ଜମାକାରୀଙ୍କୁ କେବେ ମିଳିବ କ୍ଷତିପୂରଣ? ସିବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

8,485

କନକ ବ୍ୟୁରୋ: ରାଜ୍ୟରେ ସବୁଠୁ ବଡ଼ ଠକେଇ ହେଉଛି ଚିଟଫଣ୍ଡ ଦୁର୍ନୀତି । ପ୍ରାୟ ଗୋଟିଏ ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ ଜମାକାରୀ । କ୍ରାଇମବ୍ରାଞ୍ଚରୁ ସିବିଆଇ, ସିବିଆଇରୁ ସୁପ୍ରିମକୋର୍ଟ । ହେଲେ ପ୍ରାୟ ୨୦ ହଜାର ଜମାକାରୀ ଟଙ୍କା ଫେରିବା ବାଟକୁ ଏବେ ବି ଚାହିଁ ରହିଛନ୍ତି । ହାତଗଣିତ କିଛି ଲୋକଙ୍କୁ ପ୍ରାପ୍ୟ ମିଳିଛି ତ’ କିନ୍ତୁ ଦୁର୍ନୀତି କରିଥିବା ଖେଳୁଆଡେ ଜେଲ ଭିତରେ ମଉଜ୍ କରୁଛନ୍ତି । ଚିଟଫଣ୍ଡ ଦୁର୍ନୀତି ନାଁରେ ଚଢ଼ାଉ ହେଲା, ଗିରଫଦାରୀ ହେଲା । ବଡ଼ ବଡ଼ ନେତା ଓ ବାବୁଙ୍କ ନାଁ ଥିବା ସତ୍ତେ୍ୱ କେତେ ସଂପତି ସିଜ୍ ହୋଇଛି । କେବେ ସୁଦ୍ଧା ଟଙ୍କା ଫେରି ପାଇବେ ଜାମାକାରୀ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଠିକ୍ ଏଭଳି ଢ଼ଙ୍ଗରେ କିଛି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ଚିଟଫଣ୍ଡ ମାମଲାର ଶୁଣାଣୀ ବେଳେ ସିବିଆଇକୁ ଭର୍ତ୍ସନା କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟା । କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି । ଚିଟଫଣ୍ଡ ଟଙ୍କା ପାଇବା ପାଇଁ କ୍ଷତିଗ୍ରସ୍ତ ୧୦ରୁ ୧୫ ବର୍ଷ ଅପେକ୍ଷା କରିପାରିବେନି ବୋଲି ସ୍ପଷ୍ଟ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଦୁର୍ନୀତି କରୁଥିବା ଲୋକ ଜେଲରେ ଖୁସିରେ ଅଛନ୍ତି । କିନ୍ତୁ ଜମାକାରୀମାନେ ତାଙ୍କ ଟଙ୍କା ଫେରି ପାଉନାହାଁନ୍ତି ବୋଲି କୋର୍ଟ କହିଛନ୍ତି ।

୨୦୧୨-୧୩ରେ ହୋଇଥିଲା ରାଜ୍ୟରେ ଚିଟଫଣ୍ଡର ମହାଠକେଇ । ୨୦୧୪ରେ ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ ହୋଇଥିଲା । ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାର ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ । ଅନ୍ୟପଟେ ଗଠନ ହୋଇଥିବା କମିଶନଙ୍କ କାର୍ଯ୍ୟକାଳ ଅନେକ ଥର ବଢିବା ସହିତ ଶେଷରେ ବନ୍ଦ ହୋଇଗଲା । ଅଭିଯୋଗ ହୁଏ ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଠକେଇ ହୋଇଥିଲା । ଯାହାକୁ ନେଇ ଜଷ୍ଟିସ ଏମଆର ଶାହ ଏବଂ ଜଷ୍ଟିସ୍ କ୍ରିଷ୍ଣମୂର୍ତିଙ୍କ ଖଣ୍ଡପୀଠ ଅର୍ଥ ଫେରସ୍ତରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।