କେବେ ଖୋଲିବ ଶିକ୍ଷାନୁଷ୍ଠାନ ? ଶିକ୍ଷାବର୍ଷ ସ୍ପଷ୍ଟ କରୁନାହାନ୍ତି କେନ୍ଦ୍ର ସରକାର

897

କନକ ବ୍ୟୁରୋ : ରାଜ୍ୟରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ କେବେ ଖୋଲିବ? କ୍ଲାସରୁମ୍‌ ପାଠପଢ଼ା ପରେ ପରୀକ୍ଷା ହେବ ନା ଅନ୍‌ଲାଇନ୍‌ ପାଠପଢ଼ାକୁ ଆଧାର କରି ପିଲାଙ୍କ ‌ପରୀକ୍ଷା କରାଯିବ। ଯଦି କ୍ଲାସରୁମ୍‌ ପାଠପଢ଼ା ପରେ ପରୀକ୍ଷା ହୁଏ, ତେବେ କେତେ ମାସ କ୍ଲାସ କରାଯିବ। କେଉଁ ମାଧ୍ୟମରେ ହେବ? ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ପାଠପଢ଼ା ହେବ ନା ପର୍ଯ୍ୟାୟକ୍ରମେ କ୍ଲାସ କରିବାକୁ ଡକାଯିବ। ରାଜ୍ୟ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଏବେ ପୁଣିଥରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ବିଶେଷକରି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌ଆରସି)ଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗ ଉପରେ ଛାଡ଼ିବା, ଯୁକ୍ତ୨ କଲେଜ କ୍ୟାମ୍ପସ ସଫା କରିବା, ଗବେଷଣାରତ ଛାତ୍ରଛାତ୍ରୀଙ୍କ ଲାଗି କଲେଜ ଓ ବିଶ୍ବବିଦ୍ୟାଳୟ ଲାବରେଟୋରି ଖୋ‌ଲିବା ନେଇ ଅନୁମତି ପରେ ଡିସେମ୍ବରରୁ ପାଠପଢ଼ା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଶିକ୍ଷାବର୍ଷ ସ୍ପଷ୍ଟ କରି ନ ଥିବାରୁ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗ ଦୋଛକିରେ ରହିଛନ୍ତି। କୌଣସି ଠୋସ୍‌ ପଦକ୍ଷେପ ନେଇପାରୁ ନାହାନ୍ତି।

ଛାତ୍ରଛାତ୍ରୀଙ୍କ କ୍ୟାରିୟର୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଓ ପରୀକ୍ଷା ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରି ନାହିଁ। ସିବିଏସ୍‌ଇ, ଆଇସିଏସ୍‌ସିଇ ପରି କେନ୍ଦ୍ରୀୟ ବୋର୍ଡ ନିଷ୍ପତ୍ତି ଝୁଲାଇ ରଖିଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏଯାଏ ୨୦୨୦-୨୧ ଶିକ୍ଷାବର୍ଷ ଧାର୍ଯ୍ୟ କରିପାରି ନାହିଁ। ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ଶିକ୍ଷାବର୍ଷ ସ୍ପଷ୍ଟ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆଉ କେତେକ ରାଜ୍ୟ ସରକାର ଏ ବାବଦରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ତା’ ପରେ ବି ଆଜି ପର୍ଯ୍ୟନ୍ତ ପରୀକ୍ଷା ନେଇ କିଛି ବି ସ୍ଥିର ହୋଇପାରିନାହିଁ। ଦଶମ ଓ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା ତାରିଖ ଓ ଫର୍ମ ପୂରଣ ମୁଖ୍ୟତଃ ଡିସେମ୍ବର ମାସରେ ହୋଇଥାଏ। ତେବେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ କିଛି ବି ହୋଇପାରିନାହିଁ। କେ‌େବ‌ ହେବ, ସେନେଇ ବି ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିପାରୁ ନାହିଁ।

ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା‌ରେ ବି ସମାନ ଅବସ୍ଥା ଲାଗି ରହିଛି। ତାରିଖ କିଛି ବି ‌ସ୍ଥିର ହୋଇପାରି ନାହିଁ। ପ୍ରତିବର୍ଷ ଡିସେମ୍ବର ମାସରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ତେବେ ଏଥର ଆଦୌ କ୍ଲାସରୁମ୍‌ ପାଠପଢ଼ା ହୋଇପାରି ନାହିଁ। ତେଣୁ କେମିତି ପରୀକ୍ଷା ହେବ, ତାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଯଦିଓ ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଛି, ତେବେ ସେଥିରେ ସମସ୍ତ ଛାତ୍ରଛାତ୍ରୀ ଯୋଡ଼ି ହୋଇପାରୁନାହାନ୍ତି। ଏଭଳି ସମୟରେ ଅଣ୍ଡର ଗ୍ରାଜୁଏଟ୍‌(ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ୍‌(ପିଜି) ସେମିଷ୍ଟର ପରୀକ୍ଷା କରାଗଲେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଗତକାଲି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏବେ ପରୀକ୍ଷା ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍‌-୧୯ ଯୋଗୁଁ ଶିକ୍ଷାବର୍ଷ ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି। ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଥିଲେ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ କ୍ଲାସରୁମ୍‌ ପାଠପଢ଼ା ସ୍ବାଭାବିକ କରାଯାଇ ସିଲାବସ୍‌ ଶେଷ ହେବା ପରେ ଯାଇ ପରୀକ୍ଷା କଥା ବିଚାରକୁ ନିଆଯିବ। ତା’ ପୂର୍ବରୁ ପରୀକ୍ଷା ଉପରେ ଗୁରୁତ୍ବ ‌ନ ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ ଜେଇଇ ମେନ୍‌, ନିଟ୍‌ ପରି ପ୍ରବେଶିକା ପରୀକ୍ଷା ସମେତ ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ରହିଛନ୍ତି। ଏନେଇ ଆମେ ଅବଗତ ରହିଛୁ। ତେଣୁ ଆସନ୍ତା ୧୦ ତାରିଖରେ ଏକ ୱେବିନାର ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଭାଗନେଇ ସେମାନଙ୍କ ମତାମତ ଦେଇପାରିବେ। ଶିକ୍ଷାବର୍ଷ କେମିତି ହେବ, ସେନେଇ ମତାମତ ଗ୍ରହଣ କରାଯିବା ପରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି।