କନକ ବ୍ୟୁରୋ: ରିମାଣ୍ଡ ଅବଧି ସରିବା ପରେ ବିଚାର ବିଭାଗୀୟ ହେପାଜତକୁ ଯାଇଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ । ଗୋଟିଏ ଦିନ ଝାରସୁଗୁଡା ଉପକାରାଗାରରେ ରହିବା ପରେ, ସୁରକ୍ଷା ଦୃଷ୍ଟିରୁ ଆଜି ତାକୁ ଚୌଦ୍ୱାର କେନ୍ଦ୍ରୀୟ କାରାଗାରକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ତିନୋଟି ପର୍ଯ୍ୟାରେ ରିମାଣ୍ଡରେ ନେବା ସମୟରେ ଅଭିଯୁକ୍ତ ଗୋପାଳ ଠାରୁ, ତଦନ୍ତକାରୀ ସଂସ୍ଥା ବହୁତ କିଛି ତଥ୍ୟ ହାସଲ କରିଥିବା କୁହାଯାଉଛି । ହେଲେ, କି ତଥ୍ୟ ହାସଲ କରିଛି ସେ ନେଇ ସ୍ପଷ୍ଟିକରଣ ରଖୁନି କ୍ରାଇମବ୍ରାଂଚ । ଯାହା ସାଧାରଣରେ ସନ୍ଦେହ ବଢ଼ାଇବା ସହ, ବିଭିନ୍ନ ପ୍ରକାରର ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।

Advertisment

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏହା ଭିତରେ ୧୭ଦିନ ବିତିଲାଣି । ମନ୍ତ୍ରୀ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦିନ ଦ୍ୱିପ୍ରହରରେ, ସମସ୍ତଙ୍କ ଆଖି ଆଗରେ ଗୁଳି କଲା, କିନ୍ତୁ ଏବେ ବି ଅନ୍ଧାରରେ ସେ କାହିଁକି ହତ୍ୟା କଲା । ଅଭିଯୁକ୍ତ ଗୋପାଳକୁ ତିନି ତିନି ଥର ରିମାଣ୍ଡରେ ନେଇ କ୍ରାଇମବ୍ରାଂଚର ବଛା ବଛା ଅଧିକାରୀ ପଚରାଉଚୁରା କଲେ । ଗୁଜୁରାଟ ନେଇ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଗଲା, ତଥାପି ହତ୍ୟାର କାରଣ ଉପରୁ ପରଦା ହଟାଇ ପାରୁନି ତଦନ୍ତକାରୀ ସଂସ୍ଥା । ଆଉ ଏସବୁ ଭିତରେ ଗୋପାଳର ରିମାଣ୍ଡ ଅବଧି ଶେଷ ହେବା ପରେ ସେ ବିଚାରବିଭାଗୀୟ ହାଜତକୁ ଯାଇଛି । ପ୍ରଥମ ଦିନରେ ଝାରସୁଗୁଡାର ଉପକାରାଗାରରେ ରହିବା ପରେ, ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ତାକୁ ଅନ୍ୟ ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଝାରସୁଗୁଡା ଛାଡିବା ପୂର୍ବରୁ ସିଆରପିସି ଧାରା ୧୬୪ରେ ଗୋପାଳର ବୟାନ ରେକର୍ଡ କରାଯାଇଛି ।

ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହିଁ ମାରିଛି ବୋଲି ପୂର୍ବରୁ କ୍ରାଇମବ୍ରାଂଚ ସୂଚନା ଦେଇଥିଲା । ଅର୍ଥାତ ମନ୍ତ୍ରୀଙ୍କୁ ଗୋପାଳ ଗୁଳି କରିଛି ବୋଲି ନିଶ୍ଚିତ ହୋଇ ସାରିଛି କ୍ରାଇମବ୍ରାଂଚ । ଆଉ ମନ୍ତ୍ରୀଙ୍କୁ ମାରିବା ପରଠାରୁ ଅଭିଯୁକ୍ତ ଗୋପାଳ କ୍ରାଇମବ୍ରାଂଚ କବଜାରେ ପ୍ରାୟ ୧୩ ଦିନ ବି ରହିଲା । ଏହି ୧୩ ଦିନ ଭିତରେ କ୍ରାଇମବ୍ରାଂଚ ଏଡିଜିଙ୍କ ସମେତ ବିଭିନ୍ନ ଅଧିକାରୀ ତାକୁ ଜେରା କରିଛନ୍ତି । ହତ୍ୟା କରିବା ପଛର କାରଣ ଜାଣିବାକୁ ଉଦ୍ୟମ କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଗୋପାଳ ନବ ଦାସଙ୍କୁ କାହିଁକି ମାରିଲା ତାହା ଏବେ ବି ରହସ୍ୟରେ ରହିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ଏ ସମ୍ପର୍କରେ ପଚାରିବାରୁ ସେ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଇଛନ୍ତି ।

ଗୋପାଳ ନବ ଦାସଙ୍କୁ ବ୍ୟକ୍ତିଗତ କାରଣ ପାଇଁ ମାରିଥିବା ବିଭିନ୍ନ ଖବର କାଗଜରେ ଚର୍ଚ୍ଚା ହେଉଛି । ରାଗ ସୁଝାଇବା ପାଇଁ ସେ ମାରିଥିବା କୁହାଯାଉଛି । କିନ୍ତୁ ନବଙ୍କ ଉପରେ ଗୋପାଳଙ୍କର କଣ ବ୍ୟକ୍ତିଗତ ରାଗ ଥିଲା ସେ କଥା ଜଣାପଡୁନି । କ୍ରାଇମବ୍ରାଂଚ ବି ଏସମ୍ପର୍କରେ କୌଣସି ସୂଚନା ଦେଉନାହିଁ । ଯାହାକୁ ନେଇ ବଢ଼ିବାରେ ଲାଗିଛି ସନ୍ଦେହ ।

ନବ ଦାସଙ୍କ ହତ୍ୟାକାଣ୍ଡର କାରଣକୁ ନେଇ କ୍ରାଇମବ୍ରାଂଚ ଚୁପ ରହିବା, ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଚର୍ଚ୍ଚା ହେଉଛି, ବୋଧହୁଏ ଗୋପାଳର ମନକୁ ପଢ଼ିବାରେ ସକ୍ଷମ ହୋଇପାରିନି କ୍ରାଇମବ୍ରାଂଚ! ନଚେତ ଏମିତି କିଛି ତଥ୍ୟ ଓ ପ୍ରମାଣ ମିଳିଛି ଯାହାକୁ ପ୍ରକାଶ କରିବାକୁ ସାହାସ ଜୁଟାଇ ପାରୁନି ତଦନ୍ତକାରୀ ସଂସ୍ଥା! ମିଳିଥିବା ତଥ୍ୟକୁ ପ୍ରକାଶ କଲେ ବଡ ଧରଣର ରାଜନୈତିକ ଓଲଟପାଲଟ ହେବାର ଭୟ ରହିଛି! କ୍ରାଇମବ୍ରାଂଚ ଯାହା କହିବ ତାକୁ ଲୋକ ବିଶ୍ୱାସ ନକରିବା ଆଶଙ୍କା ରହିଛି! ଆଉ ଏସବୁ କାରଣ ପାଇଁ କ୍ରାଇମବ୍ରାଂଚ ପ୍ରେସମିଟ କରି କୌଣସି ସୂଚନା ଦେଉନାହିଁ । ତେବେ ପ୍ରଶ୍ନ ଉଠୁଛି କେବେ ଖୋଲିବ ନବ ଦାସଙ୍କ ହତ୍ୟା ରହସ୍ୟର ଗୁମର?