କେଉଁଠି ଅଛି ଭୋକ ପାଇଁ ବିକ୍ରି ହୋଇଥିବା ୪ ମାସର ଶିଶୁପୁତ୍ର? କିଏ ରଖିଛି ମାଆ କ୍ଷୀର ଛାଡି ନଥିବା ଛୁଆକୁ? ଶିଶୁପୁତ୍ରର ପତ୍ତା ପାଉନି ପୁଲିସ କି ସିଡବ୍ଲୁସି ।

89

କନକ ବ୍ୟୁରୋ : ମଧ୍ୟସ୍ଥିରେ ହୋଇଛି ମାଲକାନଗିରି ସପ୍ତଧାରାରେ ଶିଶୁ ବିକ୍ରି । କେଉଁଠି ଓ କିଏ ନେଇଛି ୪ ମାସର ଶିଶୁ ପୁଅକୁ । ୫ ଦିନ ପରେ ବି ପତା ପାଉନି ପୋଲିସ କି ସିଡବ୍ଲୁସି । ଏପଟେ ସପ୍ତଧାରା ଜଙ୍ଗଲରେ ରହୁଥିବା ବାକି ୪ ଶିଶୁ ଓ ବୃଦ୍ଧା ଆଈମାଆକୁ ଉଦ୍ଧାର କରିଛି ପ୍ରଶାସନ । ଏହାସହ ନିଖୋଜ ଶିଶୁର ମାଆ କୁନି ଖିଲକୁ ଠାବ କରି ଗୋବିନ୍ଦପାଲି ବୃଦ୍ଧା ଆଶ୍ରମରେ ଥଇଥାନ କରିଛି ଖଇରପୁଟ ବ୍ଲକ ପ୍ରଶାସନ । ଗତ ସପ୍ତାହରେ ମା’ କ୍ଷୀର ଛାଡି ନଥିବା ୪ ମାସର ଶିଶୁ ପୁଅକୁ ହଜାରେ ଟଙ୍କାରେ ବିକି ଚାଉଳ କିଣିଥିଲେ ବାପା । ପରେ ପୁଅକୁ ବିକ୍ରି କରିବାର କଠୋର ନିଷ୍ପତିକୁ ସହି ନପାରି ଆତ୍ମହତ୍ୟା କରିଥିଲେ ସପ୍ତଧାରା ଗାଁର ସୋମନାଥ ଖିଲ ।

ପେଟର ଭୋକ ପାଇଁ ମାଆ କ୍ଷୀର ଛାଡି ନଥିବା ଶିଶୁକୁ ବିକି ଦେଇଥିଲା ବାପା । ମାଲକାନଗିରି ଜିଲା ସପ୍ତଧାରରୁ ଆସିଥିଲା, ହଜାରେ ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି କରିବା ପରେ ବାପାର ଆତ୍ମହତ୍ୟା ଖବର । ଏହାରି ଭିତରେ ଘଟଣାକୁ ୫ ଦିନ ବିତିଛି, ହେଲେ ଏଯାଏଁ କୁନି ପୁଅ ପାଖରେ ପହିଂଚି ପାରିନାହିଁ ପୁଲିସ କି ସିଡବ୍ଲୁସି । କିନ୍ତୁ ମଧ୍ୟସ୍ଥତା ଜରିଆରେ ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ପ୍ରଥାମିକ ତଦନ୍ତରୁ ଜଣାପଡିଛି । ପୁଅକୁ ଖୋଜି ପାଉନଥିବା ପ୍ରଶାସନ ମାଆ କୁନି ଖିଲଙ୍କୁ ଠାବ କରିଛି । ଆଉ ପିଲାଙ୍କ ପାଇଁ ଦାନା ଯୋଗାଡ କରିନପାରି ଜୀବନ ହାରି ଦେଇଥିବା ସୋମନାଥ ଖିଲଙ୍କ କଥାକୁ ମନେ ପକାଇ ଆଖିରୁ ଲୁହ ଝରାଉଛନ୍ତି ସ୍ତ୍ରୀ କୁନି ଖୀଲ ।

୫ଟି ଛୁଆଙ୍କ ପେଟକୁ ଦାନା ଦେଇନପାରି ସାନ ପୁଅକୁ ବିକି ଦେଇଥିଲେ ସୋମନାଥ ଖିଲ । ଏନେଇ ବିଭିନ୍ନ ଗଣମାଧ୍ୟରେ ଖବର ପ୍ରସାରଣ ହେବା ପରେ ତତ୍ପରତା ଦେଖାଇଛି ପ୍ରଶାସନ । ମାଲକାନଗିରିରୁ ଏକ ସ୍ୱତନ୍ତ୍ର ଚାଇଲ୍ଡ ଲାଇନ ଟିମ୍ ଅଈମାଆ ସହ ସୋମନାଥଙ୍କ ବାକି ୪ ପିଲା ଓ ବୃଦ୍ଧା ଆଈମାଆ ଉଦ୍ଧାର ମାଲକାନଗିରି ସୁଧାର ଗୃହରେ ରଖିଛି । ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଚାଉଳ ଯୋଗାଇ ଦିଆଯାଇଛି । ଏହାସହ ବିକ୍ରି ଶିଶୁର ସନ୍ଧାନ ପାଇଁ ମାଥିଲି ଥାନାରେ ଏତଲା ଦାୟର କରି ପଦକ୍ଷେପ ନେଇଥିବା କହିଛନ୍ତି ଖଇରପୁଟ ବିଡିଓ ଓ ଶିଶୁ ସୁରକ୍ଷା ଅଧିକାରୀ ।

ସରକାରଙ୍କର କଡା ସୁରକ୍ଷା ଆଇନ୍ ପରେ ବି ଉପାନ୍ତ ଗାଁ ଗଣ୍ଡାରେ ଶିଶୁ ବିକ୍ରି ହେଉଛି, କିନ୍ତୁ ଜାଣି ପାରୁନି ସିଡବ୍ଲୁସି । ସୋମାନଥଙ୍କ ଶିଶୁ ବିକ୍ରି ଘଟଣା ଉପାନ୍ତ ଗାଁରେ ଶିଶୁ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।