କନକ ବ୍ୟୁରୋ : ନିର୍ବାଚନ ମୈଦାନରେ ସ୍ୱାମୀ ସ୍ତ୍ରୀ । ଗୋଟିଏ ବ୍ୟାନରରେ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ସ୍ୱାମୀ ସ୍ତ୍ରୀ । ଚଳିତ ପଂଚାୟତ ନିର୍ବାଚନ ପାଇଁ ସ୍ୱାମୀ ସ୍ତ୍ରୀ ଗୋଟିଏ ଦଳର ସମର୍ଥନରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସ୍ୱାମୀ ସମିତି ସଭ୍ୟ ଓ ସ୍ତ୍ରୀ ସରପଂଚ ପଦ ପାଇଁ ଘର ଘର ବୁଲି ଭୋଟ୍ ମାଗୁଛନ୍ତି । ଦୁହେଁ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ହୋଇଥିବା ବେଳେ ଗୋଟିଏ ବ୍ୟାନରରେ ସ୍ୱାମୀ ସ୍ତ୍ରୀଙ୍କ ଫଟୋ ଚିହ୍ନ ରଖି ପ୍ରଚାର କରାଯାଉଛି । ବାଲେଶ୍ୱର ଜଳେଶ୍ୱର ବ୍ଲକ କୋଟସାହି ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ ଓ ତାଙ୍କ ସ୍ତ୍ରୀ ମଂଜୁବାଳା ପ୍ରଧାନଙ୍କୁ ନେଇ ରାଜନୈତିକ ମହଲରେ ଜୋଦାର ଚର୍ଚ୍ଚା ଚାଲିଛି ।

Advertisment

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ସରଗରମ ଗାଁ ରାଜନୀତି । ନିଆରା ଢ଼ଙ୍ଗରେ ପ୍ରଚାର ଆରମ୍ଭ କରିଛନ୍ତି ପ୍ରାର୍ଥୀମାନେ । କିଏ ଟ୍ରଲିରେ ତ ଅନ୍ୟ କେହି ସାଇକେଲରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨୯ ନମ୍ବର ଜିଲ୍ଲା ପରିଷଦ ଜୋନର ଗୋରୁଆଳ ପଂଚାୟତ ସମିତି ସଭ୍ୟ ପ୍ରାର୍ଥୀ ଟ୍ରଲିରେ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ନିର୍ବାଚନୀ ପ୍ରଚାରରେ ଛୋଟ ପିଲା । କଟକ ବଡ଼ମ୍ବା ଇଛାପୁର ପଂଚାୟତରେ ଛୋଟ ଛୋଟ ପିଲାମାନେ ସାଇକେଲରେ ନିର୍ବାଚନ ପ୍ରଚାର କରୁଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ସରପଂଚ ପ୍ରାର୍ଥୀଙ୍କ ପାଇଁ ମାଛ ଚିହ୍ନରେ ଭୋଟ୍ ଦେବାକୁ ପ୍ରଚାର କରୁଛନ୍ତି ପିଲା । ଏଭଳି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି । କରୋନା କାରଣରୁ ପ୍ରଚାର ପ୍ରସାର ଉପରେ କଟକଣା ଜାରି କରାଯାଇଛି । ଡ଼ିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦିଆଯାଇଛି । ଏଭଳି ସମୟରେ ଛୋଟ ଛୋଟ ପିଲାମାନେ ନିର୍ବାଚନ ପ୍ରଚାର କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ସାଇକେଲରେ ଗାଁ ଗାଁ ବୁଲି ଭିକ୍ଷା ମାଗିବା ସହ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ଜିଲ୍ଲାପରିଷଦ ପ୍ରାର୍ଥୀ ଧନେଶ୍ୱର ସ୍ୱାଇଁ । ଲୋକଙ୍କ କାନ୍ଥରେ ନିଜ ନାମ ଓ ଚିହ୍ନ ଲେଖି ପ୍ରଚାର କରୁଛନ୍ତି ଜିଲ୍ଲାପରିଷଦ ପ୍ରାର୍ଥୀ । ଧନେଶ୍ୱର ସ୍ୱାଇଁ କଣାସ ବ୍ଲକ ୫ ନମ୍ବର ଜୋନରୁ ସିପିଏମ ଦଳ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଧନେଶ୍ୱର ଆଗରୁ ସରପଂଚ ଓ ସମିତି ସଭ୍ୟ ଭାବେ ଭାବେ ନିର୍ବାଚନରେ ଲଢି ହାରିସାରିଛନ୍ତି ।

ହେଲେ ରାଜନୀତି କରିବାର ନିଶା ଏବଂ ଜନସେବା ମନୋଭାବ ତାଙ୍କ ମନରେ ଏବେ ବି ଭରିରହିଛି । ଏଥର ସିପିଏମ ଦଳ ତରଫରୁ ଦା’ ହାତୁଡ଼ି ଚିହ୍ନରେ ସେ ନିର୍ବାଚନ ଲଢୁଛନ୍ତି । ଧନେଶ୍ୱର ହାତରେ ଏକ ମାଇକ ଓ ସାଇକେଲ ଧରି ପାଖାପାଖି ୧୦ ଖଣ୍ଡ ଗାଁରେ ପ୍ରଚାର କରୁଛନ୍ତି । ଆଜି କାଲିର ନେତାଙ୍କ ଭଳି ତାଙ୍କ ପାଖରେ ପୋଷ୍ଟର କିମ୍ବା ପ୍ରଚାର ଗାଡ଼ି ନାହିଁ ତଥାପି ଏକା ଏକା ବିଜୟର ଆଶା ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।