କେବେ ଆସିବ ବିଧାନସଭା ପ୍ରାର୍ଥୀ ତାଲିକା? ଚାଲିଛି ଦଳ ମଧ୍ୟରେ ଛକାପଞ୍ଝା, ଆଶା ଆଶଙ୍କାରେ ଅଶାୟୀ

211

କନକ ବ୍ୟୁରୋ: ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣାର ଦୁଇ ସପ୍ତାହ ହୋଇଗଲାଣି । କିନ୍ତୁ ଏ ଯାଏଁ ବିଜେପି କି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେଡି ବି ବାକି ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରୁଛି । ବିଜେପି ପାଇଁ ଦିଲ୍ଲୀରେ ବୈଠକ ପରେ ବୈଠକ ଚାଲିଛି । ଭୁବନେଶ୍ୱରରେ ନବୀନ ନିବାସରେ ବିଜେଡିର ବୈଠକ ହେଉଛି । କିନ୍ତୁ ପ୍ରାର୍ଥୀ ଘୋଷଣା ହୋଇପାରୁନାହିଁ । ଆଉ ପ୍ରାର୍ଥୀ ଘୋଷଣାରେ ବିଳମ୍ବକୁ ନେଇ ବିଜେଡି-ବିଜେପି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି ।

ବିଜେପି ସମସ୍ତ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ହେଲେ ଗୋଟିଏ ବି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇନାହିଁ । ରାଜ୍ୟ ସଭାପତି ମନମୋହନ ସାମଲ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା, ଦିଲ୍ଲୀ ନେତାଙ୍କୁ ଦେଇଛନ୍ତି । ଚୂଡ଼ାନ୍ତ ତାଲିକା ଘୋଷଣା ପାଇଁ ଦିଲ୍ଲୀରେ ତୁହାକୁ ତୁହା ବୈଠକ ବସୁଛି । ଆଜି ଆସିବ, କାଲି ଆସିବ ବୋଲି ଚର୍ଚ୍ଚା ହେଉଛି, କିନ୍ତୁ ଏଯାଏଁ ଶେଷ ହୋଇନାହିଁ ବିଧାନସଭା ଟିକେଟ୍ କସରତ ।

ଏପଟେ ବିଜେଡି ୧୫ଟି ଲୋକସଭା ଓ ୭୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାକି ରହିଛି ୬ ଲୋକସଭା ଓ ୭୫ ବିଧାନସଭା ପ୍ରାର୍ଥୀ ତାଲିକା । ନବୀନ ନିବାସ ଘନ ଘନ ସମୀକ୍ଷା ବୈଠକ ବସୁଛି । ଉଭୟ ନବୀନ ନିବାସ ଓ ଶଙ୍ଖଭବନରେ ଆଶାୟୀମାନେ ଭିଡ଼ ଜମାଉଛନ୍ତି । କିଛି ନେତା ସେମାନଙ୍କ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରି ଟିକେଟ୍ ପାଇଁ ଦାବିଦାର ବୋଲି ଜଣାଉଛନ୍ତି । ଏପରି ଟଣା ଓଟରା ମଧ୍ୟରେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ବିଳମ୍ବ ହେବାରେ ଲାଗିଛି ।

କାହିଁକି ପ୍ରାର୍ଥୀ ଦେବାରେ ଦଳ ବିଳମ୍ବ କରୁଛନ୍ତି, ଏହି ପ୍ରସଙ୍ଗରେ ଆରମ୍ଭ ହୋଇଯାଇଛି ଦୁଇ ଦଳ ମଧ୍ୟରେ ବୟାନବାଜି । ବିଜେଡିର ଯୁକ୍ତି ହେଉଛି ବିଜେପି ନିକଟରେ ପ୍ରାର୍ଥୀ ନାହାନ୍ତି, ସେମାନେ ଦଳଡିଆଁ ନେତାଙ୍କୁ ଅପେକ୍ଷା କରିଛନ୍ତି । ଏହାର ଜବାବ ଦେଇ ବିଜେପି କହିଛି – ବିଜେପି ସଂସଦୀୟ ବୋର୍ଡ ଦିଲ୍ଲୀରୁ ପ୍ରାର୍ଥୀ ଘୋଷଣା କରିଥାଏ । ଏହାସହ ପ୍ରଶ୍ନ କରିଛି, ଅଧା ବିଧାନସଭା ପ୍ରାର୍ଥୀ ଏପର୍ଯ୍ୟନ୍ତ କାହିଁକି ଘୋଷଣା କରୁନାହିଁ ବିଜେଡି?

ପ୍ରାର୍ଥୀ ଘୋଷଣା ଘୁଂଚି ଘୁଂଚି ଯାଉଥିବା ବେଳେ ଦୁଇ ଦଳରେ ଚାଲିଛି ମିଶ୍ରଣ ପର୍ବ । କିଛି ବିଜେପି ନେତା ବିଜେଡି ଶିବିରରେ ଯୋଗ ଦେଉଛନ୍ତି । ଅନ୍ୟପଟେ କିଛି ନେତା ବିଜେଡି ଛାଡ଼ି ବିଜେପିରେ ମିଶୁଛନ୍ତି । ଦୁଇ ଦଳ ମଧ୍ୟରେ ଛକାପଂଝା ଚାଲିଥିବାରୁ ଆଶାୟୀ ଯେତିକି ଦ୍ୱନ୍ଦ୍ୱରେ ରହିଛନ୍ତି, ଅନୁରୂପ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି କର୍ମୀ ଓ ଜନତାଙ୍କ ମଧ୍ୟରେ ।