କନକ ବ୍ୟୁରୋ: ଆଜି ରସଗୋଲା ଦିବସ। ପ୍ରଭୁ ଜଗନ୍ନାଥଙ୍କ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ ପରମ୍ପରା ସହ ଜଡ଼ିତ ରସଗୋଲା। ରସଗୋଲାର ଇତିହାସ ଏବଂ ଉତ୍ପତ୍ତି ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ଏହି ଦିନ ପାଳନ କରାଯାଉଛି। କିନ୍ତୁ ଏବେ ବି ଅବହେଳିତ ଆମ ରସଗୋଲା ଓ ତାକୁ ପ୍ରସ୍ତୁତ କରୁଥିବା ବ୍ୟବସାୟୀ। ଏବେ ବି ସରକାରୀ ସ୍ତରରେ ହୋଇପାରିନି ପ୍ରଚାର ପ୍ରସାର। ଯାହା ଫଳରେ ଆଗକୁ ଜି ଆଇ ଟ୍ୟାଗ ହଟିଯିବା ନେଇ ଘାରିଛି ଭୟ।
କେବେ ତିଆରି ହେବ ରସଗୋଲା ହବ୍?
କାହିଁକି ବିଳମ୍ବ ହେଉଛି ପାହାଳରେ ମିଠା କ୍ଲଷ୍ଟର ନିର୍ମାଣ କାମ?
କାହିଁକି ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରୁନାହିଁ ଡିପିଆର?
ପ୍ରଚାର ପ୍ରସାର ନହେଲେ ଚାଲିଯିବ କି ଜି.ଆଇ. ମାନ୍ୟତା?
ବହୁ ବାଦ ବିବାଦ ପରେ ଓଡ଼ିଶା ରସଗୋଲାକୁ ୨୦୧୯ ରେ ମିଳିଲା ଜିଆଇ ଟ୍ୟାଗ୍। ଆଉ ମାନ୍ୟତା ମିଳିବା ପରେ ଏହାର ପରିଚୟକୁ ବଳିଷ୍ଠ କରିବାକୁ ପାହାଳରେ ‘ରସଗୋଲା କ୍ଲଷ୍ଟର୍’ ନିର୍ମାଣ ହେବ ବୋଲି ସରକାର ଘୋଷଣା କରିଥିଲେ। ଏଥିପାଇଁ ଭାରତ ସରକାର ୭ କୋଟି, ରାଜ୍ୟ ସରକାର ୨ କୋଟି ଏବଂ ଖୋଦ ମିଠା କାରିଗରମାନେ ୧ କୋଟି ଖର୍ଚ୍ଚ ବହନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ନିର୍ମାଣ ତ ଦୂରର କଥା, ୫ ବର୍ଷ ପରେ ବି ଡିପିଆର୍ ବି ପ୍ରସ୍ତୁତ ହୋଇନାହିଁ। କେବଳ ପାହାଳରେ କମନ୍ ଫ୍ୟାସିଲିଟି ସେଣ୍ଟର (ସିଏଫସି) ନିମନ୍ତେ ଦେଢ଼ ଏକର ଜାଗା ଯୋଗାଇ ଦେଇ ବସି ପଡ଼ିଛନ୍ତି ସରକାର। ନା କଞ୍ଚାମାଲ ସଠିକ ଦରରେ ମିଳୁଛି, ନା ଟେଷ୍ଟିଂ ଲାବ୍ରଟରୀ ଅଛି । ଏପରିକି ପ୍ୟାକେଜିଂ ସିଷ୍ଟମ ମଧ୍ୟ ନାହିଁ। ତେଣୁ, ଏବେ ଦେଶ ତଥା ଦେଶ ବାହାରେ ଓଡ଼ିଶା ରସଗୋଲାକୁ ନୂଆ ପରିଚୟ ଦେବାକୁ ଚାହିଁ ବସିଥିବା ବ୍ୟବସାୟୀଙ୍କୁ ନିରାଶ ହେବାକୁ ପଡ଼ିଛି ।
ଏପଟେ କ୍ଲଷ୍ଟର୍ ପାଇଁ ଆବଶ୍ୟକୀୟ ତଥ୍ୟ ଧରି ପାହାଳ ରସଗୋଲା ଓ ଉଦ୍ୟୋଗକାରୀ ସମିତି ୫ ବର୍ଷ ହେଲା ବୁଲୁଥିଲେ ବି ତିଆରି କରିବା ପାଇଁ ଠିକ ମାର୍ଗଦର୍ଶନ ମିଳୁନି। ରସଗୋଲା କ୍ଲଷ୍ଟର ନହେଲେ ରାଜ୍ୟ ବାହାରେ ମାର୍କେଟ ବଢି ପାରୁନାହିଁ। ଅନ୍ୟପକ୍ଷରେ ରସଗୋଲାର ମାନ ବୃଦ୍ଧି ସାଙ୍ଗକୁ ବହୁଳ ପ୍ରଚାର ପ୍ରସାର ନହେଲେ ଜି ଆଇ ଟ୍ୟାଗ ଦଶବର୍ଷ ପରେ ହଟିଯିବାର ସମ୍ଭାବନା ମଧ୍ୟ ରହିଛି।
ଆଜି ଚତୂର୍ଦ୍ଧାମୂର୍ତିଙ୍କ ନୀଳାଦ୍ରି ବିଜେ। ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ସହ ଜଡିତ ୪କୋଟି ଓଡିଆଙ୍କ ପ୍ରିୟ ରସଗୋଲା ଦିବସ। ତେଣୁ ରସଗୋଲାକୁ ଆହୁରି ଲୋକପ୍ରିୟ କରାଇବା ପାଇଁ ନୂଆ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/07/26-12.jpg)