କୁଆଡେ ଗଲା ତୈଳ ସଂରକ୍ଷଣ କେନ୍ଦ୍ର: ଜମି ଅଧିଗ୍ରହଣରୁ କାହିଁକି ଅଟକି ଯାଉଛି ପ୍ରକଳ୍ପ କାମ

Advertisment
କୁଆଡେ ଗଲା ତୈଳ ସଂରକ୍ଷଣ କେନ୍ଦ୍ର: ଜମି ଅଧିଗ୍ରହଣରୁ କାହିଁକି ଅଟକି ଯାଉଛି ପ୍ରକଳ୍ପ କାମ

କନକ ବ୍ୟୁରୋ: ଘୋଷଣାରେ ସୀମିତ ଯାଜପୁର ଚଣ୍ଡିଖୋଲରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ପ୍ରସ୍ଥାବିତ ତୈଳ ସଂରକ୍ଷଣ କେନ୍ଦ୍ର । ପାଂଚ ବର୍ଷ ତଳେ କର୍ଣ୍ଣାଟକର ପାଦୁର ଓ ଓଡ଼ିଶାର ଚଣ୍ଡିଖୋଲ ଠାରେ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାଥମିକ ସର୍ଭେ ପର ଠାରୁ ଆଉ ଆଗେଇ ପାରୁନି ପ୍ରକଳ୍ପ କାମ । ଏହି ପ୍ରକଳ୍ପ କର୍ଣ୍ଣାଟକରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଓଡ଼ିଶାକୁ କେନ୍ଦ୍ର ଅବହେଳା ନେଇ ଉଠିଛି ପ୍ରଶ୍ନ ।

କେନ୍ଦ୍ର ଘୋଷଣା କରିଥିବା ଯାଜପୁର ଚଣ୍ଡିଖୋଲର ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କୁଆଡେ ଗଲା? ପ୍ରାଥମିକ ସର୍ଭେ ପରେ କାହିଁକି ଅଟକି ଗଲା ପ୍ରକଳ୍ପ କାମ? କର୍ଣ୍ଣାଟକରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଓଡିଶାକୁ ଅଣଦେଖା କାହିଁକି? କେନ୍ଦ୍ର ସରକାରଙ୍କୁ ଏମିତି ପ୍ରଶ୍ନ କରୁଛନ୍ତି ଯାଜପୁର ଜିଲ୍ଲାବାସୀ । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଡ଼ଙ୍କାରୀରେ ତୈଳ ସଂରକ୍ଷଣ କେନ୍ଦ୍ର କରାଯିବ ବୋଲି ୨୦୧୭ରେ ଘୋଷଣା କରିଥିଲେ କେନ୍ଦ୍ର ସରକାର । କର୍ଣ୍ଣାଟକର ପାଦୁର ଓ ଓଡ଼ିଶାର ଚଣ୍ଡିଖୋଲ ଠାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ଘୋଷଣା କରିଥିଲେ ତତ୍କାଳୀନ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଏହାରି ଭିତରେ କର୍ଣ୍ଣାଟକରେ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଓଡିଶାରେ ପ୍ରକଳ୍ପର ଦେଖାନାହିଁ ।

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ, କର୍ଣ୍ଣାଟକ ପାଦୁରରେ ୨.୫ ମିଲିୟନ ଏବଂ ଓଡ଼ିଶାର ଚଣ୍ଡିଖୋଲରେ ୬.୫ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର ହେବ । ୧୧ ହଜାର କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କରି ୪ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ । ଏହି ପ୍ରସ୍ତାବିତ ତୈଳ ସଂରକ୍ଷଣ କେନ୍ଦ୍ର ଦେଶର ଚତୁର୍ଥ ସର୍ବବୃହତ ସଂରକ୍ଷଣ କେନ୍ଦ୍ର ହୋଇଥାନ୍ତା ।

ଏଥିପାଇଁ ପ୍ରାଥମିକ ସର୍ଭେ କରାଯାଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଲା, କେନ୍ଦ୍ର ପେଟ୍ରୋଲିୟମ ସଚିବ ଡ଼ଙ୍କାରୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲେ । ବାସ୍, ସେଇଠି ଅଟକି ଯାଇଛି ପ୍ରକଳ୍ପ, ଆଉ ଆଗେଇ ପାରିନି କାମ । ପ୍ରକଳ୍ପ ନକରି କେନ୍ଦ୍ର ସରକାର ରାଜନୈତିକ ଧୂଆଁବାଣ କରିବା ସହ ଓଡିଶାକୁ ଅବହେଳା କରୁଥିବା କହିଛନ୍ତି ବିଜେଡି ବିଧାୟକ ଅମର ଶତପଥି । ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇଥିଲେ କଳିଙ୍ଗନଗର-ଚଣ୍ଡିଗଡ଼-ପାରାଦ୍ୱୀପ ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ବଢ଼ିବା ସହ ଅର୍ଥନୈତିକ ବିକାଶ ହୋଇଥାନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe