କନକ ବ୍ୟୁରୋ : ଯୁଦ୍ଧ ପରିସ୍ଥିତି ଭିତରେ ରୁଷିଆ ବୈଦେଶିକ ମନ୍ତ୍ରାଳୟ କହିଛି, ୟୁକ୍ରେନକୁ ଯୁଦ୍ଧ ପାଇଁ ସହଯୋଗ କରୁଛି ପାଶ୍ଚାତ୍ୟ ଦେଶ । ଯାହା ସ୍ଥିତିକୁ ଆହୁରି ଉଦବେଗପୂର୍ଣ୍ଣ କରିଛି । ବ୍ରିଟେନ୍, ଡେନମାର୍କ, ଲାଟିଭିଆ, ପୋଲାଣ୍ଡ, କର୍ସିଆ, ୟୁକ୍ରେନ ନାଗରିକଙ୍କୁ ଶରଣାର୍ଥୀ ହେବାକୁ ଅନୁମତି ଦେଇଛନ୍ତି । ଆଉ ଆମେରିକା ୟୁକ୍ରେନକୁ ସାମରିକ ଉପକରଣ ସବୁ ପଠାଉଛି । ଏଭଳି ପରିସ୍ଥିତି ଲାଗି ରହିଥିଲେ ଯୁଦ୍ଧ ଏତେ ଶୀଘ୍ର ଶେଷ ହେବାର କୌଣସି ସମ୍ଭାବନା ନାହିଁ । ତେବେ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କେବେ ଶେଷ ହେବ ଯୁଦ୍ଧ ।
ରୁଷିଆ ଓ ୟୁକ୍ରେନ ଭିତରେ ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଆଉ ଏହି ଦୁଇ ଦେଶ ପାଇଁ ସାରା ବିଶ୍ୱ ଏବେ ତୃତୀୟ ବିଶ୍ୱ ଯୁଦ୍ଧ ମୁହାଣରେ ଛିଡା ହୋଇଛି । ଏଭଳି ସମୟରେ ସଭିଁଙ୍କ ମନରେ ଆସୁଛି ଗୋଟିଏ ପ୍ରଶ୍ନ ।
କେବେ ଶେଷ ହେବ ୟୁକ୍ରେନ-ରୁଷ ଯୁଦ୍ଧ ? କଣ ରହିବ ଯୁଦ୍ଧ ଶେଷ କରିବାର ରଣନୀତି ? ରୁଷିଆ-ୟୁକ୍ରେନ ଯୁଦ୍ଧ କେବଳ ଦୁଇ ଦେଶରେ ସୀମିତ ରହିବ ନାହିଁ । ଆଉ ଏଥିପାଇଁ ୟୁକ୍ରେନ ପରିସ୍ଥିତି ଉପରେ ରହିଛି ସାରା ବିଶ୍ୱର ନଜର । ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସିରେ ଯୁଦ୍ଧ ଶେଷ କରିବା ନେଇ ୫ଟି ସ୍ଥିତି ବିଷୟରେ କୁହାଯାଇଛି । ଆଉ ଏଥିରେ ଅଧିକାଂଶ ସ୍ଥିତି ବେଶ ଭୟଙ୍କର ରହିଛି । ତେବେ ଏହି ସବୁ ସ୍ଥିତି କେବଳ ସମ୍ଭାବନା । ଏଭଳି କୌଣସି ସ୍ଥିତି ବର୍ତମାନ ସୁଦ୍ଧା ଲାଗୁ ହୋଇନାହିଁ ।
ସମ୍ଭାବ୍ୟ ସ୍ଥିତି -୧ : ଛୋଟ ଯୁଦ୍ଧ, ୟୁକ୍ରେନ ଉପରେ ରୁଷର ଦଖଲ
ଏହି ସ୍ଥିତିରେ ରୁଷ ଏକ ଛୋଟ ଏବଂ ନିର୍ଣ୍ଣାୟକ ଯୁଦ୍ଧ ଲଢିପାରେ । ରୁଷ, ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରି କିଭ୍ ଦଖଲ କରିପାରେ । ଆଉ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ । କିଭରେ ନିଜ ଇଚ୍ଛାର ସରକାର ବସାଇ ୟୁକ୍ରେନ ଉପରେ ପରୋକ୍ଷରେ ରାଜୁତି କରିପାରନ୍ତି ରାଷ୍ଟ୍ରପତି ପୁଟିନ୍ ।
ସମ୍ଭାବ୍ୟ ସ୍ଥିତି -୨ : ଲମ୍ବା ଯୁଦ୍ଧ
ଏହି ସ୍ଥିତିର ଆଶଙ୍କା ଅଧିକ ରିହିଛି । ରୁଷ ସେନା ଆଗରେ କଠୋର ଭାବେ ଛିଡା ହୋଇଛି ୟୁକ୍ରେନ ଆର୍ମି । ଆଉ ଆଗକୁ ମଧ୍ୟ ରୁଷିଆ ବିରୋଧରେ ଯୁଦ୍ଧ ଭୂମିରେ ୟୁକ୍ରେନ ସେନା ଛିଡା ରହିବ ବୋଲି କୁହାଯାଉଛି । କାରଣ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି ଉଭୟ ରାଷ୍ଟ୍ରପତି ପୁଟିନ୍ ଓ ରାଷ୍ଟ୍ରପତି ଜେଲେନସ୍କି ।
ସମ୍ଭାବ୍ୟ ସ୍ଥିତି-୩ : ୟୁରୋପୀୟ ଯୁଦ୍ଧ
ଏଭଳି ଏକ ସମ୍ଭାବନା ରହିଛି ଯେ, ୟୁକ୍ରେନ ପରେ ମୋଲଡୋଭା ଓ ଜର୍ଜିଆ ଉପରେ ଦଖଲ କରିବାକୁ ଆକ୍ରମଣ କରିପାରେ ରୁଷ । ଏହି ଦେଶଗୁଡିକ ନାଟୋର ସଦସ୍ୟ ନହୋଇଥିଲେ ବି ନାଟୋ ଦେଶ ଏମାନଙ୍କୁ ସାମରିକ ସାହାଯ୍ୟ କରିପାରନ୍ତି । ଏହାର ଜବାବ ଦେବା ପାଇଁ ନାଟୋ ସଦସ୍ୟ ଥିବା ବାଲ୍ଟିକ ରାଷ୍ଟ୍ର ଲ୍ୟୁଥିଆନା ଓ ଏସ୍ତାବ୍ଲିସରେ ରୁଷସେନା ପଶି ଆକ୍ରମଣ କରିପାରେ । ଆଉ ଏଠାରେ ନାଟୋ ଓ ରୁଷ ମୁହାଁମୁହିଁ ହୋଇପାରନ୍ତି । ଯାହା ଯୁଦ୍ଧକୁ ଆହୁରି ଉଗ୍ର କରିପାରେ । କାରଣ ୟୁରୋପରେ ଏକଛତ୍ରବାଦ ଶାସନ ଲକ୍ଷ୍ୟ ରହିଛି ରାଷ୍ଟ୍ରପତି ପୁଟିନଙ୍କର ।
ସମ୍ଭାବ୍ୟ ସ୍ଥିତି -୪ : ରାଜନୈତିକ ସମାଧାନ
ତେବେ ଏହି ସ୍ଥିତି ଉପରେ ସଭିଁଙ୍କ ଆଶା ରହିଛି । ଯୁଦ୍ଧକୁ ଶେଷ କରିବା ପାଇଁ ଏବେ ଦୁଇ ଦେଶ ମଧ୍ୟରେ ଶାନ୍ତି ବାର୍ତା ବୈଠକ ବି କରାଯାଉଛି । ୟୁକ୍ରେନ ଓ ରୁଷିଆ ଭିତରେ ଦୁଇଠି ବୈଠକ ହୋଇ ସାରିଛି । ହେଲେ ବର୍ତମାନ ସୁଦ୍ଧା ବୈଠକରୁ ସେଭଳି କୌଣସି ନିର୍ଯାସ୍ ବାହାରିପାରିନି । ତେବେ ଯଦି ୟୁକ୍ରେନ, କ୍ରିମିଆ ଓ ଡୋନବାସ କ୍ଷେତ୍ରକୁ ରୁଷିଆ ପାଇଁ ଛାଡିଦିଏ ଆଉ ଏହା ପ୍ରତିବଦଳରେ ପୁଟିନ୍ ୟୁକ୍ରେନକୁ ୟୁରୋପ ସହ ସମ୍ପର୍କ ନିବିଡ କରିବା ପାଇଁ ମଂଜୁରୀ ଦେଇ ଦିଅନ୍ତି ତାହାଲେ ଯୁଦ୍ଧ ଶେଷ ହୋଇଯିବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ସ୍ଥିତି-୫ : ପୁଟିନଙ୍କୁ ସତାରୁ ବେଦଖଲ
ଏଭଳି ସ୍ଥିତି ଏକ ପ୍ରକାର ଅସମ୍ଭବ । ତେବେ ଯଦି ରାଷ୍ଟ୍ରପତି ପୁଟିନ୍ ନିଜ ପଦବୀରୁ ବେଦଖଲ ହୋଇ ଯାଆନ୍ତି ତାହାଲେ ଯୁଦ୍ଧ ଶେଷ ହେବାର ସମ୍ଭାବନା ବଢିଯିବ । ଲଣ୍ଡନ ୱାର ଷ୍ଟଡିଜର ବିଶେଷଜ୍ଞ ଅନୁସାରେ ୟୁକ୍ରେନ ଉପରେ ଆକ୍ରମଣରେ ହଜାର ହଜାର ରୁଷ ସେନା ମୃତ୍ୟୁବରଣ କରି ସାରିଲେଣି । ସେପଟେ ରୁଷିଆ ଉପରେ ଅନେକ ଆର୍ଥିକ ପ୍ରତିବନ୍ଧକ ଲାଗି ସାରିଲାଣି । ପୁଟିନଙ୍କୁ ସମର୍ଥନ କରୁଥିବା ବଡ ବଡ ନେତା, ବ୍ୟବସାୟୀ ଆଗକୁ ପୁଟିନ୍ଙ୍କୁ ସମର୍ଥନ କରି ନପାରନ୍ତି । ଫଳରେ ସତାରୁ ବେଦଖଲ ହୋଇ ପାରନ୍ତି ପୁଟିନ୍ । ଯାହା ଯୁଦ୍ଧକୁ ତୁରନ୍ତ ଶେଷ କରିପାରେ । ଏସବୁ ହେଉଛି ସମ୍ଭାବ୍ୟ ସ୍ଥିତି । ତେବେ ପ୍ରକୃତରେ ଯୁଦ୍ଧ କେବେ ଶେଷ ହେଉଛି ତାହାରି ଉପରେ ରହିଛି ସଭିଁଙ୍କ ନଜର ।