କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀରେ ଭବ୍ୟ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୩୯ କୋଟି ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ୫ ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଛି । ଏହା ପ୍ରାଚୀନ କାଶୀ ବିଶ୍ୱନାଥ ମନ୍ଦିରକୁ ଗଙ୍ଗାର ୨ଟି ଘାଟ ସହ ସଂଯୋଗ କରିବ । ଏହି ପ୍ରକଳ୍ପରେ ୭୫ ମିଟର ଓସାରର ଚଲାପଥ ନିର୍ମାଣ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୩ଟି କୋଠାର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୧୪ଶହରୁ ଅଧିକ ଦୋକାନ ଓ ଘର ଭଙ୍ଗାଯିବା ସହ ସେମାନଙ୍କର ଥଇଥାନ କରାଯାଇଛି । ଏଥିପାଇଁ ୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛି ।
କାଶୀ ବିଶ୍ୱନାଥ କରିଡରର ଉଦଘାଟନ ପରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଏଠାକୁ ଯେବେ ବି ଔରଙ୍ଗଜେବଙ୍କ ଭଳି ନିର୍ଦ୍ଦୟୀ ଆସିଛି ସେତେବେଳେ ଶିବାଜୀଙ୍କ ଭଳି ବୀର ଯୋଦ୍ଧା ସାହସ ଦେଖାଇଛନ୍ତି । ଭାରତ ଏମିତି ଏକ ଦେଶ, ଯାହା ପୂରା ବିଶ୍ୱ ଠାରୁ ଭିନ୍ନ । ଆଉ କାଶୀ କଥା କଣ ବା କୁହାଯାଇପାରେ । ଏଠାରେ ତ କେବଳ ଜଣଙ୍କର ସରକାର ରହିଛି । ଯାହାଙ୍କ ହାତରେ ଡମ୍ବରୁ ରହିଛି । କାଶୀ ଏମିତି ଏକ ସ୍ଥାନ ଯେଉଁଠି ପ୍ରବେଶ କରିବା ମାତେ ମଣିଷ ସବୁ ବନ୍ଧନରୁ ମୁକ୍ତ ହୋଇଯାଇଥାଏ । ଯେଉଁଠି ଗଙ୍ଗା ନଦୀ ନିଜର ଧାରା ବଦଳାଇ ଆଗକୁ ବଢିଛି, ସେହି କାଶୀକୁ କିଏ ବା ରୋକିପାରିବ ।
काशी में एक ही सरकार है, जिनके हाथों में डमरू है। यहां जो कुछ होता है, महादेव की इच्छा से होता है, जो कुछ भी हुआ है, महादेव ने ही किया है। pic.twitter.com/CIffz6ZEXz
— Narendra Modi (@narendramodi) December 13, 2021
ମୋଦୀ କହିଛନ୍ତି, ଏବେ କାଶୀରେ ନୂଆ ଇତିହାସ ରଚନା କରାଯାଉଛି ଆଉ ଏହାର ମୂକସାକ୍ଷୀ ଥିବାରୁ ଏଥିପାଇଁ ଗର୍ବିତ । ପୂର୍ବରୁ ଏହା ମାତ୍ର ୩ ହଜାର ବର୍ଗ ଫୁଟ ଭିତରେ ସୀମିତ ରହିଥିଲା । କିନ୍ତୁ ଏବେ ଏହା ୫ ଲକ୍ଷ ବର୍ଗ ଫୁଟକୁ ବ୍ୟାପିଲା । ଏବେ ଏଠାକୁ ଦୈନିକ ୫୦ରୁ ୭୦ ହଜାର ଶ୍ରଦ୍ଧାଳୁ ଆସିପାରିବେ । ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗଙ୍ଗାଙ୍କ ପୂଜର୍ଚ୍ଚନା କରିବା ପରେ ବାବା କାଶୀ ବିଶ୍ୱନାଥଙ୍କ ମନ୍ଦିରରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ସାଧୁସନ୍ଥଙ୍କ ଗହଣରେ ବାବା କାଶୀବିଶ୍ୱନାଥଙ୍କ ରୁଦ୍ରାଭିଷେକ କରିଥିଲେ । ବ୍ରାହ୍ମଣଙ୍କ ସହ ତାଳେ ତାଳେ ଶ୍ଲୋକ ଓ ମନ୍ତ୍ର ଜାପ କରିଥିଲେ ମୋଦୀ । ଏହାର କିଛି ସମୟ ପରେ ମନ୍ଦିର ପରିସରରେ ବୃକ୍ଷରୋପଣ କରି ଏଠାରେ କିଛି ସମୟ ପରିଦର୍ଶନ କରିବା ସହ ସାଧୁସନ୍ଥଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ।
ଏହାବାଦ୍ କାଶୀ ବିଶ୍ୱନାଥ କରିଡର ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରମିକ, ଇଂଜିନିୟର ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଉପରେ ପୁଷ୍ପ ପକାଇ ସମ୍ମାନିତ କରିଥିଲେ । ସଫେଇ କର୍ମଚାରୀଙ୍କ ଉପରେ ମଧ୍ୟ ପୁଷ୍ପବର୍ଷା କରିଥିଲେ ମୋଦି । ସମସ୍ତଙ୍କ ପାଖକୁ ଯାଇ ମୋଦି ଫୁଲ ପକାଇଥିଲେ । ଏହା ପରେ ମୋଦି ସେମାନଙ୍କ ସହ ଏକାଠି ବସି ଫଟୋ ଉଠାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିବାରୁ ଶ୍ରମିକ ଓ ସଫେଇ କର୍ମଚାରୀମାନେ ବେଶ୍ ଖୁସି ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ଏହି କରିଡର ନିର୍ମାଣ କାର୍ଯ୍ୟରେ ସାମିଲ ଥିବା କର୍ମଚାରୀଙ୍କ ସହ ବସି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଶ୍ରମିକଙ୍କ ସହ ଟେବୁଲରେ ବସି ଖାଇବା ସହ ଭଲମନ୍ଦ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ।