସ୍ତଙ୍କୁ ଜଣା ନଥିବ କି ତାଙ୍କର ପ୍ରକୃତ ନାମ ଶଶିକଳା ଶେଷାଦ୍ରୀ ଥିଲା ।

ଅଭିନୟ ସହିତ ମିନାକ୍ଷୀ ନାଚରେ ବି ବେସ୍ ପାରଙ୍ଗମ ଥିଲେ । ସେ ଭାରତନାଟ୍ୟମ୍, କୋଚପୁଡି ଓ ଓଡଶୀ ଭଳି ନୃତ୍ୟରେ ନିଜର ପରାକାଷ୍ଟା ଦେଖାଇ ସାରିଛନ୍ତି । ସେ ମାତ୍ର ୧୭ ବର୍ଷ ବୟସରେ ମିସ୍ ଇଣ୍ଡିଆ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହାପରେ ସେ ଜାପାନର ଟୋକିଓ ସହରରେ ଆୟୋଜିତ ମିସ୍ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ ।

ମିନାକ୍ଷୀ ୧୯୮୩ ମସିହାରେ ତାଙ୍କର ଚଳଚିତ୍ର ଜୀବନ ଆରମ୍ଭ କରିଥିଲେ । ସେ ୧୯୮୩ ମସିହାରେ ପ୍ରଥମଥର ପାଇଁ ହିନ୍ଦୀ ଓ ତେଲୁଗୁ ଭାଷାରେ ନିର୍ମିତ ସିନେମା ପେଣ୍ଟର ବାବୁରେ ଅଭିନୟ କରିଥିଲେ । ହେଲେ ଏହି ଚଳଚିତ୍ର ଫ୍ଲପ୍ ହୋଇଥିଲା । ଏହାପରେ ସେ ଭବିଷ୍ୟତରେ କେବେ ସିନେମା ନକରିବାକୁ ନିସ୍ପତ୍ତି ନେଇଥିଲେ । ଏହାପରେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ସୁବାସ ଘାଇ ମିନାକ୍ଷୀଙ୍କୁ ତାଙ୍କ ଚଳଚିତ୍ର ହିରୋ ରେ ଅଭିନୟ କରିବାକୁ ମନାଇ ନେଇଥିଲେ । ଏହି ସିନେମା ବଲିଉଡରେ ସୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଆଉ ରାତା ରାତି ମିନାକ୍ଷୀ ଷ୍ଟାର ହୋଇଯାଇଥିଲେ । ଏହା ପରେ ମିନାକ୍ଷୀଙ୍କ ବାସଭବନ ଆଗରେ ପ୍ରଯୋଜକ ଓ ନିର୍ଦ୍ଦେଶକ ମାନଙ୍କର ଭିଡ ଲାଗିଥିଲା ।
ବଲିଉଡର ଦାମିନୀ, ହିରୋ,ଘାୟଲ ଓ ଘାତକ ଭଳି ସିନେମା ପାଇଁ ମିନାକ୍ଷୀ ବେସ୍ ପରିଚିତ ହୋଇଥିଲେ । ଶଶିକଳା ତାଙ୍କର ପ୍ରକୃତ ନାମ , ବଲିଉଡରେ ତାଙ୍କ ଥିଲା ମିନୀକ୍ଷୀ ଶେଷାଦ୍ରୀ ଓ ଦାମିନୀ ସିନେମା ପରେ ବଲିଉଡ ତାଙ୍କର ସମସ୍ତ ପୁରୁଣା ନାମ ଭୂଲି ତାଙ୍କୁ ଦାମିନୀର ପରିଚୟ ଦେଇଥିଲା ।୧୯୯୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ମିନାକ୍ଷୀ । ସେ ହରୀଶ୍ ମୈଶୁରଙ୍କୁ ବିବାହ କରିଥିଲେ । ହରିଶ୍ ଏକ ବ୍ୟାଙ୍କ୍ ନିବେଶକ ଥିଲେ । ବାହାଘର ପରେ ମିନାକ୍ଷୀ ସ୍ୱାମୀ ହରିଶ୍ ଙ୍କ ସହ ଆମେରିକାର ବାସିନ୍ଦା ହୋଇଯାଇଥିଲେ । ତାଙ୍କର କେନ୍ଦ୍ର ଓ ଜୋଶ ନାମରେ ଦୁଇଟି ପିଲା ଅଛନ୍ତି । ବାହାଘର ପରେ ମିନାକ୍ଷୀ ସିନେମା ଦୁନିଆରୁ ଦୂରେଇ ଯାଇଥିଲେ । ମାତ୍ର ନୃତ୍ୟ କ୍ଷେତ୍ରରେ ସେ ଏବେ ବି ସକ୍ରିୟ ଅଛନ୍ତି । ସେ ଏବେ ଆମେରିକାର ଟେକ୍ସାସ ଠାରେ ଏକ ନୃତ୍ୟ ସ୍କୁଲ ଖୋଲି ପିଲା ମାନଙ୍କୁ ଶିକ୍ଷା ଦେଉଛନ୍ତି । ଟେକ୍ସାସରେ ରହୁଥିବା ଭାରତୀୟ ମାନଙ୍କ ଭିତରେ ମିନାକ୍ଷୀ ବେସ୍ ଲୋକପ୍ରିୟ ବୋଲି କୁହାଯାଉଛି ।