୨ ମାସ ଧରି ନିଖୋଜ ଅଛନ୍ତି ଆଲିବାବା ଗ୍ରୁପର ମାଲିକ ଜ୍ୟାକ୍ ମା । ଚୀନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିବା ପରେ ହୋଇଛନ୍ତି ନିଖୋଜ । ଜ୍ୟାକ୍ ମାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନୁସନ୍ଧାନ ଜାରି ରଖିଛି ଚାଇନା ପ୍ରଶାସନ

185

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ୨ ମାସ ହେବ ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ହଜାର ହଜାର କୋଟି ଟଙ୍କାର କାରବାର ଓ ଆଲିବାବା ଭଳି କମ୍ପାନୀକୁ ଚଳାଉଥିବା ଜ୍ୟାକ୍ ମା ଏବେ ଦେଖା ଦେଉନଥିବା ନେଇ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି । ଚାଇନା ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ଟାର୍ଗେଟ୍ ରେ ଶିକାର ହେବା ପର ଠାରୁ ତାଙ୍କୁ ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖା ଯାଉନାହାନ୍ତି ।

ଜ୍ୟାକ୍ ମା ଆଲିବାବା ଗ୍ରୁପର ମାଲିକ ହେବା ସଂଗେ ସଂଗେ ସେ ଜଣେ ସୁଦକ୍ଷ ବକ୍ତାଭାବେ ବେସ୍ ପରିଚିତ । ସେ ଚାଇନାର ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତି । ତାଙ୍କର ପ୍ରେରଣାଦାୟକ ଭାଷଣ ଓ ଜୀବନକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର ବକ୍ତବ୍ୟ ପାଇଁ ସେ ଚୀନର ଯୁବକ ଯୁବତୀ ମାନଙ୍କ ଠାରେ ବେସ୍ ପ୍ରିୟ । ହେଲେ ୨୦୧୯ ମସିହା ଅକ୍ଟୋବର ମାସରେ ସେ ସାଂଘାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଚାଇନାର ଆର୍ଥିକ ନିୟାମକ ଓ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକୁ ବେସ୍ ସମାଲୋଚନା କରିଥିଲେ । ଜ୍ୟାକ୍ ମା କହିଥିଲେ କି ଗ୍ଲୋବାଲ ବ୍ୟାକିଂ ନିୟମ ଯେଭଳି ଭାବେ କରାଯାଇଛି ତାହା ବୃଦ୍ଧ ଲୋକଙ୍କ କ୍ଲବ୍ ସହ ସମାନ । ତାଙ୍କର ଏଭଳି ଭାଷଣକୁ ଚାଇନା କମ୍ୟୁନିଷ୍ଟ ପାର୍ଟି ଘୋର ବିରୋଧ କରିଥିଲା । ଏହାକୁ ନେଇ ଚାଇନାର କମ୍ୟୁନିଷ୍ଟ ସରକାର ଜ୍ୟାକ୍ ମାଙ୍କ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ବିରୋଧରେ ବିଭିନ୍ନ ଅନୁସନ୍ଧାନ ଆରମ୍ଭ କରିଛି ।

ଅନ୍ୟପଟେ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନିକ ଅଧିକାରୀ ମାନେ ଜ୍ୟାକ୍ ମାଙ୍କ ବ୍ୟବସାୟକୁ ଶକ୍ତ ଧକ୍କା ଦେଇ ତାଙ୍କର ଆଣ୍ଟ ଗ୍ରୁପର ୩୭ ବିଲିୟନ ଡଲାରର ଆଇପିଓକୁ ସ୍ଥଗିତ ରଖିଥିଲେ । ଏବେ ଜ୍ୟାକ୍ ମା ନିଖୋଜ ହେବା ଖବର ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହି ଖବର ପ୍ରକାଶିତ ହେବା ପରେ ଜ୍ୟାକ୍ ମା ଙ୍କ ପ୍ରଶଂସକ ମାନେ ଚୀନ୍ ସରକାର ଉପରେ ସନ୍ଦେହ କରିବା ଆରମ୍ଭ କରିଛନ୍ତି ।