କନକ ବ୍ୟୁରୋ: ଗୋଟିଏ ପଟେ ବାବୁଙ୍କ ଘରେ କୋଟି କୋଟି ଟଙ୍କା । ଅନ୍ୟପଟେ ଏହାକୁ ନେଇ ରାଜନୈତିକ ତାତି । ବାବୁଙ୍କ ଟଙ୍କା ବାବୁଙ୍କର ତ? ଏହାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ । କାହାର ହାତ ନଥିଲେ ବାବୁ ଏତେ ଟଙ୍କା କୋଉଠୁ ଆଣିଥାନ୍ତେ ବୋଲି କଂଗ୍ରେସ ଓ ବିଜେପି ପ୍ରଶ୍ନ କରିଛନ୍ତି ।

Advertisment

ନବରଙ୍ଗପୁର ଭଳି ପଛୁଆ ଅଂଚଳର ଅତିରିକ୍ତ ଉପଜିଲ୍ଲାପାଳଙ୍କ ବାସଭବନରୁ ଭିଜିଲାନ୍ସ ନଗଦ ତିନି କୋଟିରୁ ଅଧିକ ଟଙ୍କା ଜବତ କରିବା ସମସ୍ତଙ୍କୁ ବିସ୍ମିତ କରିଛି । ସେପଟେ ଭିଜିଲାନ୍ସ ଚଢାଉ ପରେ ନବରଙ୍ଗପୁରରେ ଜନସାଧାରଣଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି ।

ଭିଜିଲାନ୍ସ ଚଢାଉ ପରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଦୃଶ୍ୟ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକେ ତାଙ୍କ ସରକାରୀ ବାସଭବନ ଆଗରେ ବାଣ ଫୁଟାଇଥିଲେ, ପରସ୍ପରକୁ ମିଠା ବାଂଟି ଖୁସି ବ୍ୟକ୍ତ କଲେ । ଦୁର୍ନୀତିଖୋର ବାବୁଙ୍କ ଉପରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଆୟଠାରୁ ୫୦୬ ପ୍ରତିଶତ ସଂପତି ଜବତ ହୋଇଥିବା ଭିଜିଲାନ୍ସ କହିଛି । ଜଣେ ସରକାରୀ ଅଧିକାରୀ କମ ସମୟ ଭିତରେ ଏତେ ଟଙ୍କା ଠୁଳ କରିବା ସୁଯୋଗ କମ ରହିଛି । ତେଣୁ ପ୍ରଶ୍ନ ଉଠୁଛି ଏହି ଟଙ୍କା ତାଙ୍କର, ନା ଆଉ କାହାର? ଆଉ ଏହାକୁ ନେଇ ରାଜନୀତି ତେଜିଛି । ବିଜେପି ଅଭିଯୋଗ କରିଛି ସରକାରୀ ଦଳର ନେତା ମନ୍ତ୍ରୀଙ୍କ ବିନା ସହାୟତାରେ ଜଣେ ସରକାରୀ ଅଧିକାରୀ ଏତେ ଟଙ୍କା ଠୁଳ କରିପାରିବ ନାହିଁ । କଂଗ୍ରେସ କହିଛି, ଏହି କଳା ଟଙ୍କା ପଛର ମୁଖ୍ୟ କାର୍ପଟଦାରକୁ ସାମ୍ନାକୁ ଅଣାଯିବା ଦରକାର । ବିରୋଧୀଙ୍କ ଅଭିଯୋଗ ପରେ ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଏତେ ଟଙ୍କା କେଉଁଠୁ ଆଣିଲେ, କେଉଁ ଉପାୟରେ ସେ ଏତେ କଳା ଟଙ୍କା ଠୁଳ କରିଥିଲେ, ତାର ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ।