କେଉଁଠି ନେଲେ କେତେ ଟୀକା? ଦିନ ୩ଟା ସୁଦ୍ଧା ରାଜ୍ୟରେ ଟାର୍ଗେଟର ୫୩ ପ୍ରତିଶତ ହୋଇଛି ଟୀକାକରଣ । ଗଞ୍ଜାମରେ ସର୍ବାଧିକ ୭୧୧ ଜଣଙ୍କୁ ଦିଆଯାଇଛି ଟୀକା

134

କନକ ବ୍ୟୁରୋ: କେଉଁଠି ନେଲେ କେତେ ଟିକା । ଦିନ ୩ଟା ସୁଦ୍ଧା ରାଜ୍ୟରେ ଟାର୍ଗେଟର ୫୩ ପ୍ରତିଶତ ଟିକାକରଣ ହୋଇଛି । ପ୍ରଥମ ଦିନରେ ୧୬ ହଜାର ୩୪୭ ଜଣଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ରାଜ୍ୟର ଟିକାକରଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୮ହଜାର ୬୭୫ ଜଣ କରୋନା ଟିକା ନେଇଥିବା ସୂଚନା ମିଳିଛି । ଗଂଜାମରେ ସର୍ବାଧିକ ୭୧୧, ମୟୂରଭଂଜରେ ୬୦୭, ଖୋର୍ଦ୍ଧାରେ ୫୯୫ ଓ କଟକରେ ୫୦୫ ଜଣ ଟିକା ନେଇସାରିଛନ୍ତି । ଆଜିଠୁ ସାରା ଦେଶରେ ମେଗା ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି ।

ସେପଟେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ଅନୁଭୁତି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ତେବେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହିତାଧିକାରୀଙ୍କ ଠାରୁ ଫିଡ୍ବ୍ୟାକ୍ ନେଇଛନ୍ତି । ବ୍ରହ୍ମପୁରର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହେଲେ ନବୀନ । ଫିଡ୍ବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୨୧ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ନେଇ ଆସିଛି । କୋଭିଡ ଟିକାକରଣ ଆରମ୍ଭ ହୋଇଛି । କରୋନା ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ କେବେ ଭୁଲି ହେବ ନାହିଁ । କରୋନା ଟିକାକରଣକୁ ନେଇ ଖୁସି ଜାହିର କରିବା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।