କନକ ବ୍ୟୁରୋ: କାଶୀପୁରର ଆଦିବାସୀ ଆଜି ବି ଅବହେଳିତ। କଥା କଥାକେ ଆଦିବାସୀଙ୍କ ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଛନ୍ତି ସରକାର। କିନ୍ତୁ ବର୍ଷ ବର୍ଷ ଧରି ଏଠି ରାଜ୍ କରୁଛି ଭୋକ। ପାଦେ ପାଦେ ଅଭାବ ଆଉ ଅସୁବିଧା। ଗଣ୍ଡାଏ ଖାଇବା ପାଇଁ ଅହରହ ଚାଲିଛି ସଂଘର୍ଷ । ଗୋଟିଏ ପଟେ ଯୋଜନା, ଅନ୍ୟପଟେ ବାସ୍ତବ ସ୍ଥିତି ଦେଖିଲେ ବୁଝି ହଉଛି କାଶିପୁର ସ୍ଥିତି। ଏଠି ପ୍ରଶ୍ନ ଉଠୁଛି ଆଉ କେତେ ବର୍ଷ ପରେ ବଦଳିବ କାଶୀପୁରର ଭାଗ୍ୟ?
କଷ୍ଟ ଭୋଗୁଛି କାଶୀପୁର!

Advertisment
  • କଡ଼ ଲେଉଟାଉଛି ପରିସ୍ଥିତି
  • ଦାନାଗଣ୍ଡାଏ ପାଇଁ ସଂଘର୍ଷ
  • କେବେ ବଦଳିବ କାଶୀପୁର ଭାଗ୍ୟ?

୮୦ ଦଶକରେ ଅନାହାର ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିଲା ରାୟଗଡା ଜିଲ୍ଲାର କାଶୀପୁର । ଆଉ ଏବେ ଡରାଉଛି ଡିପଥେରିଆ। ୨୦୦୭ରୁ କଲେରା କାଶୀପୁରର ପିଛା ଛାଡୁନି । ସରକାରୀ ହିସାବରେ ୨୦୦୭ରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୦୧୦ରେ ୩୦ ଜଣ, ୨୦୧୪ରେ ୪୧ ଜଣ ଏବଂ ୨୦୨୨ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବର୍ଷ ଏଯାଏଁ ଡିପଥେରିଆରେ ୫ ଜଣଙ୍କ ମୃତ୍ୟୁ ହୋଇଛି। କାଶୀପୁର ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ୮୦ ଦଶକରେ ଆଇଫାଡ ଯୋଜନାରେ ୭୨ କୋଟି ଖର୍ଚ୍ଚ ହୋଇଥିଲା। ଏହାପରେ ଅନେକ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ପାନୀୟ ଜଳ, ରାସ୍ତା, ପରିମଳ, ସ୍ୱାସ୍ଥ୍ୟ ଭିତିଭୂମି ବାବଦରେ ଅନୁଦାନର ସିଂହ ଭାଗ ଖର୍ଚ୍ଚ ହୋଇଛି । କିନ୍ତୁ ଯୋଜନାରେ ବ୍ୟାପକ ହରିଲୁଟ ଯୋଗୁଁ ବିଶୁଦ୍ଧ ପାଣିର ଅଭାବ, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିଶହ ହୋଇପଡିଛି ।

ରାୟଗଡା ସଦର ଠାରୁ ୭୫ କିଲୋମିଟର ଦୂର କାଶୀପୁର। ବ୍ଲକରେ ଅଛି ୨୪ଟି ପଞ୍ଚାୟତ ଓ ୨୭୧ଟି ଗାଁ। ଅନେକ ଦୂର୍ଗମ ଗାଁକୁ ରାସ୍ତା, ପିଇବା ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ! ୮୧ଟି ଗାଁରେ ପାନୀୟ ଜଳର ସୁବିଧା ନଥିବା ବେଳେ ପକ୍କା ରାସ୍ତାଟିଏ ନାହିଁ। ସାକ୍ଷରତା ହାର ଖୁବ୍ କମ୍। ତେଣୁ ସ୍ୱାସ୍ଥ୍ୟସେବା ପାଇଁ ଗୁଣିଗାରେଡିକୁ ବିଶ୍ୱାସ କରୁଥିବା ବେଳେ ଦୂଷିତ ନାଳ ପାଣିକୁ ପିଉଛନ୍ତି । ଏହି ଅଞ୍ଚଳରେ ଉତ୍କଳ ଆଲୁମିନା ଭଳି ବଡ଼ କମ୍ପାନି ଅଛି, କିନ୍ତୁ ଖଣି ଅଞ୍ଚଳ ଅବହେଳିତ। ଖଣିଜ ପାଣ୍ଠି କେବଳ କାଗଜ କଲମରେ ଖର୍ଚ୍ଚ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ଏପରି ହେବା କଥା ନୁହେଁ, ତଦନ୍ତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବରୁ ଏପରି ମନମୂଖି କାର୍ଯ୍ୟ ଚାଲିଥିବା କହିଛନ୍ତି କୋରାପୁଟ ସାସଂଦ ସପ୍ତଗିରି ଶଙ୍କର ଉଲ୍ଲାକା ଓ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି । ଯଦି ପ୍ରକୃତରେ ଖଣିଜ ପାଣ୍ଠି ଖର୍ଚ୍ଚ ହେଉଥାନ୍ତା ତେବେ ରାସ୍ତା, ପାନିୟ ଜଳ, ଉତ୍ତମ ସ୍ୱାସ୍ଥ୍ୟସେବା ସହ ଶିକ୍ଷାର ବିକାଶ ହୋଇପାରନ୍ତା, ଅବେଳରେ ଝଡି ପଡୁଥିବା ଜୀବନ ରୋକିବାରେ ସହାୟକ ହୁଅନ୍ତା ।