ପାଠକ ବାପ, ପୁଅଙ୍କ ଆକାଉଣ୍ଟକୁ କେଉଁଠୁ ଆସିଲା ଏତେ ଟଙ୍କା? ଆର୍ଥିକ କାରବାରର ଗୁମର ଖୋଲିବ ପ୍ରବର୍ତନ ନିର୍ଦ୍ଦେଶାଳୟ

179

କନକ ବ୍ୟୁରୋ : ଖସି ପାରିବେନି ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକ  । ବାପ-ପୁଅ କେଉଁଠୁ ଆଣିଲେ ଏତେ ଟଙ୍କା ? କୁବେର ଭଳି ଅମାପ ସମ୍ପତି ଠୁଳ କରିବା ସମସ୍ତଙ୍କୁ ଚକିତ କରିଥିବାବେଳେ କୋଟି କୋଟି ଟଙ୍କାର ବେନାମୀ କାରବାର ମାମଲାକୁ ଆହୁରି ରହସ୍ୟ ମୟ କରି ଦେଇଛି । ଏହି ରହସ୍ୟ ଉପରୁ ପରଦା ହଠାଇବା ପାଇଁ ଭିଜିଲାନ୍ସର ସୁପାରୀଶ ଆଧାରରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି । ଆୟର କୌଣସି ବାଟ ନଥିବାବେଳେ ଆକାଶଙ୍କ ଆକାଉଁଣ୍ଟକୁ କେଉଁଠୁ ଏତେ ଟଙ୍କା ଆସିଲା ଓ କିଏ ଜମା କଲା ଏହାର ତଦନ୍ତ କରିବ ଇଡି ।

ଆକାଶ ପାଠକଙ୍କ ତିନୋଟି ବ୍ୟାଙ୍କ ଆକାଉଁଂଟରେ ୧୪ କୋଟି ୭୭ ଲକ୍ଷ ଜମା ହୋଇଥିବା  ପ୍ରମାଣ ମିଳିବା ପରେ ତଦନ୍ତ ପାଇଁ ଇଡି ଓ ଆଇଟି ବିଭାଗକୁ ସୁପାରୀଶ କରିଛି ରାଜ୍ୟ ଭିଜିଲାନ୍ସ ସେଲ୍  ।

ଆୟ ବର୍ହିଭୂତ  ସମ୍ପତି ଠୁଳ ମାମଲାରେ କୋଟପତି ବାପା-ପୁଅଙ୍କୁ ଘନ ଘନ ଜେରା ଚାଲିଛି । ତିନି ଦିନିଆର ରିମାଣ୍ଡରେ ନେଇ ଭିଜିଲାନ୍ସ ବାପ ପୁଅଙ୍କୁ ଅଲଗା ଅଲଗା ପଚରାଉଚୁରା କରୁଛି । ସ୍ପେଶାଲ ଗ୍ରାଫିକ୍ସ.. ଆଇଏଫଏସ ଅଭୟ ପାଠକଙ୍କୁ ଗୋଟିଏ କୋଠରୀ ବସାଇ ଜେରା କରୁଛନ୍ତି ୪ ଭିଜିଲାନ୍ସ ଅଧିକାରୀ । ସେହିପରି ଆକାଶ ପାଠକଙ୍କୁ ଅନ୍ୟ ଏକ କୋଠରୀରେ ବସାଇ ଜେରା କରୁଛନ୍ତି ୩ ଜଣ ଅଧିକାରୀ । ତାଙ୍କ ଖାତାକୁ କେଉଁଠୁ ଏତେ ଟଙ୍କା ଆସିଲା? ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ଉଭୟଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ତଦନ୍ତକାରୀ ଅଧିକାରୀ ।

ସେପଟେ ବ୍ରହ୍ମପୁରରେ ପହଁଚି ତନାଘନା ଆରମ୍ଭ କରିଛି ଏସଆଇଟି ଟିମ । ପାଠକ ବାପା, ପୁଅଙ୍କ ଆର୍ଥିକ କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ୩ ଜଣିଆ ଏସଆଇଟି ଟିମ ଖୋଳତାଡ଼ କରୁଛି । ବ୍ରହ୍ମପୁରରେ ୩ଟି ବ୍ୟାଙ୍କରେ ଅଭୟ ଓ ତାଙ୍କ ପରିବାରର ୭ଟି ଆକାଉଂଟ ଥିବା ଜଣାପଡିଛି  ।

କୁବେର ଭଳି ଅମାପ ସମ୍ପତି ଠୁଳ କରି ରାଜକୀୟ ଶୈଳୀରେ ବଂଚୁଥିବା ଆଇଏଫଏସ୍ ଅଭୟ ପାଠକଙ୍କ ତଦନ୍ତ ଯେତିକି ଆଗଉଛି କଳା ସମ୍ପତିର ଗୁମର ସେତିକି ଖୋଲି ଚାଲିଛି । ଆଉ ଏହି ମାମଲାରେ ଇଡି ଓ ଆୟକର ବିଭାଗର ଏଂଟ୍ରି ପରେ କଳା କାରବାରର ପୂରା ପୃଷ୍ଠା ଖୋଲିବ ବୋଲି ଆଶା କରାଯାଉଛି ।