ଚାଷୀଙ୍କୁ କେଉଁଠୁ ମିଳୁଛି ବଳ ? ଜାଣନ୍ତୁ ଆନ୍ଦୋଳନରତ ଚାଷୀଙ୍କ ଆବଶ୍ୟକତା କେମିତି ଓ କିଏ କରୁଛି ପୂରଣ ? 

227

କନକ ବ୍ୟୁରୋ : ନିଜ ହକ ପାଇଁ ଲଢେଇ କରୁଥିବା ଚାଷୀଙ୍କ ଆନ୍ଦୋଳନ ୧୪ ଦିନରେ ପହଂଚିଲାଣି । ନିଜ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ଦାବିରେ ଦିଲ୍ଲୀରେ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । କାମଧନ୍ଦା ଛାଡି ରାଷ୍ଟ୍ରୀୟ ରାଜଧାନୀ ସୀମାରେ ବସି ରହିଛନ୍ତି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଚାଷୀ ସଂଗଠନଗୁଡିକୁ ଏହି ଆନ୍ଦୋଳନ ପାଇଁ କେଉଁଠୁ ବଳ ମିଳୁଛି ? ଅର୍ଥାତ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକତାକୁ କେମିତି ପୂରଣ କରୁଛନ୍ତି ଆନ୍ଦୋଳନକାରୀ ଚାଷୀ? ଏବେ ଏହି ପ୍ରଶ୍ନର ଉତର ମିଳିଛି ।

ହରିଆଣା ଫତେହବାଦ ଜିଲ୍ଲାର କିଛି ବାସିନ୍ଦା କେଇ ଘଂଟା ଭିତରେ ପ୍ରାୟ ୫୦ ଲିଟର କ୍ଷୀର ସଂଗ୍ରହ କରି ଏକ ଗାଡିରେ ଲଦି କୁନ୍ଦଲି ସୀମା ଯାଏଁ ପଠାଇଥିଲେ । ଯେଉଁଠାରେ ଚାଷୀମାନେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ରାଜସ୍ଥାନ ଶ୍ରୀ ଗଙ୍ଗାନଗରର ଜଣେ ଚାଷୀ ଗାଲାକ୍ସି ବ୍ରାର ଏକ କର୍ପସ ପାଣ୍ଠି ଗଠନ କରିଛନ୍ତି । କିଛି ପ୍ରବାସୀ ଭାରତୀୟ, ଜମି ମାଲିକ ଓ ରାଜନେତାଙ୍କଠାରୁ ଅନୁଦାନ ଗ୍ରହଣ କରି ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟରରେ ଡିଜେଲ ଭରିବାର କାମ କରୁଛନ୍ତି ।

ସୁଦୂର ଆମେରିକାର କାଲିଫର୍ଣ୍ଣିଆରୁ କିଛି ଚାଷୀ ସମର୍ଥକ ଆନ୍ଦୋଳନକାରୀ ଚାଷୀଙ୍କ ପାଇଁ ୨୦ କୁଇଂଟାଲ ଆଲମଣ୍ଡ ବା ପେସ୍ତା ବାଦାମ ପଠାଇଛନ୍ତି । ପଞ୍ଜାବର କିଛି ମୁସଲମାନ ସଂଗଠନ ଚାଷୀଙ୍କ ପାଇଁ ମାଗଣା ଲଙ୍ଗରର ବ୍ୟବସ୍ଥା କରୁଛନ୍ତି । ଲୁଧିଆନାର କିଛି ଶିଳ୍ପପତି ମଧ୍ୟ ଆନ୍ଦୋଳନକାରୀ ଚାଷୀଙ୍କ ପାଇଁ ଦୁଇଥର ଔଷଧ ପଠାଇ ସାରିଛନ୍ତି ।