କେବେ ସାଧାରଣ ଲୋକଙ୍କୁ ମିଳିବ ପକ୍କା ଘର? କେବେ ସରକାରୀ ସୁବିଧା ପାଇବେ ଦିନ ମଜୁରିଆ…

94

କନକ ବ୍ୟୁରୋ: ପ୍ରଗତିର ପ୍ରୟୋଗଶାଳା କୁହାଯାଉଥିବା ଯାଜପୁର ଜିଲ୍ଳା ଧର୍ମଶାଳାରେ ବିକାଶର ବିକଳ ଚିତ୍ର । ସ୍ୱାଧିନତାର ୭୫ ବର୍ଷ ପରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ପକ୍କା ଘର ଖଣ୍ଡିଏ । ଏବେ ବି ଗରିବ ଖଟିଖିଆ ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଯଦି ଅଭାବୀ ମଣିଷ ଚାଳ ଘରେ ରହିବେ, ତେବେ ସରକାରଙ୍କ ଜନକଲ୍ୟାଣ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।ଧର୍ମଶାଳା ବ୍ଲକ ମଙ୍ଗଳପୁର ପଞ୍ଚାୟତର କୋଠିଡିହ ଗାଁରେ ପାଖାପାଖି ୩ ଶହ ଲୋକ ବସବାସ କରୁଥିବା ବେଳେ ମୂଲମଜୁରୀ ଏମାନଙ୍କ ପ୍ରମୁଖ ଜୀବିକା । ଗାଁରେ କାଁ ଭାଁ ଲୋକଙ୍କୁ ମିଳିଛି ସରକାରୀ ଯୋଜନାରେ ପକ୍କା ଘର, ତେଣୁ ବହୁ ପରିବାର ଏବେ ବି ଚାଳଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଅନେକ ଚାଳ ଉପରେ ପଲିଥିନ୍ ପକାଇ ଖରା ବର୍ଷାରେ ଚଳିବାକୁ ବାଧ୍ୟ ହେଉଛନ୍ତି ।
ସାରା ଗାଁକୁ ଦେଖିଲେ ଜଣାପଡୁଛି, ବୋଧେ ଏଇ ଗାଁ ପାଇଁ କୌଣସି ସରକାରୀ ଯୋଜନା ନାହିଁ । କି ଏମାନଙ୍କ ବାବଦରେ ପ୍ରଶାସନ ପାଖରେ କୌଣସି ଖବର ନାହିଁ । ନହେଲେ କ’ଣ ଏମାନେ ଆଜି ବି ଏମିତି ଘରେ ରହିଥାନ୍ତି । ସରକାରୀ ଯୋଜନାରେ ସହାୟତା ପାଇଁ ସରପଞ୍ଚ, ସମିତି ସଭ୍ୟ ଓ ବିଧାୟକଙ୍କୁ ଗୁହାରି କରି ନିରାଶ ହୋଇଥାନ୍ତେ । ତେଣୁ ବାସ ନଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ ।