କନକ ବ୍ୟୁରୋ: ନବରଙ୍ଗପୁରର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରୁ ପେଟି ପେଟି ଟଙ୍କା ମିଳିବା ପରେ, ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି- କେଉଁଠୁ ଏତେ ନଗଦ ଟଙ୍କା ଆଣିଲେ ସରକାରୀ ବାବୁ ଜଣକ? ମିଳିଥିବା ସୂଚନା ଅନୁସାରେ, ବେଆଇନ ଭାବେ ଟଙ୍କା ରୋଜଗାର କରିବା ଯେମିତି ବାବୁଙ୍କ ଅଭ୍ୟାସ ପାଲଟି ଯାଇଥିଲା । ସ୍ଥାନୀୟ କଂଗ୍ରେସ ନେତା କହିଛନ୍ତି, ବାବୁ ଜଣଙ୍କ ଭାରତମାଳା ପ୍ରକଳ୍ପରୁ କୋଟି କୋଟି ଟଙ୍କା ଲାଞ୍ଚ ନେଉଥିଲେ । ସବୁ କଥାରେ ପିସି ନିଅନ୍ତି ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଦେଶବ୍ୟାପୀ ସଡ଼କପଥର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନରେ ୨୦୧୫ରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । କଂଗ୍ରେସ ନେତା ଭୁଜବଳ ମାଝୀ କହିଛନ୍ତି ବାଲି ଟେଣ୍ଡର, ପଥର ଖାଦାନ, ମୋରମ ଖନନ, ଜଙ୍ଗଲ ନଷ୍ଟ କରିବାକୁ ଲାଞ୍ଚ ନେଇ ଅନୁକମ୍ପା ଦେଖାଉଥିଲେ ଏହି ଲାଞ୍ଚୁଆ ଅଧିକାରୀ ।

Advertisment

ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ବେଶ ଲମ୍ବା । ଦୀର୍ଘ ଦିନରୁ ଦୁର୍ନୀତି ଓ ଲାଞ୍ଚ କାରବାର କରୁଥିବା ଅଭିଯୋଗ ରହିଛି ପ୍ରଶାନ୍ତ ରାଉତଙ୍କ ବିରୋଧରେ । ପୂର୍ବରୁ ଏକାଧିକଥର ଭିଜିଲାନ୍ସ ଚଢଉର ସମ୍ମୁଖୀନ ବି ହୋଇଛନ୍ତି । ଏପରିକି ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ମଧ୍ୟ ହୋଇଥିଲେ ଏହି ଦୁର୍ନୀତି ଖୋର ସରକାରୀ ବାବୁ ।
- ସୁନ୍ଦରଗଡରେ ବିଡିଓ ଥିବା ବେଳେ ଲାଞ୍ଚ ନେଇ ଗିରଫ ହୋଇଥିଲେ
- ବିଶ୍ରା ବ୍ଲକ୍ ବିଡିଓ ଥିବାବେଳେ ଧରାପଡିଥିଲେ ପ୍ରଶାନ୍ତ ରାଉତ
- ଜିରିପାଣି ପଞ୍ଚାୟତର ୧୧ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ନେଉଥିଲେ ଲାଞ୍ଚ
- ୧ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ
- ନବରଙ୍ଗପୁର ଜିଲ୍ଲାରେ ବି ତାଙ୍କ ନାଁରେ ରହିଛି ଅନେକ ଅଭିଯୋଗ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରଶାନ୍ତ ରାଉତଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ପୂୂର୍ବରୁ ଗିରଫ ହୋଇ ବି ବାବୁଙ୍କ ଲାଂଚ ମୋହ ତୁଟି ନଥିଲା । ଭିଜିଲାନ୍ସ ପାଖରେ ମାଳମାଳ ଅଭିଯୋଗ ହେଉଥିଲେ ବି ଲାଂଚୁଆ ବାବୁଙ୍କୁ କିଛି ଫରକ ପଡୁନଥିଲା । ଲାଂଚ ଟଙ୍କା ଏମିତି ମୁହଁରେ ଲାଗିଥିଲା ଯେ, ଉପଜିଲ୍ଲାପାଳଙ୍କ ଘରୁ ପେଟି ପେଟି ଟଙ୍କା ମିଳିଛି ।