କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା କୋହଳ କରୁଛନ୍ତି ସରକାର । ବଜାର ଖୋଲିଲାଣି, ସପିଂ ମଲ ଖୋଲିଛି, ସିନେମା ହଲ୍ ବି ଖୋଲିଛି । ହେଲେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ହୋଇନି ନିଷ୍ପତି । ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢାରେ ଡୋରି ଲାଗିଛି । ପ୍ରଥମରୁ ପଂଚମ ଶ୍ରେଣୀ ପିଲା ଦୁଇ ବର୍ଷ ହେଲା ସ୍କୁଲକୁ ଯାଇନାହାନ୍ତି । ତେବେ କେବେ ସ୍କୁଲ ଖୋଲିବ, ସେନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଆଗକୁ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହାତରେ କମ୍ ସମୟ ଥିବାରୁ ସିଲାବସ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ବାକି ସିଲାବସ୍ ପାଠପଢା କେବେ ସରିବ ଏବଂ କିଭଳି ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ।
କରୋନା ତୃତୀୟ ଲହର ଭୟରେ ମାସେ ହେଲା ସ୍କୁଲ ବନ୍ଦ ରହିଛି। ପାଠପଢ଼ା ହୋଇପାରୁନି । କେବେ ଖେଲିବ ଏବଂ ପାଠପଢ଼ା ହେବ, ତାହାକୁ ନେଇ କେହି ବି ମୁହଁ ଖୋଲୁନାହାନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି । ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସରକାରୀ ଅଧିକାରୀମାନେ କହୁଥିଲେ ମଧ୍ୟ କାହାରି ପାଖରୁ ସ୍ପଷ୍ଟ ଉତ୍ତର ମିଳି ପାରୁନାହିଁ । ଯାହା ଏବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି । ଆଗକୁ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା । ହାତରେ ଆଉ କମ୍ ସମୟ ଥିବା ବେଳେ ସମ୍ପୂର୍ଣ୍ଣ ସିଲାବସ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଦଶମର ଅଧା ସିଲାବସ୍ ସରିଥିବା ବେଳେ ଯୁକ୍ତ୨ର ୬୦% ସରିଛି । ବାକି ସିଲାବସ୍ ପାଠପଢ଼ା କେବେ ସରିବ ଏବଂ କିଭଳି ଭାବେ ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ।
ଇତିମଧ୍ୟରେ ଓଡ଼ିଶା ଅଭିଭାବକ ମହାସଂଘ ସମେତ କେତେକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ବିଦ୍ୟାଳୟ ଖୋଲିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଏସ୍ଆରସିଙ୍କ ସମେତ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ଉଦ୍ଦେଶ୍ୟରେ ପତ୍ର ବି ଲେଖିଛନ୍ତି । ସେମାନଙ୍କ କହିବା କଥା, ଏବେ କରୋନା ସଂକ୍ରମଣ କମୁଛି । ଦୈନିକ ସଂକ୍ରମଣ ୧୧ ହଜାରରୁ ହାସ ପାଇ ୪ ହଜାର ତଳକୁ ଆସିଲାଣି । ଶିଶୁ ବିଶେଷ ଆକ୍ରାନ୍ତ ହେଉନାହାନ୍ତି । ତେଣୁ କଟକଣା ମଧ୍ୟରେ ୟୁଜି, ପିଜି, ଯୁକ୍ତ୨ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ଖୋଲାଗଲେ କୌଣସି ଅସୁବିଧା ନାହିଁ । ଗୋଟିଏପଟେ ରାଜ୍ୟରେ ଥିବା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଖୋଲାଥିବା ବେଳେ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ କାହିଁକି ବନ୍ଦ ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପିଲାଙ୍କ ପାଠପଢ଼ା ସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି ।