ଆଜି ବି ମମିତା ପ୍ରସଙ୍ଗରେ ଅଚଳ ହେଲା ବିଧାନସଭା । ଉଭୟ ବିରୋଧୀ ଓ ଶାସକ ସଦସ୍ୟଙ୍କ ହଟ୍ଟଗୋଳ ।

81

କନକ ବ୍ୟୁରୋ : ସାତ ଦିନ ହେଲା ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଥିଲେ ବି ଗୋଟିଏ ଦିନ ସ୍ୱାଭାବିକ ଭାବେ ଚାଲିପାରିନି ଗୃହ । ସପ୍ତମ ଦିନରେ ଆଜି ବି ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହ ଭିତରେ ଓ ବାହାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଅନ୍ୟପଟେ ଗୃହ ସ୍ୱାଭାବିକ କରିବାକୁ ଆଜି ଦୁଇ ଥର ସର୍ବଦଳୀୟ ବୈଠକ ବସିଥିଲେ ବି ବିଫଳ ହୋଇଛି । ଗୃହକୁ ଚଳାଇବା ପାଇଁ ତିନୋଟି ସର୍ତ ରଖିଛନ୍ତି ବିରୋଧୀ । ଗୃହକୁ ମୁଖ୍ୟମନ୍ତ୍ରୀ ଆସନ୍ତୁ, ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ।

ସରୁନି ଡ୍ରାମା, ଚାଲି ପାରୁନି ଗୃହ । ଘଣ୍ଟ ବାଡେଇ ବିରୋଧୀଙ୍କ ପ୍ରତିବାଦ । ବିଧାନସଭା ଇତିହାସରେ ବୋଧହୁଏ ଏମିତି ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିବ । ଗୃହ ଭିତରେ ହରିହାଟ ଭଳି ଘଣ୍ଟ ବାଡଉଥିବେ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିବା ବିଧାୟକ । ଘଣ୍ଟ ବାଡଉଥିବେ ଆଉ ନାରାବାଜି କରି ପ୍ରତିବାଦ କରୁଥିବେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଅଧିବେଶନର ସପ୍ତମ ଦିନରେ ବି ଏମିତି ପ୍ରତିିବାଦ କରିଛନ୍ତି ।

ବିଜେଡି ଫଟୋ ବନାମ ବିଜେପି ଫଟୋ । ଗୋବିନ୍ଦଙ୍କ ଓକିଲ କେଉଁ ଦଳର ? ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିଜେପି ଗୃହରେ ହଟ୍ଟଗୋଳ ଜାରି ରଖିଥିବାବେଳେ ବିଜେଡି ବିଧାୟକମାନେ ଗୋବିନ୍ଦଙ୍କ ଓକିଲ ମୋହନ ଲାଲ ଶର୍ମାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଦେଖାଇ ପ୍ରତିବାଦ କରିଛନ୍ତି । ପ୍ରଶ୍ନକାଳରେ ଗୃହ ମୁଲତବୀ ହେବା ପରେ ଶାସକ ଦଳର ସଦସ୍ୟମାନେ କେନ୍ଦ୍ର ମନ୍ତ୍ରୀ ଏବଂ ମୋହନ ଲାଲ ଶର୍ମାଙ୍କ ଫଟୋ ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଶାସକ ଦଳକୁ କାଉଣ୍ଟର କରିବାକୁ ବିଜେଡି ନେତାଙ୍କ ସହ ମୋହନ ଲାଲ ଶର୍ମାଙ୍କ ଫଟୋ ଦେଖାଇଛନ୍ତି ବିଜେପି ବିଧାୟକ ।

ଫେଲ ମାରୁଛି ସର୍ବଦଳୀୟ ବୈଠକ । ହାତ ଟେକିଦେଲେ ବାଚସ୍ପତି । ଗୃହ ଚଳାଇବା ପାଇଁ ଗୋଟିଏ ଦିନରେ ଦୁଇ ଥର ସର୍ବଦଳୀୟ ବୈଠକ ବସିଥିଲେ ବି ବିଫଳ ହୋଇଛି । ଗୃହ ଚଳାଇବା ପାଇଁ ତିନୋଟି ସର୍ତ ରଖିଛନ୍ତି ବିରୋଧୀ  ।

ସର୍ତ୍ତ ନଂ-୧ ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ

ସର୍ତ୍ତ ନଂ-୨ – ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ

ସର୍ତ୍ତ ନଂ-୩ – ଖର୍ଚ୍ଚ ଦାବି ଆଲୋଚନା ହେଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ଉପସ୍ଥିତ ରହିବେନି

ସାତ ଦିନରେ ଗୃହ ମାତ୍ର ୮୦ ମିନିଟ୍ ଚାଲିଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିରୋଧୀ ନଛୋଡବନ୍ଧା ଥିବାବେଳେ ଦରଦାମ ବୃଦ୍ଧି, ପାଇକ୍ ବିଦ୍ରୋହ ଭଳି ପ୍ରସଙ୍ଗ ଉଠାଇ ବିଜେଡି ମଧ୍ୟ ଜାରି ରଖିଛି କାଉଣ୍ଟର ।