ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଏବେ କେଉଁଠି? କାହିଁକି କୋର୍ଟରେ ହେଉନାହାନ୍ତି ହାଜର? ଏନବିଡବ୍ଲୁ ଜାରି କରିଛି ସିବିଆଇ କୋର୍ଟ 

242

କନକ ବ୍ୟୁରୋ: ହନିଟ୍ରାପ ଓ ବ୍ଲାକମେଲିଂର ଗୁମର ଖୋଲିଥିବା ଶ୍ରଦ୍ଧାଞ୍ଜଳି ବେହେରା ଗିରଫ ହେବେ । ବାରମ୍ବାର ସମନ ସତ୍ୱେ କୋର୍ଟରେ ହାଜର ନହେବାରୁ ଏନବିଡବ୍ଲୁ ବା ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି ସିବିଆଇ କୋର୍ଟ । ଆଉ ଏବେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଶ୍ରଦ୍ଧାଞ୍ଜଳି ଏବେ କେଉଁଠି? କାହିଁକି ସେ କୋର୍ଟ ଆସୁ ନାହାନ୍ତି? କାହାକୁ ଡରୁଛନ୍ତି ଶ୍ରଦ୍ଧାଞ୍ଜଳି? କଣ ଲୁଚେଇବାକୁ ଚେଷ୍ଟା କରୁଛନ୍ତି? ଯାହା ଅଭିଯୋଗ ଆଧାରରେ ରାଜଧାନୀର ଏହି ହାଇପ୍ରୋଫାଇଲ ବ୍ଲାକମେଲିଂର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗ ଗିରଫ ହେଲେ । ସେହି ଶ୍ରଦ୍ଧାଞ୍ଜଳି କାହିଁକି ଏବେ କୋର୍ଟ ସହ ଲୁଚକାଲି ଖେଳ ଖେଳୁଛନ୍ତି । ସିବିଆଇ କୋର୍ଟରେ ମାମଲାର ପରବର୍ତି ଶୁଣାଣି ଜୁନ ୩ ତାରିଖର ହେବ । ତେଣୁ ତା ପୂର୍ବରୁ ଶ୍ରଦ୍ଧାଞ୍ଜଳି ଗିରଫ ହେବେ ନା ନାହିଁ ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଅର୍ଚ୍ଚନା ନାଗଫାଶ କାହାଣୀର ମାଷ୍ଟର ମାଇଣ୍ଡ ହେଉଛନ୍ତି ଅର୍ଚ୍ଚନା ନାଗ, ଅନ୍ୟ ଦୁଇ ଚରିତ୍ର ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଏବଂ ଲୁଚକାଳି ଖେଳ ଖେଳୁଥିବା ଶ୍ରଦ୍ଧାଞ୍ଜଳି ବେହେରା । ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୁର୍ତର ଭିଡିଓକୁ ନେଇ ବ୍ଲାକ୍ମେଲିଂ ଅଭିଯୋଗ ଭିତରେ ସାମ୍ନାକୁ ଆସିଥିଲା ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁ ।

ତଦନ୍ତକାରୀ ସଂସ୍ଥାକୁ ଏମିତି ଭୁଆଁ ବୁଲାଇବାରେ ମାହିର ଶ୍ରଦ୍ଧାଞ୍ଜଳି ବେହେରା । ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନା ଗିରଫ ହୋଇଥିଲେ । ଏହାପରେ ଆର୍ଥିକ କାରବାର ଘଟଣାରେ ଜଣକ ପରେ ଜଣକଙ୍କୁ ଡାକି ଜେରା ଜାରି କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ସେହି ସମୟରେ ସମସ୍ତଙ୍କୁ ଚକମା ଦେଇ ଲୁଚିଛପି ବୁଲୁଥିବା ଶ୍ରଦ୍ଧାଂଜଳି । ଇଡିରେ ହାଜର ହେବା ପୂର୍ବରୁ ୨୫ଟି ଲୋକେସନ୍ ବି ବଦଳାଇଥିଲେ । ଖାଲି ସେତିକି ନୁହେଁ ଯେଉଁ ସମୟରେ ପ୍ରଯୋଜକ ଅକ୍ଷୟ ପରିଜା ଅନ୍ତରଙ୍ଗ ମୂହୂର୍ତର ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିବା ଅଭିଯୋଗ ଆଣି ଥାନାକୁ ଯାଇଥିଲେ । ସେହି ସମୟରେ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନାଙ୍କ କ୍ରାଇମ ପାର୍ଟନର ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଏତଲା ଦେଇ ପୁରା ଘଟଣାର ମୋଡ ବଦଳାଇ ଦେଇଥିଲେ । ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନା ନାଗ ଗିରଫ ହେଲେ । କିନ୍ତୁ ଶ୍ରଦ୍ଧାଞ୍ଜଳି ଏବେ କେଉଁଠି କାହା ପାଖରେ ଖବର ନାହିଁ ।

ଅସୁସ୍ଥତାର ଆଳ ଦେଖାଇ ସେ କୋର୍ଟରେ ଓକିଲ ଜରିଆରେ ହାଜର ହେବା ପାଇଁ କରିଥିବା ଆବେଦନ ଖାରଜ ହୋଇଛି ।  ସିବିଆଇ କୋର୍ଟ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏବେ ଜାମିନ ବିହିନ ଗିରଫ ପରୱାନା ଜାରି କରିଛନ୍ତି ।