କନକ ବ୍ୟୁରୋ: କେବେ ସହଜ ହେବ ଜଗା ଦର୍ଶନ । କରୋନା ପରଠାରୁ ଶ୍ରୀମନ୍ଦିରର ଚାରିଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି । କେବଳ ସିଂହଦ୍ୱାର ଦେଇ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ରଥଯାତ୍ରା ପରେ ଏହା ଉପରେ ବିଚାର କରାଯିବ ବୋଲି କୁହାଯାଉଥିଲା, ହେଲେ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ବି କୌଣସି ନିଷ୍ପତି ହୋଇପାରିନି । ସେ ଚାରିଦ୍ୱାର ଖୋଲିବା ଦାବିରେ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ କରିଛି ସଚେତନ ନାଗରିକ ମଂଚ ।

Advertisment

କରୋନା ପରଠାରୁ ଶ୍ରୀମନ୍ଦିରର ଚାରିଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ବନ୍ଦ । ଆଉ ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚାରିଦ୍ୱାର ଖୋଲିବାକୁ ବାରମ୍ବାର ଦାବି ଉଠୁଥିବାବେଳେ ରଥଯାତ୍ରା ପରେ ଏହା ଉପରେ ବିଚାର କରାଯିବ ବୋଲି ସୂଚନା ମିଳିଥିଲ।। ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ବି ଚାରିଦ୍ୱାର ଖୋଲାଯିବା ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା । କିନ୍ତୁ ରଥଯାତ୍ରାର ୧୫ ଦିନ ପରେ ବି ସେହି ସମାନ ଅବସ୍ଥା । ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ସମସ୍ତେ ଏ ନେଇ ନୀରବଦ୍ରଷ୍ଟା ସାଜିଛନ୍ତି । ଆଜିଯାଏଁ ଚାରିଦ୍ୱାର ଖୋଲାଯିବା ନେଇ କୌଣସି ନିଷ୍ପତି ହୋଇପାରି ନାହିଁ ।

ଚାରିଦ୍ୱାର ଖୋଲିବା ପାଇଁ ପ୍୍ରଶାସନ କୌଣସି ପଦକ୍ଷେପ ନ ନେବା ପରେ ଆନ୍ଦୋଳନକୁ ଓହ୍ଲାଇଛି ସଚେତନ ନାଗରିକ ମଂଚ । ଚାରିଦ୍ୱାର ଖୋଲିବା ଦାବିରେ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହି ଦସ୍ତଖତ ଅଭିଯାନ ୮ ଦିନ ଧରି ଚାଲିବ । ଖୁବଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯିବ । ଏ ନେଇ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କୁ ବି ଭେଟିବେ ମଂଚ ସଦସ୍ୟ । ଆଉ ଦାବି ପୂରଣ ନହେଲେ ଅନଶନ କରିବାକୁ ଚେତାବନୀ ଦେଇଛି ସଚେତନ ନାଗରିକ ମଂଚ ।

କରୋନା ଓ ଗହଳିର ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ଚାରିଦ୍ୱାର ଦର୍ଶନ ବନ୍ଦ କରିଦେଇଛି । ଫଳରେ ସିଂହଦ୍ୱାରରେ ଖରାତରାରେ ଲମ୍ବା ଧାଡିରେ ଠିଆ ହେଉଛନ୍ତି ଭକ୍ତ । ଏତେ ପରେ ବି ଯନ୍ତ୍ରଣାରୁ ମିଳୁନାହିଁ ନିସ୍ତାର । ନାଟମଣ୍ଡପରେ ଭକ୍ତ ଠେଲାପେଲାରେ ଦର୍ଶନ କରୁଛନ୍ତି । ଦର୍ଶନ ବ୍ୟବସ୍ଥା ପାଇଁ କଲବଲ ହେଉଛନ୍ତି ଭକ୍ତ । ମହାପ୍ରସାଦ ଆଣିବା ପାଇଁ ଉତରଦ୍ୱାର ପଟେ ଯିବା ବ୍ୟବସ୍ଥାକୁ ବି ବନ୍ଦ କରିଦିଆଯାଇଛି । ତେଣୁ ଚାରିଦ୍ୱାର ଖୋଲିବ ପାଇଁ କେବେ ପ୍ରଶାସନ ନିଷ୍ପତି ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।