କନକ ବ୍ୟୁରୋ: ସରକାର ମନରେଗା ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ବର୍ଷକରେ ୧୦୦ ଦିନର କାମ ଯୋଗାଉଛନ୍ତି । ଗରିବ ଶ୍ରମିକଙ୍କ ଅପେକ୍ଷା ଏହାର ଅଧିକ ଫାଇଦା ନେଉଛନ୍ତି ବ୍ଲକର ଅସାଧୁ କର୍ମଚାରୀ । କେଉଁଠି କାମ ନକରି ଅର୍ଥ ହଡପ ହୋଉଛି ତ କେଉଁଠି କାମ କରି ବର୍ଷ ବର୍ଷ ଧାରି ପାରିଶ୍ରମିକ ପାଉ ନାହାନ୍ତି ଜବକାର୍ଡ ଧାରୀ । ଏହି ଅର୍ଥ ଗୋଟିଏ ସପ୍ତାହରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବାର ନିୟମ ରହିଥିବା ବେଳେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ପାରିଶ୍ରମିକ ପାଉ ନଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳରୁ ଏଭଳି ଅଭିଯୋଗ ଆସିଛି ।

Advertisment

ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତରେ ମନରେଗା ଯୋଜନାରେ ମହାଘୋଟାଲା । ପଞ୍ଚାୟତର ଜିଆରଏସ ଏହାର ମୁଖ୍ୟ କାର୍ପୋଟଦାର ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ୨୦୨୦ରୁ ୨୦୨୨ ମଧ୍ୟରେ ପାଖାପାଖି ୩ କୋଟି ଟଙ୍କାର ଦୁର୍ନିତି ! ହୋଇଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତର ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ । ଅନେକ ପ୍ରକଳ୍ପ କାର୍ଯ୍ୟ ନକରି ଅର୍ଥ ହଡପ ହୋଇଛି, କରୋନା ସମୟରୁ ଜବକାର୍ଡରେ କାମ କରିଥିବା ଜବକାର୍ଡଧାରୀଙ୍କୁ ଏ ପର୍ଯ୍ୟନ୍ତ ପରିଶ୍ରମିକ ମିଳି ନାହିଁ । ପଇସା ମାଗିଲେ ଜିଆରଏସ ନାଲି ଆଖି ଦେଖାଉଛଥିବା ଅଭିଯୋଗ ହୋଇଛି ।

ମଧୁପୁରା ପଞ୍ଚାୟତରେ ମନରେଗା ଯୋଜନାରେ ଅନେକ ପ୍ରକାଳ୍ପ କାର୍ଯ୍ୟକାରୀ ହୋଇଥିବା ସୁଚନା ଫଳକରୁ ଦେଖିବାକୁ ମିଳୁଛି, ମାତ୍ର ବାସ୍ତବରେ କାମ ହୋଇନଥିବା ଅଭିଯୋଗ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୯ ଲକ୍ଷ ଟଙ୍କାରେ ଗ୍ରାମୀଣ ପାର୍କ ନିର୍ମାଣର ସୁଚନା ଫଳକ ମରାଯାଇଛି, କିନ୍ତୁ କାମର ଚିହ୍ନ ନାହିଁ । ସେହି ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କାର ଅଟକଳ ମୁଲ୍ୟରେ ଏକ ରାସ୍ତା କାମ ହୋଇଥିବା ସୂଚନା ଦିଆଯାଇଛି, ମାତ୍ର କେବଳ ୧୦୦ରୁ ୨୦୦ ଫୁଟ କାମ ହୋଇଛି । ଏଭଳି ଅନେକ ପ୍ରକଳ୍ପରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ବାଲିଆପାଳ ବିଡିଓ କହିଛନ୍ତି ଏହା ମଥ୍ୟା ଅଭିଯୋଗ । ଲୋକେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ କରାଯିବ ।