ଶ୍ରୀମନ୍ଦିର ଖୋଲିବ, ଅନ୍ୟ ମନ୍ଦିର କେବେ ? ବଢ଼ୁଛି ଅସନ୍ତୋଷ, ଶୀଘ୍ର ଖୋଲିବାକୁ ଦାବି ।

140

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ହେଲେ କରୋନା ମହାମାରୀ ଯୋଗୁଁ ରାଜ୍ୟରେ ବନ୍ଦ ଥିବା ହଜାର ହଜାର ମନ୍ଦିର କେବେ ଖୋଲିବ ସେଥିପାଇଁ ସରକାର କୌଣସି ନିଷ୍ପତି ନେଇନାହାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ୱ ଛାଡି ଦେଇଛନ୍ତି ରାଜ୍ୟ ସରକାର ।

ଶ୍ରୀମନ୍ଦିର ଖୋଲିବ, ଅନ୍ୟ ମନ୍ଦିର କେବେ? ବଢ଼ୁଛି ଅସନ୍ତୋଷ, ଶୀଘ୍ର ଖୋଲିବାକୁ ଦାବି । ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ହେଲେ ରାଜ୍ୟରେ ଥିବା ଅନ୍ୟ ମନ୍ଦିରଗୁଡିକ ଖୋଲିବ କେବେ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ସମ୍ବଲପୁରର ମାଆ ସମଲେଶ୍ୱରୀ ମନ୍ଦିର, ଘଟଗାଁର ମାଆ ତାରିଣୀ ମନ୍ଦିର, କାକଟପୁରର ମଙ୍ଗଳା, କଟକର ଚଣ୍ଡୀ ମନ୍ଦିର, ଝଙ୍କଡର ଶାରଳା ଭଳି ଅନେକ ଦେବାଳୟ ଦୀର୍ଘ ୯ ମାସ ହେଲା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ମନ୍ଦିର ଖୋଲିବାକୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇନଥିବାରୁ ଭକ୍ତ ଓ ପୂଜକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଥିରେ କୋଟି କୋଟି ଭକ୍ତଙ୍କ ଭାବାବେଗ ଓ ସେବାୟତଙ୍କ ଜୀବନ ଜୀବିକା ଯୋଡି ହୋଇରହିଥିବାରୁ କୋଭିଡ କଟକଣା ଭିତରେ ମନ୍ଦିର ଖୋଲିବାକୁ ଦାବି ହୋଇଛି ।

ଅନ୍ୟପଟେ ମନ୍ଦିର କେବେ ଖୋଲିବ ସେନେଇ ଜିଲ୍ଲା ପ୍ରଶାସନ ଉପରେ ନିଷ୍ପତି ଛାଡି ଦେଇଛନ୍ତି ରାଜ୍ୟ ସରକାର । ନିଜ ଜିଲ୍ଲାର କୋଭିଡ୍ ସ୍ଥିତି ଦେଖି ମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତି ନେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଟୁଇଟ୍ କରି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ଏଥିପାଇଁ ପଦକ୍ଷେପ ନେଉଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ସେହିପରି ଦେବୋତ୍ତର କମିଶନର କହିଛନ୍ତି, ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ନିର୍ଦ୍ଧାରଣ କରି ରାଜ୍ୟ ସରକାରଙ୍କୁ ଦିଆଯାଇଛି । ରାଜ୍ୟର ସବୁଠାରୁ ଗହଳି ହେଉଥିବା ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାବେଳେ ରାଜ୍ୟର ଅନ୍ୟ ମନ୍ଦିର ଖୋଲିବା ନେଇ ସରକାରଙ୍କ ନୀରବତା ସମସ୍ତଙ୍କୁ ବିସ୍ମିତ କରିଛି । ଅନ୍ୟପଟେ ଜିଲ୍ଲାପାଳମାନେ କାହିଁକି ଓ କେଉଁ ଆଧାରରେ ମନ୍ଦିର ଖୋଲିବା ନେଇ ବିଳମ୍ବ କରୁଛନ୍ତି ତାହା ବୁଝା ପଡୁନାହିଁ ।