ଜାଣନ୍ତୁ, ଭାରତରେ ଟିକାକରଣ କେବେ ଆରମ୍ଭ ହେବ? ଟିକା ପାଇଁ ପଞ୍ଜିକରଣ ଜରୁରୀ କି ?

232

କନକ ବ୍ୟୁରୋ : ଭାରତରେ ଦୁଇଟି ଟିକାକୁ ଡ଼ିସିଜିଆଇ ଅନୁମୋଦନ ଦେବା ପରେ ଡ଼ିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ଟିକା ଦେବା ପରେ ତତକ୍ଷାଣତ ଟିକାକରଣ କରାଯିବ । ପ୍ରାଥମିକସ୍ତରରେ ପ୍ରସ୍ତୁତ ହୋଇଥିବା ଡ଼ାଟା ବେସ ଅନୁସାରେ ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି ।

ବୟସ୍କ ଓ ସମୁଖ ଯୋଦ୍ଧାଙ୍କ ଡ଼ାଟାବେସ ପରବର୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ । ଗତବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହୋଇ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ଦାବି କରିଥିଲେ । ସେରମ ପାଖରେ ୫ କୋଟି ଟିକା ଥିବାରୁ ଦୁଇ ଦିନ ଭିତରେ ବିତରଣ ଆରମ୍ଭ କରିପାରେ । ତେବେ ଟିକାକରଣକୁ ନେଇ ଜାଣନ୍ତୁ କିଛି ପ୍ରଶ୍ନର ଉତ୍ତର ।

ଭାରତରେ ଟିକାକରଣ କେବେ ଆରମ୍ଭ ହେବ?
ଦେଶରେ ୨ଟି କରୋନା ଟିକାକୁ ଅନୁମତି ମିଳିଛି । କେନ୍ଦ୍ର ସରକାର ଓ ସବୁ ରାଜ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ଆସନ୍ତା ଏକସପ୍ତାହ କିମ୍ବା କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହୋଇପାରେ ଟିକାକରଣ ।

କାହାକୁ ମିଳିବ ପ୍ରଥମ ଟିକା ?
ପ୍ରଥମ ଦଫାରେ ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରଥମରେ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, କରୋନା ଯୋଦ୍ଧା ଟିକା ପାଇବେ । ୫୦ ବର୍ଷରୁ ଅଧିକ ବୟସ ଓ ଜଟିଳ ରୋଗରେ ପୀଡିତ ଲୋକ ବି ଏଥିରେ ସାମିଲ ଅଛନ୍ତି ।

ଆପଣଙ୍କ ନମ୍ବର କେବେ ଆସିବ, କେମିିତି ଜାଣିବେ ?
କେନ୍ଦ୍ର ସରକାର କୋ-ୱିନ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି । ଟିକାକରଣ ଆରମ୍ଭ ପରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଯାହାକୁ ଡୋଜ ଦିଆଯିବ, ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନରେ ତାରିଖ, ସ୍ଥାନ ଓ ସମୟର ମେସେଜ ଆସିବ ।

ଆପଣ ଟିକା ନେବାକୁ ବାଧ୍ୟ କି?
ଟିକା ନେବା ବ୍ୟକ୍ତିଙ୍କ ଇଚ୍ଛା ଉପରେ ନିର୍ଭର କରେ । କାହାକୁ ଜୋର ଜବରଦସ୍ତ ଟିକା ଦିଆଯାଇପାରବନି । ତେବେ ବର୍ତମାନ କରୋନା ସଙ୍କଟରେ ଡାକ୍ତର ଟିକା ନେବାକୁ ପରାମର୍ଶ ଦେଇଛନ୍ତି ।

ଟିକା ପାଇଁ ପଞ୍ଜିକରଣ ଜରୁରୀ କି ?
ପ୍ରଥମ ଦଫାରେ ଟିକା ମିଳିଥିବା ଲୋକଙ୍କ ତାଲିକା ଜାରି କରାଯିବ । ସେହି ଆଧାରରେ ପଞ୍ଜୀକରଣ କରିବାକୁ ହେବ । ଏଥିପାଇଁ ଫୋନରେ ଆପଣଙ୍କୁ ମେସେଜ ଆସିବ । ଭୋଟର କାର୍ଡ, ମନରେଗା କାର୍ଡ, ଆଧାର କିମ୍ବା ପ୍ୟାନ କାର୍ଡରେ ପଞ୍ଜିକରଣ କରିପାରିବେ ।

ପଞ୍ଜିକରଣ ପାଇଁ ପରିଚୟପତ୍ର ଜରୁରୀ କି?
ଡ୍ରାଇଭିଙ୍ଗ ଲାଇସେନ୍ସ, ଭୋଟର କାର୍ଡ, ମନରେଗା କାର୍ଡ, ଆଧାର କିମ୍ବା ପ୍ୟାନ କାର୍ଡରେ ପଞ୍ଜିକରଣ କରିପାରିବେ ।