କୁଆଡ଼େ ଗଲା କରୋନା କଟକଣା? ସାଧାରଣ ଲୋକଙ୍କୁ ସଜ୍ଜା, ନେତାଙ୍କ ପାଇଁ କ’ଣ ସବୁ ମାଫ୍? 

231

କନକ ବ୍ୟୁରୋ: ଓମିକ୍ରନ ସତର୍କତା ଭିତରେ ଆଜି ରାଜଧାନୀରେ ଦେଖିବାକୁ ମିଳିଥିଲା ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପିର ହାଇଡ୍ରାମା । ପରସ୍ପର ପରସ୍ପରକୁ କାଉଣ୍ଟର କରିବାକୁ ଶୋଭାଯାତ୍ରା ଓ ବିକ୍ଷୋଭ କରିଥିଲେ । କିନ୍ତୁ କେଉଁଠି ବି ପାଳନ ହୋଇନଥିଲା କରୋନା ଗାଇଡଲାଇନର ସର୍ବନିମ୍ନ ନିୟମ । ଏହା ଦେଖିବା ପରେ ସାଧାରଣ ଲୋକ କହୁଥିଲେ, କଣ ସବୁ ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ…

  • କୁଆଡ଼େ ଗଲା କରୋନା କଟକଣା?
  • ସାଧାରଣ ଲୋକଙ୍କ ପାଇଁ ନିୟମ
  • ନେତାଙ୍କ ପାଇଁ କ’ଣ ସବୁ ମାଫ୍? 

ଓମିକ୍ରନର ଭୟ ଭିତରେ କରୋନା ନିୟମକୁ କଡ଼ାକଡ଼ି କରିବାକୁ ସରକାର ନିର୍ଦ୍ଦେଶ ଦେଉଥିବା ବେଳେ ରାଜଧାନୀ ଛାତି ଉପରେ ହୋଇଥିବା ରାଜନୈତିକ ରାଲିରେ ଉଭୟ ବିରୋଧୀ ଓ ଶାସକ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବାରେ କୌଣସି ସୁଯୋଗ ହାତଛଡ଼ା କରିବାକୁ ରାଜିନାହାନ୍ତି । ଭୁବନେଶ୍ୱରରେ ପ୍ରାୟ ୪ ଘଣ୍ଟା ଧରି ଟ୍ରାଫିକ ଜାମ୍, ବିକ୍ଷୋଭ ସ୍ଥଳରେ ନାହିଁ ନଥିବା ଲୋକଙ୍କ ଭିଡ଼ । ସାମାଜିକ ଦୂରତା କଥା ଛାଡନ୍ତୁ, ଭିଡ଼ ଭିତରେ ପାଦ ଥୋଇବାକୁ ଜାଗା ନାହିଁ । ମାସ୍କ ପିନ୍ଧିବା ନିୟମକୁ ମଧ୍ୟ ସମସ୍ତେ ଭୁଲି ଯାଇଛନ୍ତି ।

ଯାତ୍ରା ଓ ସିନେମା ହଲରେ ଅଧା ଦର୍ଶକଙ୍କୁ ଅନୁମତି ମିଳୁଥିବା ବେଳେ ଏଭଳି ରାଲି ଉପରେ ପ୍ରଶାସନର ନଜର ନାହିଁ । ଦୋକାନ, ମଲ ଭିଡ଼ ହେଲେ ଯେଉଁ ପୁଲିସ ମୋଟା ଅଙ୍କର ଜରିମାନା ରସିଦ କାଟନ୍ତି, ସେମାନେ କେବଳ ନୀରବଦ୍ରଷ୍ଟା ପାଲଟି ଯାଆନ୍ତି ରାଜନୈତିକ ବିକ୍ଷୋଭ ବେଳେ । ଆଉ କେତେ ଭିଡ଼ ଏକାଠି କରିହେବ, ସେହି ଯୋଜନାରେ ମାତିଥାନ୍ତି ନେତା ଓ କର୍ମୀ ।

ଏପଟେ ରାଜନୈତିକ ରାଲିରେ ହନ୍ତସନ୍ତ ହୋଇଛନ୍ତି ସାଧାରଣ ଲୋକ । ଆନ୍ଦୋଳନ ଚାଲିଥିବା ବେଳେ କଲେଜ ଯାଇପାରୁନଥିଲେ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ବିଭିନ୍ନ ଛକରେ ହୋଇଥିବା ବ୍ୟାରକେଡ୍ ଭିତରେ ଫସି ଯାଇଥିଲେ ଜରୁରୀ କାମରେ ଯାଉଥିବା ବ୍ୟକ୍ତି । ସେମାନଙ୍କୁ ଆଗକୁ ଯିବାକୁ ଦେଉନଥିଲା ପୁଲିସ । ଆଉ ଏହାରି ଭିତରେ ଶୁକ୍ରବାର ଦିନ ଛାତ୍ର କଂଗ୍ରେସ ମଧ୍ୟ ୧୦ ହଜାର କର୍ମୀଙ୍କୁ ନେଇ ବିଧାନସଭା ଘେରାଉ କରିବ ବୋଲି ଧମକ ଦେଇଛି ।