ଝୁଲି ରହିଛି ଓଲିଉଡ୍ ସୁପରଷ୍ଟାରଙ୍କ ରାଜନୈତିକ ଭାଗ୍ୟ । ଅନୁଭବ-ଅରିନ୍ଦମଙ୍କୁ କେଉଁଠୁ ମିଳିବ ଟିକେଟ? ବିଜେପିର ବାକି ୧୬ ଆସନକୁ ନେଇ ବଢିଲା ଚର୍ଚ୍ଚା

1,955

କନକ ବ୍ୟୁରୋ: ବିଜେପି ଦୁଇଟି ପର୍ଯ୍ୟାୟରେ ୧୩୧ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଲାଣି । ବାକି ରହିଛି ୧୬ ଆସନ । ଆଉ ଏହି ୧୬ ଆସନ ମଧ୍ୟରୁ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ଅରିନ୍ଦମ ରୟଙ୍କୁ କେଉଁଠୁ ଟିକେଟ ମିଳିବ ତାକୁ ନେଇ ଆଲୋଚନା ଜୋରଦାର ହୋଇଛି । କୁହାଯାଉଛି କଟକ ବାରବାଟୀ ଓ ସାଲେପୁର ବିଧାନସଭା ଆସନରେ ଦୁଇଜଣ ଥଇଥାନ ହୋଇପାରନ୍ତି ।

କେଉଁଠୁ ପ୍ରାର୍ଥୀ ହେବେ ଅନୁଭବ?

  • ଅନୁଭବ ମହାନ୍ତି କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା
  • ନଚେତ୍ ପୂର୍ବରୁ କେନ୍ଦ୍ରାପଡା ସାଂସଦ ହୋଇଥିବାରୁ ଏହି ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁରରୁ ଅନୁଭବଙ୍କୁ ପ୍ରାର୍ଥୀ କରିପାରେ ବିଜେପି

କେଉଁଠୁ ପ୍ରାର୍ଥୀ ହେବେ ଅରିନ୍ଦମ?

  • ଅରିନ୍ଦମ ରାୟ ବି କଟକ-ବାରବାଟୀରୁ ପ୍ରାର୍ଥୀ ହେବା ଚର୍ଚ୍ଚା
  • ଦୀର୍ଘଦିନ ହେଲା ଏଠାରେ ସେ ସଙ୍ଗଠନ ଚଳାଇଥିଲେ
  • ଯଦି ଅନୁଭବଙ୍କୁ କଟକ-ବାରବାଟୀ ଦିଆଯାଏ, ତାହା ହେଲେ ସାଲେପୁର ଆସନ ଅରିନ୍ଦମଙ୍କୁ ମିଳିବା ଚର୍ଚ୍ଚା

ଉଭୟ ଅନୁଭବ ମହାନ୍ତି, ଅରିନ୍ଦମ ରୟଙ୍କ ନିର୍ବାଚନମଣ୍ଡଳୀ ହେଉଛି କଟକ-ବାରବାଟୀ । ତେବେ ଜଣକୁ କଟକ-ବାଟବାଟୀ ଦେଲେ ଅନ୍ୟ ଜଣଙ୍କୁ ସାଲେପୁର ଦେଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଅନୁଭବ, ଅରିନ୍ଦମ, ସିଦ୍ଧାନ୍ତ ଓ ଆକାଶ । ଏମାନଙ୍କ ମଧ୍ୟରୁ ଆକାଶ ଦାସ ନାୟକଙ୍କୁ କୋରେଇରୁ ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡିରୁ ପ୍ରାର୍ଥୀ କରିଛି ବିଜେଡି । ଏବେ ଅନୁଭବ ଓ ଅରିନ୍ଦମଙ୍କ ଉପରେ ଉପରେ ସମସ୍ତଙ୍କ ନଜର ରହିଛି । ବାକି ଥିବା ୧୬ ଆସନ ମଧ୍ୟରୁ ଅଧିକାଂଶ ଆସନ ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କେନ୍ଦୁଝରର ହୋଇଥିବାରୁ ଏହି ଦୁଇ ଅଭିନେତାଙ୍କୁ ସାଲେପୁର ଓ କଟକ-ବାରବାଟୀ ଆସନରେ ଥଇଥାନ କରାଯିବା ସମ୍ଭାବନା ଅଧିକ ରହିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇବ । କୋରାପୁଟ, କଳାହାଣ୍ଡି , ନବରଙ୍ଗପୁର ଓ ବ୍ରହ୍ମପୁର ବ ଲୋକସଭା ଓ ଏଥି ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ ହେବ । କିନ୍ତୁ ଏ ଯାଏଁ ଜୟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେପି ।