ଖୋଲୁନି ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ: ବାଟବଣା ହେଉଛି କି ତଦନ୍ତ? ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ କେବେ ହେବ ଜେରା?
କନକ ବ୍ୟୁରୋ: ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ୧୯ ଦିନ ବିତିଗଲାଣି , କିନ୍ତୁ ଘଟଣା ପଛର କାରଣ ଖୋଜିବାରେ ସମର୍ଥ ହୋଇନି ପୁଲିସ । ଡିଏସପି ବନିତା ମାଝୀଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । କିନ୍ତୁ ଏବେ ବି ରହସ୍ୟ ଘେରରେ ରହିଛି ସୁସ୍ମିତାଙ୍କ ମୃତ୍ୟୁ । ଏହି ମାମଲାରେ ଗୁରୁଣ୍ଡିଆ ବିଡିଓ, ଗୁରୁଣ୍ଡିଆ ସିଡିପିଓ ଓ ସୁସ୍ମିତାଙ୍କ ସ୍ୱାମୀ ସୁଶୀଲ ଟପ୍ନୋଙ୍କୁ ଜେରା କରାଯାଇଛି । କିନ୍ତୁ ଏତଲାରେ ଥିବା ବଡ଼ ଅଧିକାରୀଙ୍କୁ ତଦନ୍ତ ପରିସରକୁ ଆଣିବା ପାଇଁ ପୁଲିସ ସାହସ ଜୁଟାଇ ପାରୁନି ବୋଲି ଅଭିଯୋଗ ହୋଇଛି । ହତ୍ୟା ଅଭିଯୋଗ ଆଣିଥିଲେ ସୁସ୍ମିତାଙ୍କ ଭାଇ ସଂଦୀପ ମିଞ୍ଜ । ସେ ଦେଇଥିବା ଏତଲା କପି ଉପରେ ନଜର ପକାନ୍ତୁ – ଜିଲ୍ଲପାଳ, ଅତିରିକ୍ତ ଜିଲ୍ଲପାଳ, ଗୁରୁଣ୍ଡିଆ ବିଡିଓ, ସିଡିପିଓଙ୍କ ନାଁରେ ସେ ଅଭିଯୋଗ କରିଥିଲେ । ତେବେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲପାଳ ଶୁଭଙ୍କର ମହାପାତ୍ରଙ୍କୁ ଜେରା କରିବା ପାଇଁ ଏପର୍ଯ୍ୟନ୍ତ ନୋଟିସ୍ ପଠାଇନାହିଁ ପୁଲିସ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏପଟେ ଏଏସଆଇ ଲୁଗୁନଙ୍କ ସନ୍ଦେହ ଜନକ ମୃତ୍ୟୁକୁ ମୁହଁ ଖୋଲୁନି ପୁଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟରେ କଣ ଆସିଲା, ତାହା ମଧ୍ୟ ଗୋପନୀୟ ରଖାଯାଇଛି । ଏହି ଦୁଇ ମାମଲାରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସିବିଆଇ ତଦନ୍ତ ଦାବିରେ ଆଦିବାସୀଙ୍କ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ବିଜେପି ମଧ୍ୟ ସୁନ୍ଦରଗଡ଼ ବନ୍ଦ ପାଳନ କରିଥିଲା । ଆଗକୁ ଅନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବିରୋଧୀ ଦଳ ସମେତ ଆଦିବାସୀ ସଂଗଠନ ଚେତାବନୀ ଦେଇଛି । ସିବିଆଇ ତଦନ୍ତ କରାଯାଇ ସୁସ୍ମିତା ମିଂଜ ଓ ଆଲିସ ଲୁଗୁନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବରିଷ୍ଠ ଆଦିବାସୀ ନେତା ।
ଜିଲ୍ଲାପାଳଙ୍କୁ ଏଣିକି ବିରୋଧ କରିବା ପାଇଁ ପ୍ରସ୍ତୁତ ହେଉଛି ଆଦିବାସୀ ସଂଗଠନ । କେଉଁ ଅଂଚଳକୁ ପୂରାଇ ଦିଆଯିବନାହିଁ ବୋଲି ଚେତାବନୀ ଦିଆଯାଇଛି । ଏବେ ପ୍ରଶ୍ନ ଉଠୁଛି –
ବଡ଼ ଅଧିକାରୀଙ୍କୁ ଖସାଇ ଦେବାକୁ ହେଉଛି କି ଉଦ୍ୟମ?
ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ କାହିଁକି ଜେରା କରୁନି ପୁଲିସ?