କନକ ବ୍ୟୁରୋ: ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ଗତକାଲି ଏଏସଆଇ ଅଧୀକ୍ଷକ ଡିବି ଗଡ଼ନାୟକଙ୍କ ମନ୍ତବ୍ୟ ଦେବା ପରେ ଏହାକୁ ଖଣ୍ଡନ କରିଥିଲେ ଆଇନ ମନ୍ତ୍ରୀ । ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ରତ୍ନଭଣ୍ଡାର ଖୋଲିବା ନେଇ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି । ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ । ପୃଥ୍ୱୀରାଜ ହରିଚନ୍ଦନଙ୍କ ଏପରି ପ୍ରତିକ୍ରିୟା ପରେ କେବେ ଖୋଲିବ ରତ୍ନଭଣ୍ଡାର, ଏହାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି ।

Advertisment
  • କେବେ ଖୋଲିବ ରତ୍ନଭଣ୍ଡାର?
  • କେବେ ଦୂର ହେବ ଦ୍ୱନ୍ଦ୍ୱ?

୭ ତାରିଖରେ ରଥଯାତ୍ରା ଆଉ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ହୋଇଥିଲା ନିଷ୍ପତ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ଦୁଇଟି କାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଗୋଟିଏ ହେଲା ରତ୍ନଭଣ୍ଡାର ଯାଞ୍ଚ ଏବଂ ଅନ୍ୟଟି ହେଲା ରତ୍ନ ଓ ଅଳଙ୍କାରର ଗଣତି ମଣତି । ହେଲେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିବା ଅପେକ୍ଷା ଅଳଙ୍କାରର ଗଣତି ମଣତି ଅଧିକ ସମୟ ସାପେକ୍ଷ । ତେବେ ରତ୍ନଭଣ୍ଡାର କେବେ ଖୋଲିବ, ଏନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥଙ୍କ କୋଟି କୋଟି ଭକ୍ତ ଅପେକ୍ଷା କରି ରହିଛନ୍ତି । କେବେ ଠାରୁ ଏହା ଆରମ୍ଭ ହେବ, ପ୍ରକ୍ରିୟା କିପରି ରହିବ, ନୂଆ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନାଯୋଗ୍ୟ ଯେ, ୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ ୧୬ ଜଣିଆ କମିଟି । ବାହାର ଭଣ୍ଡାରରେ ପ୍ରବେଶ କରି ଯାଞ୍ଚ କରିଥିଲେ । କିନ୍ତୁ ଭିତର ଭଣ୍ଡାରର ଚାବି ମିଳିନଥିଲା । ରତ୍ନଭଣ୍ଡାର ଚାବି ହଜିବାକୁ ନିର୍ବାଚନରେ ବଡ଼ ପ୍ରସଙ୍ଗ କରି ବିଜେଡିକୁ ଘେରିଥିଲା ବିଜେପି । ରତ୍ନଭଣ୍ଡାରକୁ ନେଇ ସୃଷ୍ଟି ହୋଇଥିବା ସଂଶୟକୁ ଦୂର କରିବା ଦାୟିତ୍ୱ ଏବେ ନୂଆ ସରକାର ଉପରେ ।