କନକ ବ୍ୟୁରୋ: ସତରେ କଣ ସୁଧୁରିଛି ବହୁ ଚର୍ଚ୍ଚିତ ଯାଜପୁରର ସେଇ ନଗଡାର ଚିତ୍ର । ଅପପୁଷ୍ଟିର ଶିକାର ନଗଡା ଅଧିବାସୀଙ୍କ ପାଇଁ ତତ୍କାଳୀନ ସରକାର କେତେ କଣ ଘୋଷଣା କଲେ । ହେଲେ ପ୍ରକୃତରେ କଣ ନଗଡାର ସବୁ ଲୋକ ଦିନକୁ ଦୁଇ ଓଳି ଦାନ ପାଉଛନ୍ତି । ନା ପୁଣି ସେଇ ପୁରୁଣା ସ୍ଥିତି ଆଡକୁ ମୁହାଁଉଛି ନଗଡା ।

ଖାଇବା ଥାଳିରେ ନାହିଁ ପରିବା । ନଗଡ଼ାବାସୀଙ୍କୁ ଭାତ ଆଳୁ ସିଝା ଭରସା । ଅପପୃଷ୍ଟି ପାଇଁ ଚର୍ଚ୍ଚିତ ନଗଡ଼ା ଏବେ ପୁଣି ଚର୍ଚ୍ଚାରେ । ନଗଡ଼ାବାସୀଙ୍କ ଖାଇବା ଥାଳିରୁ ହଜିଛି ପରିବା । ପାହାଡିଆ ଅଞ୍ଚଳ ନଗଡ଼ାରେ ଲୋକ ଝରଣା ପାଣିର ବ୍ୟବହାର କରି ପୋଡୁ ଚାଷ କରୁଥିଲେ । ସରକାର ପୋଡୁ ଚାଷ ଉପରେ ରୋକ ଲଗାଇ ପରିବା ଚାଷ ପାଇଁ ପ୍ରୋତ୍ସାହନ ଦେଇଥିଲେ । ପ୍ରଶିକ୍ଷଣ ନେବା ପରେ ନଗଡାବାସୀ ପରିବା ଚାଷ କରୁଥିଲେ, ନିଜ ବାଡ଼ିରୁ ପରିବା ନେଇ ପେଟପୁରା ଖାଉଥିଲେ । ହେଲେ ନିର୍ବାଚନ ସମୟରୁ ସରକାରୀ ସହାୟତା ବନ୍ଦ ହୋଇଯାଇଛି । ଏହାସହ ନିଅନ୍ଟିଆ ବର୍ଷା ! ପୂର୍ବ ସ୍ଥିତିକୁ ଫେରିବା ପାଇଁ ବାଧ୍ୟ କରୁଛି ।

ବର୍ଷା ଅଭାବରୁ ଚାଷ ପ୍ରଭାବିତ ହେଉଛି । କାଁ ଭାଁ ଚାଷୀ ପରିବା ଚାଷ କରୁଥିବା ବେଳେ, ବହୁ ଚାଷୀ ଏବେ ଦାଦନ ମୁହାଁ ହୋଇଥିବା ଅଭିଯୋଗ ହୋଇଛି । ଗତବର୍ଷ ନଗଡ଼ାରେ ଅପପୃଷ୍ଟି ଦେଖାଦେଇଥିଲା । ଚଳିତବର୍ଷ ଏହି ସମସ୍ୟା ପୁଣି ଅପପୃଷ୍ଟି ଭୟ ସୃଷ୍ଟି କରିଛି । ସେପଟେ ରାଜ୍ୟ ଖାଦ୍ୟ ନିଯୋଗର ସଭାପତି ଅବନିକାନ୍ତ ସାହୁ କହିଛନ୍ତି, ସରକାର ଏଥିପ୍ରତି ଧ୍ୟାନ ଦେବେ । ଯଦି ଏହିଭଳି ସମସ୍ୟା ଲାଗିରୁହେ ତେବେ ପୁଣି ଥରେ ନଗଡ଼ାରେ ଅପପୃଷ୍ଟି ହେବାର ସଂଭାବନାକୁ ଏଡାଇ ଦିଆଯାଇ ନପାରେ । ନୂଆ ସରକାର ନଗଡ଼ାର ପରିବର୍ତିତ ସ୍ଥିତି ପାଇଁ କି ପ୍ରକାର ପଦକ୍ଷେପ ନେଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ।