ସାମ୍ନାକୁ ଆସିଲା ଅନୁପଙ୍କ ପରକୀୟାରୁ ଜଘନ୍ୟ ହତ୍ୟାକାଣ୍ଡର ପୁରାକାହାଣୀ । ସହଅଭିଯୁକ୍ତ ଡ୍ରାଇଭର ବର୍ମନ ଟପ୍ପୋ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ :କେଉଁଠି ବର୍ମନ, କେବେ ହେବ ଗିରଫ ?

141

କନକ ବ୍ୟୁରୋ : ଛତିଶଗଡ ପୁଲିସ ହାତରେ ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହେବା ପରେ ଏହା ପଛର କାହାଣୀ ନେଇ ସମସ୍ତଙ୍କ ମନରେ ଉତକଣ୍ଠା ଭରି ରହିଥିଲା । ତେବେ ଏନେଇ ରାଇଗଡ ପୋଲିସ ଯେତେବେଳେ ସାମ୍ବାଦିକ ସମ୍ମିଳନୀ କରି ଅପରାଧର କାହାଣୀ ସାମ୍ନାକୁ ଆଣିଲା ସେତେବେଳେ ସମସ୍ତଙ୍କ ହୋସ୍ ଉଡିଗଲା । ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଜଣେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି କେତେ ନୃଶଂସ ହୋଇପାରେ ତାହା ସାମ୍ନାକୁ ଆସିଲା । ଛତିଗଡ ପୋଲିସ ଅନୁସାରେ, ଅନୁପ ସାଏ ନିଜର ଦୋଷ ସ୍ୱୀକାର କରିବାକୁ ସହ ଅପରାଧର ପ୍ରତିଟି ତଥ୍ୟ ଦେଇଛନ୍ତି ।

ସେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅକୁ ଲୁହା ରଡ୍ରେ ନିର୍ମମ ଭାବେ ହତ୍ୟା କରିବା ପରେ ରାସ୍ତା ଉପରେ ପକାଇ ଦେଇଥିଲେ । ଏବଂ ତାଙ୍କରି ନିର୍ଦ୍ଦେଶରେ ବୋଲେରୋ ଡ୍ରାଇଭର ବର୍ମନ ଟପ୍ପୋ ମରଶରୀର ଉପରେ ବାରମ୍ବାର ଗାଡି ଚଢାଇ ଥିଲା । ଦୁଇ ମୃତାଙ୍କ ପରିଚୟ ଲୁଚାଇବା ପାଇଁ ଏଭଳି କରିଥିଲା ବର୍ମନ । ଏବେ ପ୍ରଶ୍ନ ଉଠୁଛି, ଏହି ଜଘନ୍ୟ ହତ୍ୟାକାଣ୍ଡରୁ ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଗିରଫ ହୋଇଥିବା ବେଳେ ତାଙ୍କର ଡ୍ରାଇଭର ବର୍ମନ ଟପ୍ପୋ ଗଲା କୁଆଡେ ?

ତାର ଟେର ପାଇଛି କି ପୋଲିସ ? ବର୍ମନ ଟପ୍ପୋର ଗିରଫ ଏଇଥି ପାଇଁ ବେଶ ଜରୁରୀ, କାରଣ ସେ ହେଉଛି ସହ ଅଭିଯୁକ୍ତ ହେବା ସଙ୍ଗେ ସଙ୍ଗେ ଏହି ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ । ସେ ମଧ୍ୟ କହିପାରିବ ସଂପୂର୍ଣ୍ଣ ହତ୍ୟାକାଣ୍ଡର କାହାଣୀ । ବର୍ମନ ଗିରଫ ହେବା ପରେ ଅଧିକ ପ୍ରମାଣ ପାଇପାରିବ ଛତିଶଗଡ ପୋଲିସ । ତେବେ ଏହି ଅପରାଧୀ ଜଣକ ଏବେ କେଉଁଠି? ସେପଟେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଅନୁପ ସାଏ ।