କୁଆଡେ ଗଲା ପୁରୀ ଏମାର ମଠର ରୁପା ଇଟା ? ପୁରୀ ଶ୍ରୀମନ୍ଦିରକୁ ହସ୍ତାନ୍ତର କରିବାକୁ ଜୋର ଧରିଲା ଦାବି, ରୁପା ଇଟା ସୁରକ୍ଷିତ ଅଛି ନା ନାହିଁ ତାକୁ ନେଇ ବି ଉଠିଲା ପ୍ରଶ୍ନ ।

609

କନକ ବ୍ୟୁରୋ : ଦାନ ଅର୍ଥରେ ଶ୍ରୀମନ୍ଦିର ତିନି ଦ୍ୱାରକୁ ରୂପା ଛାଉଣି କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏହି ପ୍ରସ୍ତୁତି ଭିତରେ ପୁଣି ଥରେ ଏମାର ମଠରୁ ଜବତ ହୋଇଥିବା ରୂପା ଇଟା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ଦୀର୍ଘ ୯ ବର୍ଷ ପରେ ମଧ୍ୟ ଜବତ ହୋଇଥିବା ରୂପା ଇଟାର ତଦନ୍ତ ପ୍ରକ୍ରିୟା କାହିଁକି ଶେଷ ହୋଇନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଏବଂ ଇଟାକୁ କାହିଁକି ମନ୍ଦିରକୁ ହସ୍ତାନ୍ତର କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ଫେବୃଆରୀ ୨୬, ୨୦୧୧ । ଏମାର ମଠରେ ଚଢ଼ାଉ କରି ଦୁଇଟି ନିବୁଜ କୋଠରି ମଧ୍ୟରୁ ୫୨୨ ଖଣ୍ଡ ରୂପା ଇଟା ଜବତ କରିଥିଲା ପୋଲିସ । ପ୍ରତ୍ୟକ ଇଟା ଖଣ୍ଡର ଓଜନ ଥିଲା ପ୍ରାୟ ୪୦ କେଜି ଏବଂ ମୋଟ ଜବତ ହୋଇଥିବା ଇଟାର ଓଜନ ଥିଲା ୧୮ ଟନ୍ ୮୭ କେଜି ୬୫୦ ଗ୍ରାମ । ଅର୍ଥାତ ବର୍ତ୍ତମାନ ସମୟରେ ଏହି ଇଟାର ବଜାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ । ହେଲେ ଏହି ଇଟାକୁ ଜବତ କରାଯିବା ପରେ ଜିଲ୍ଲା ପୁଲିସ ଅସ୍ତ୍ରାଗାରରେ ରଖାଯାଇଛି । ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇ ଚାଲିଛି ତଦନ୍ତ । ଏପର୍ଯ୍ୟନ୍ତ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇନାହିଁ ।

ଦାନ ସୂତ୍ରରେ ମିଳୁଥିବା ରୂପାକୁ ନେଇ ଶ୍ରୀମନ୍ଦିର ଦ୍ୱାର ଛାଉଣି ହେବାକୁ ଯାଉଥିବାବେଳେ ଏହି ପ୍ରଶ୍ନ ଉଠିଛି । ତା ସହ ଆଉ ଏକ ବଡ ପ୍ରଶ୍ନ ହେଉଛି, ସବୁ ରୂପା ଇଟା ସୁରକ୍ଷିତ ଅଛି ତ ? ଏମାର ମଠରେ କାମ କରୁଥିବା ଢ଼େଙ୍କାନାଳର ଦୁଇ ଶ୍ରମିକ ରୂପା ଇଟା ବିକ୍ରି କରୁଥିବାବେଳେ ପୁଲିସ ହାତରେ ଧରାପଡିବା ପରେ ଏହି ମାମଲା ପଦାକୁ ଆସିଥିଲା । ସେମାନେ ବିକ୍ରି କରୁଥିବା ଇଟା ଏମାର ମଠର ବୋଲି ଜଣାପଡିବା ପରେ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ, ଚେଲା ସୁଦର୍ଶନ ରାମାନୁଜ ଦାସ, କର୍ମଚାରୀ ନବକିଶୋର ବିଶ୍ୱାଳ, ଓ ପୁରୀର ଏକ ଜୁଏଲାରୀ ମାଲିକଙ୍କୁ ତଦନ୍ତ ପରିସରକୁ ନେଇଥିଲା । ହେଲେ ଏହା ଭିତରେ ୬ ଜଣ ଏସପି ଆସି ଯାଇସାରିଥିଲେ ମଧ୍ୟ ତଦନ୍ତ ସେଇଠି ଅଟକି ରହିଛି ।