କେବେ ଯାତ୍ରୀଙ୍କ କାମରେ ଆସିବ ଯାଜପୁର ବସ୍ ଟର୍ମିନାଲ ? କୋଟି କୋଟି ଟଙ୍କାରେ ନିର୍ମିତ କୋଠା ପାଲଟିଛି ଭୂତକୋଠି

141

କନକ ବ୍ୟୁରୋ: କେବେ ପୂରଣ ହେବ  ଯାଜପୁର ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ । ମୁଖମନ୍ତ୍ରୀଙ୍କ ପ୍ରତିଶ୍ରୁତି  ଯାଜପୁରବାସୀଙ୍କ ପାଇଁ ପାଣିର ଗାର ସାଜିଛି । ୨୦୧୮ରେ  ଯାଜପୁରବାସୀଙ୍କୁ ଦେଖାଇଥିବା  ନୂତନ ବସ ଟର୍ମିନାଲର ସ୍ୱପ୍ନ ଏବେ ଅଧାରେ ଅଟକି ଯାଇଛି । ତେଣୁ ଆଜି ବି ପୁରୁଣା ବସଷ୍ଟାଣ୍ଡ ଉପରେ ନିର୍ଭର କରୁଛନ୍ତି ଯାତ୍ରୀ ।  ହେଲେ ସେଠାରେ ଯାତ୍ରୀଙ୍କ ପାଇଁ ନା ଅଛି ବସିବାର ସୁବିଧା ନା ଅନ୍ୟାନ୍ୟ ବ୍ୟବସ୍ଥା  । ତେବେ ଯଦି ଯାତ୍ରୀ ଅସୁବିଧା ଭୋଗିବେ ଏହି ସାଢ଼େ ୩ କୋଟି ଟଙ୍କାର ଅତ୍ୟାଧୁନିକ ବସ ଟର୍ମିନାଲ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।

୨୦୧୮ ମସିହାରେ ଅତ୍ୟାଧୁନିକ ବସ ଟର୍ମିନାଲ ପାଇଁ ଆଙ୍କୁଲାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୯୦ ଲକ୍ଷ ଟଙ୍କାର ଅନୁୁଦାନ ମିଳିଥିଲା । ଏହାପରେ ୨୦୧୯ରୁ ୨ ମହଲା କୋଠା ନିର୍ମାଣ ସରିଛି, ହେଲେ ଏଯାଏଁ ଲୋକଙ୍କ କାମରେ ଆସୁନି । ଏହି ନୂତନ କୋଠା ଏବେ ଭୂତକୋଠି ପାଲଟିଥିବା ବେଳେ ମୁଖ୍ୟମନ୍ତ୍ରୀ ଯାଜପୁରବାସୀଙ୍କୁ ଦେଖାଇଥିବା ସ୍ୱପ୍ନ ବାସ୍ତବତା ଠାରୁ ବହୁ ଦୂରରେ ରହିଛି ।

ଯାଜପୁର ପୌରାଞ୍ଚଳରେ ଥିବା ପୁରୁଣା ବସଷ୍ଟାଣ୍ଡରୁୁ ସବୁଦିନ ଲୋକେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ସହ ରାଜ୍ୟ ବାହାରକୁ ମଧ୍ୟ ଯିବା ଆସିବା କରୁଛନ୍ତି । ଏଠାରେ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବସକୁ ଅପେକ୍ଷା କରି ରହୁଛନ୍ତି । ବସିବାକୁ ସୁବିଧା ନଥିବାରୁ ଛିଡା ହେବାକୁ ପଡୁଛି । ବର୍ଷା ହେଲେ କାଦୁଅ ପଚପଚ ଷ୍ଟାଣ୍ଡ ପରିସରରେ ଅପରିଷ୍କାର ପରିବେଶ ଯାତ୍ରୀଙ୍କୁ ଅସନ୍ତୁଷ୍ଟ କରୁଛି । ତେଣୁ ଯଦି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠା ଲୋକଙ୍କ କାମରେ ଆସୁନାହିଁ । ତେବେ ସାଢ଼େ ୩ କୋଟି ଟଙ୍କାର ଅତ୍ୟାଧୁନିକ ବସ ଟର୍ମିନାଲ କାହା ସ୍ୱାର୍ଥରେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।