ଭିସା ନେଇ ପାକିସ୍ତାନ ଯାଇଥିବା ୧୦୦ ଯୁବକ ନିଖୋଜ । ଆତଙ୍କୀ ସଂଗଠନରେ ଯୋଗ ଦେଇଥିବା ନେଇ ଆଶଙ୍କା । ଆହୁରି ଏମିତି ବି କରାଯାଉଛି ଅନେକ ସନ୍ଦେହ

164

କନକ ବ୍ୟୁରୋ : ପୂର୍ବ ୩ ବର୍ଷ ମଧ୍ୟରେ ଭାରତରୁ ବୈଧ ଭିସା ନେଇ ଅଳ୍ପଦିନ ପାଇଁ ପାକିସ୍ତାନ ଯାଇଥିବା କାଶ୍ମୀରର ୧୦୦ ଯୁବକଙ୍କର ପତ୍ତା ମଳିପାରୁ ନାହିଁ । ଏହାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କତା ଅବଲମ୍ବନ କରିଛି । ସୁରକ୍ଷା ଏଜେନ୍ସି ଆଶଙ୍କା କରିଛି କି ଏହି ଯୁବକ ମାନେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହିତ ସାମିଲ ହୋଇଯାଇଛନ୍ତି ଅଥବା ଆତଙ୍କବାଦୀ ସମୁହ ପାଇଁ ସ୍ଲିପର ସେଲ ପାଲଟି ଯାଇଛନ୍ତି ।

ସୁରକ୍ଷା ବିଭାଗର ବିଭିନ୍ନ ଅଧିକାରୀ ମାନେ କହିଛନ୍ତି କି ଉତ୍ତର କାଶ୍ମୀରର ହଂଦୱାଡା ନିକଟ ଜଙ୍ଗଲରେ ଗତବର୍ଷ ଏପ୍ରିଲ ମାସରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବିଭାଗ ସଜାଗ ହୋଇଥିଲା । କାରଣ ମରିଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ନାଗରିକ ବୋଲି ପରିଚୟ ମିଳିଥିଲା । ଯେ କି ୨୦୧୮ ମସିହାରେ ଭିସା ନେଇ ପାକିସ୍ତାନ ଯାଇଥିଲା ।

ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ପୂର୍ବ ବର୍ଷ ଏପ୍ରିଲ ମାସ ୧ ରୁ ୬ ତାରିଖ ମଧ୍ୟରେ ଦକ୍ଷୀଣ କାଶ୍ମୀରର ସୋପିୟାଁ, କୁଲଗ୍ରାମ ଓ ଅନନ୍ତନାଗ ଜିଲ୍ଲାର କିଛି ଯୁବକ ମାନଙ୍କୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଦେଖିବାକୁ ମିଳିଥିଲା । ସେମାନେ ବି ବୈଧ ଭିସା ନେଇ କାଶ୍ମୀରରୁ ପାକିସ୍ତାନ ଯାଇଥିଲେ । ହେଲେ ସେମାନେ ଆଉ ଫେରି ନଥିଲେ ।

ଏନେଇ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ବିଗତ ୩ ବର୍ଷରୁ ଅଧିକ ସମୟ ହେବ କାଶ୍ମୀରରୁ ୭ ଦିନିଆ ଭିସା ନେଇ ପାକିସ୍ତାନ ଯାଇଥିବା ଯୁବକ ମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସୁରକ୍ଷା ବିଭାଗ ଆହୁରି କହିଛି କି କିଛିବର୍ଷ ପୂର୍ବରୁ ଭିସା ନେଇ କାଶ୍ମୀରରୁ ପାକିସ୍ତାନ ଯାଇ ପୁଣି କାଶ୍ମୀର ଫେରିଥିବା କିଛି ଯୁବକଙ୍କୁ ସୁରକ୍ଷା ଅଧିକାରୀ ମାନେ ଜେରା କରୁଛନ୍ତି । ଏହା ସହ ସେମାନଙ୍କ ଗତିବିଧି ଉପରେ ପୁରା ନଜର ରଖିଛି ସୁରକ୍ଷା ବିଭାଗ ।
ସେପଟେ ସୁରକ୍ଷା ଏଜେନ୍ସି ଯେଉଁ ଖୋଲାସା କରିଛି ତାହା ଚକିତ କରିଦେବା ଭଳି । ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ ଜଣେ ସାଧାରଣ ଯୁବକକୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବା ପାଇଁ ମାତ୍ର ୬ ସପ୍ତାହର ଟ୍ରେନିଂ ଦରକାର ପଡିଥାଏ । ଏହାସହ ଯୁବକ ଜଣକ ତାଙ୍କ ସଂଗଠନରେ ସାମିଲ ହେବାର ଗୋଟିଏ ସପ୍ତାହ ଭିତରେ ବିସ୍ଫୋଟକ ପ୍ରସ୍ତୁତି କରିବାର କୌଶଳ ଶିଖାଇ ଦିଆଯାଏ । ନିଖୋଜ ଥିବା ଯୁବକ ମାନେ ମୁଖ୍ୟତ ନିମ୍ନ ମଧ୍ୟବିତ ପରିବାର ବୋଲି ସୂଚନା ମିଳିଛି । ସେମାନଙ୍କୁ ନେଇ ଆତଙ୍କବାଦୀ ମାନେ କାଶ୍ମୀରରେ ଆତଙ୍କବାଦ ଚଳାଉଛନ୍ତି ।