କନକ ବ୍ୟୁରୋ : କେବେ ତୁଟିବ ମଣ୍ଡି ବିବାଦ । କେବେ ମଣ୍ଡିରୁ ଘରକୁ ଫେରିବ ଚାଷୀ । ଆଉ କେତେ ରାତି ମଣ୍ଡିରେ ଜଗୁଆଳି ସାଜିବେ ଚାଷୀ । ଉପାନ୍ତ ନୁହେଁ ଉପକୂଳରୁ ଆସିଥିବା ମଣ୍ଡିର ଚିତ୍ରକୁ ଦେଖିବା ପରେ ଏଭଳି ଅନେକ ପ୍ରଶ୍ନ ଉଠିଛି । ତେବେ ଚାଷୀଙ୍କ ଅଭିଯୋଗ ଅନୁସାରେ, ପ୍ରଶାସନର ଉଦାସିନତା ଯୋଗୁଁ ମଣ୍ଡିରେ ଧାନ ବିକ୍ରି ହୋଇ ପାରୁନାହିଁ । ଫଳରେ ଟୋକନ ପାଇଥିବା ଚାଷୀଙ୍କୁ ଶୀତ ରାତିରେ ମଣ୍ଡିରେ ରାତି ଉଜାଗର ରହିବାକୁ ପଡୁଛି ।
ଏ ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ । ଏହା ଉପକୂଳର । ସୋମବାର ରାତି ପ୍ରାୟ ୧୨ଟା ବେଳେ ଏମିତି ଥିଲା କଟକ ଜିଲ୍ଲା ନିଆଳି ବ୍ଲକ ତାମ୍ପଦାର ଧାନମଣ୍ଡିର ଦୃଶ୍ୟ । ମଣ୍ଡିରେ ଗଦା ହୋଇଥିବା କଷ୍ଟ ଉପାର୍ଜିତ ଫସଲକୁ ରାତି ଅନିଦ୍ରା ହୋଇ ଜଗି ରହିଥିଲେ ଚାଷୀ । କିଟମିଟ୍ ଅନ୍ଧାର ରାତିରେ ଧାନ ଜଗିବା ପାଇଁ ମଣ୍ଡିରେ ରାତ୍ରି ଜଗୁଆଳି ପାଲଟିଯାଇଛନ୍ତି ତାମ୍ପଦାର ଅଂଚଳର ଚାଷୀ । ମଣ୍ଡି ଖୋଲୁ ନଥô୍ବାରୁ ଦୀର୍ଘ ୮ ଦିନ ହେଲା ଏମିତି ଖୋଲା ଆକାଶ ତଳେ ଶୀତ କାକରରେ ଭୋକ ଉପାସରେ ପଡି ରହୁଛନ୍ତି । କିଛି ଚାଷୀ ଧାନ ବସ୍ତା ଉପରେ କମ୍ବଳ ଘୋଡାଇ ବସିଥିଲା ବେଳେ ଆଉ କିଛି ଚାଷୀ ଠେଙ୍ଗା ଧରି ଜଗି ରହୁଛନ୍ତି ।
ମାଧବ ସେବା ସମବାୟ ସମିତି ଅଧିନରେ ଥିବା ତାମ୍ପଦା ଗାଁର ଅଧିକାଂଶ ଚାଷୀ ପଂଜିକୃତ । ଗାଁ ଠାରୁ ମାଧବ ମଣ୍ଡିର ଦୂରତା ୫ କିଲୋମିଟର । ଫେବୃଆରୀ ୧ରୁ ତାମ୍ପଦାରେ ଉପ-ମଣ୍ଡି ଖୋଲିଛି । ୪୫ ଜଣ ଚାଷୀ ଉପମଣ୍ଡିକୁ ଧାନ ଆଣିଛନ୍ତି, କିନ୍ତୁ ଏଠାକୁ କୌଣସି କର୍ତ୍ତୃପକ୍ଷ ଆସୁନାହାନ୍ତି । ତେଣୁ ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ପଡିରହିଛି । ଏନେଇ ଚାଷୀମାନେ ଜିଲ୍ଲା ଯୋଗାଣ ଅଧô୍କାରୀ, ମଣ୍ଡି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ।