ଜଟିଳ ହେଉଛି ଜୟପୁର ଗଣିତ! ଛିଣ୍ଡୁନି ବିଜେଡି ଓ ବିଜେପି ଅଙ୍କ? କେବେ ଘୋଷଣା ହେବ ଟିକେଟ୍?

187

କନକ ବ୍ୟୁରୋ: ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟରେ ପଡିବ ଭୋଟ । କୋରାପୁଟ ଲୋକସଭା ସମେତ ଏହା ଅଧିନରେ ଥିବା ୭ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ହେଲେ ଏଯାଏଁ ଜୟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି, ଶାସକ ବିଜେଡି ଏବଂ ମୁଖ୍ୟ ବିରୋଧୀ ବିଜେପି । କଂଗ୍ରେସ ଯୋଦ୍ଧା ତାରା ପ୍ରସାଦ ବାହିନୀପତିଙ୍କୁ ଟକ୍କର ଦେବେ କିଏ ତା ଉପରେ ରହିଛି ନଜର ।

କଂଗ୍ରେସର ଗଡ କୁହାଯାଉଥିବା କୋରାପୁଟ ଲୋକସଭା କ୍ଷେତ୍ର୍ରର ଜୟପୁର ବିଧାନସଭା ଆସନରେ ଲଢେଇ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି କି ବିଜେପି । କଂଗ୍ରେସ, ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ଉଭୟ ବିଜେଡି ଓ ବିଜେପିର ଅଙ୍କ ଏଯାଏଁ ଛିଣ୍ଡି ନାହିଁ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନରେ ଆସୁଥିବା ୭ଟି ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ । ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ସରୁଛି । ହେଲେ ଦୁଇ ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା ନକରିବା ଦଳୀୟ ଆଶାୟୀ ପ୍ରାର୍ଥୀ ଓ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ଜୟପୁର ବିଧାନସଭା ପ୍ରାର୍ଥୀ ଘୋଷଣା ପଛରେ ଉଭୟ ବିଜେଡି ଓ ବିଜେପିକୁ ପଛରେ ପକାଇ ଦେଇଛି କଂଗ୍ରେସ । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନାଁ ଘୋଷଣା କରି କଂଗ୍ରେସ, ଆଶ୍ୱବିଶ୍ୱାସର ସହ ମୈଦାନକୁ ଓହ୍ଲାଇଛି । ତେବେ ବିଜେଡି ପୁରୁଣା ପ୍ରାର୍ଥୀ ରବି ନନ୍ଦଙ୍କ ଉପରେ ଭରସା କରିବ ନାଁ ନୂଆ ମୁହଁଙ୍କୁ ସୁଯୋଗ ଦେବ, ତା ଉପରେ ସମସ୍ତଙ୍କ ନଜର ଅଟକି ରହିଛି । ସେହିପରି ବିଜେପି ପ୍ରାର୍ଥୀ ରିପିଟ୍ କରିବ ନା’ ନୂଆ ଚେହେରାକୁ ମୈଦାନକୁ ଓହ୍ଲାଇବ, ତାହା ସ୍ପଷ୍ଟ ହୋଇପାରୁନାହିଁ ।

୨୦୧୯ ନିର୍ବାଚନରେ ବିଜୟ ହୋଇଥିବା କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଥିଲା ୫୯,୭୮୫ ଭୋଟ୍ । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରବି ନାରାୟଣ ନନ୍ଦଙ୍କୁ ମିଳିଥିଲା ୫୪,୩୩୪ ଖଣ୍ଡ ଭୋଟ୍ । ଦୁଇ ନେତାଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ଥିଲା ୫, ୪୫୧ । ଆଉ ତୃତୀୟ ସ୍ଥାନରେ ଥିବା ବିଜେପିର ଗୌତମ ସାମନ୍ତରାୟଙ୍କୁ ମିଳିଥିଲା ୩୩, ୮୦୫ ଖଣ୍ଡ ଭୋଟ୍ ।