କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମ୍ ଏବଂ ତାର ସହଯୋଗୀ ରାଜା ଖାନ୍ । ଏହି ଦୁଇଟି ନାଁ ଓ ଚେହେରା ସହ ବରଗଡ଼ ସହର କିଛି ଦିନ ଆଗରୁ ପରିଚିତ ବି ନଥିଲା, କିନ୍ତୁ ଏହି ଦୁଇ ନାଁକୁ ଏନେଇ ଏବେ ବରଗଡ଼ରେ ସବୁଠୁ ଅଧିକ ଚର୍ଚ୍ଚା ଓ ପ୍ରଶ୍ନ?
ବରଗଡ଼ରେ ରାଜା ଖାନ୍ କରୁଥିଲା କ’ଣ?
ଅପରାଧୀ କାର୍ଯ୍ୟକଳାପ କରୁଥିଲା କେମିତି?
ଗୁଡ୍ଡୁ ମୁସଲିମ୍ର ବରଗଡ଼ ବନ୍ଧୁ କିଏ?
କେମିତି କିଛି ଜାଣିପାରିଲାନି ଓଡ଼ିଶା ପୁଲିସ୍?
କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ୧୨ ଦିନଥିଲା ଏବଂ ଲୁଚିବାର ସ୍ଥାନ ଥିଲା ବରଗଡ଼ । ଏହି ଖବର ସାମ୍ନାକୁ ଆସିବା ପରେ ବରଗଡ଼ ଜିଲ୍ଲାର ଭାଲେଣି ପଡ଼ିଛି । ସୂଚନା ଅନୁସାରେ- ବରଗଡ଼ ଜିଲ୍ଲା ସୋହେଲା ଥାନା ଲୁହୁରାଚଟିରେ କାରବାର ଚଳାଇଥିଲା ଗୁଡ୍ଡୁ ମୁସଲିମର ସହଯୋଗୀ ରାଜା ଖାନ୍ । ରାଜ୍ୟ ବାହାରର ଭାରି ଯାନଗୁଡ଼ିକୁ ବେଆଇନ ଭାବେ ପାରି କରାଉଥିଲା । ଟ୍ୟାକ୍ସ ଫାଙ୍କି କରିବା ଏବଂ ବେଆଇନ ଭାବେ ଓଭର ଲୋଡିଂ ପାସ୍ କରିବା କାମରେ ଲିପ୍ତ ଥିଲା । ଏହି କାରବାର ପାଇଁ ରାଜ୍ୟ ବାହାରର ବଡ଼ ବଡ଼ ଟ୍ରାନ୍ସପୋର୍ଟ କଂପାନୀ ସହ ଲିଙ୍କରେ ଥିଲା । ଏମିତି କି ବେଆଇନ କାର୍ଯ୍ୟରେ ଲିପ୍ତ ଘଟଣାରେ ରାଜା ଖାନ ନାଁରେ ଏକାଧିକ ମାମଲା ଥିଲା ।
ଗୁଡ୍ଡୁ ମୁସଲିମ୍ ବରଗଡ଼ ଆସି ରହିବା ପଛରେ ଏହି ରାଜା ଖାନ୍ ସହଯୋଗ କରିଥିବା ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ୟୁପି ଏସ୍ଟିଏଫ୍ ବରଗଡ଼ ଆସି ଜେରା କରିଥିଲା । ଏତେ ବଡ଼ ଅପରାଧୀ ବରଗଡ଼ରେ ବୁଲୁଥିଲା କିନ୍ତୁ ଓଡ଼ିଶା ପୁଲିସ କେମିତି ଜାଣିପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି ।
ୟୁପି ଏସ୍ଟିଏଫ୍ ବରଗଡ଼ ଆସି ରାଜା ଖାନଙ୍କୁ ଜେରା କରିଥିବା, ବରଗଡ ଏସପିଙ୍କଠାରୁ ଆରମ୍ଭ କରି ସମ୍ବଲପୁୁର ଆଇଜି, ଏମିତି କି ଓଡ଼ିଶା ପୁଲିସ୍ ଡିଜି ସୂଚନା ଦେଇଥିଲେ । ହେଲେ ଏହା ପରେ କ’ଣ ଘଟିଲା,ରାଜା ଖାନାକୁ ୟୁପି ଏସଟିଏଫ୍ ସାଥୀରେ ନେଇ ଯାଇଛି କି? ଜେରା ପରେ ରାଜା ଖାନ୍ ଓଡ଼ିଶାରୁ ଫେରାର୍ ହୋଇଗଲା କି? ପ୍ରଶ୍ନ ଉଠିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/GDGDG.jpg)