କନକ ବ୍ୟୁରୋ : ଜାତୀୟ ଦଳ ଖୋଜିପାରୁନି ରାଜ୍ୟ ମୁଖିଆ । ପ୍ରକ୍ରିୟା ଆରମ୍ଭ, ସଭାପତି ଘୋଷଣା କେବେ? ରାଜ୍ୟ ପିସିସି ଭଙ୍ଗ ହେବାର ମାସେ ବିତିଗଲା, କଂଗ୍ରେସ ବାଛିପାରୁନି ରାଜ୍ୟ ମୁଖିଆ । ନେତାଙ୍କ ନାଁ ଘୋଷଣା କରିବ କହି କହି ଏବେ ଆରମ୍ଭ କରିଛି ପ୍ରକ୍ରିୟା । ଛାମୁଆ ସଙ୍ଗଠନ ସବୁ ଗଠନ ନ ହେଉଣୁ ଛାତ୍ର କଂଗ୍ରେସ ସଭାପତିଙ୍କ ନାଁ ଘୋଷଣା ହୋଇଛି । ଉଦିତ ପ୍ରଧାନ ଛାତ୍ର କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଉଦିତ ପ୍ରଧାନ, ୟାସିର ନୱାଜଙ୍କ ସ୍ଥାନ ନେବେ । ଉଦିତ ପୂର୍ବରୁ ଭୁବନେଶ୍ବର କଂଗ୍ରେସ ସଙ୍ଗଠନରେ ସକ୍ରିୟ ଥିଲେ।

Advertisment

ପୁରୁଣା ନେତାଙ୍କ ଫାଇଲ ଘାଂଟୁଛି ଏଆଇସିସି । ସଭାପତି ପାଇଁ ୨ ଗୋଷ୍ଠୀର ଲବି ଜୋରଦାର । ଖବର ଅନୁସାରେ, ୧୫ ତାରିଖ ପରେ ଏଆଇସିସିର ଏକ ଟିମ ଭୁବନେଶ୍ୱର ଆସି ନୂଆ ସଭାପତି ପାଇଁ ନେତାଙ୍କ ମତାମତ ନେବ । ଏହାପରେ ପିସିସି ସଭାପତିଙ୍କ ନାଁ ଘୋଷଣା ହେବ । ତା ପୂର୍ବରୁ ଦଳର ବଡ଼ ବଡ଼ ନେତାଙ୍କ ଫାଇଲ ମଗାଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଏହି ନେତା ବିଗତ ଦିନରେ ଦଳ ପାଇଁ କି କାମ କରିଛନ୍ତି, କାହା ସହିତ ଭିତିରି ଲଙ୍କ୍ ଥିଲା ସେ ନେଇ ଖୋଳତାଡ଼ କରୁଛି । ଦିଲ୍ଲୀରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର ଦୁଇ ଗୋଷ୍ଠୀ  ଦିଲ୍ଲୀରେ ଲବିକୁ ଜୋରଦାର କରିଛନ୍ତି । ଏପରିକି ଉଭୟ ଗୋଷ୍ଠୀ ନିଜ ନିଜ ସପକ୍ଷରେ ଲବି କରି ଦାୟିତ୍ବ ଦେଲେ ଫଣ୍ଡିଂ କରିବେ ବୋଲି ଏଆଇସିସିକୁ ପ୍ରତିଶ୍ରୁତି ଦେଇଛନ୍ତି ।

କୁହାଯାଉଛି, ପିସିସି ସଭାପତି ନାଁ ଘୋଷଣା ପୂର୍ବରୁ ରାଜ୍ୟରୁ ଅନେକ ଇନପୁଟ ନେଇଛି ଏଆଇସିସି । ଆଉ ଯାହା ସବୁ ଫିଡବ୍ୟାକ ମିଳିଛି, ତାହା ଦଳୀୟ ନେତୃତ୍ବକୁ ଦ୍ୱନ୍ଦ୍ୱରେ ପକାଇଛି । ଏବେ ସବୁ ନିର୍ଭର କରୁଛି ଏଆଇସିସି ଟିମର ଓଡିଶା ଗସ୍ତର ରିପୋର୍ଟ ଉପରେ ।