କେବେ ଘୋଷଣା ହେବ କଂଗ୍ରେସ ଟିକେଟ? ପ୍ରାର୍ଥୀଙ୍କ ପାଇଁ ଚାଲିଛି କି ଛକାପଞ୍ଝା?

161

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣାର ଦୁଇ ସପ୍ତାହ ହୋଇଗଲାଣି କିନ୍ତୁ କଂଗ୍ରେସର ସରୁନି ଅଙ୍କକଷା । ଲୋକସଭା କି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରୁୁନି ଦଳ । ବିଜେପି ୨୧ ଲୋକସଭା, ବିଜେଡି ୧୫ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲେଣି, କିନ୍ତୁ ୯ରୁ ୯୦ ସ୍ୱପ୍ନ ଦେଖୁଥିବା କଂଗ୍ରେସ ଏ କ୍ଷେତ୍ରରେ ବହୁ ପଛରେ ପଡିଛି । ଏ ଯାଏଁ ପ୍ରାର୍ଥୀ ଘୋଷଣା କରିପାରିନାହିଁ ଦଳ । ଦିଲ୍ଲୀରୁ ଫେରି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କହିଛନ୍ତି, ରାଜନୈତିକ ବ୍ୟାପର କମିଟିରେ ତର୍ଜମା ସରିଛି । ତାଲିକା ଆପାତତଃ ସରିଛି । ଖୁବଶୀଘ୍ର ଘୋଷଣା ହେବ ଟିକେଟ ।

ତେବେ ଅଜୟ କୁମାର ରାଜ୍ୟ ପ୍ରଭାରୀ ହେବା ପରେ ପ୍ରାର୍ଥୀ ଚୟନକୁ ଜୋରଦାର କରିଥିଲେ । ପ୍ରଗମନ ଆପରେ ଆବେଦନ ବି କରିଥିଲେ ଆଶାୟୀ । କିନ୍ତୁ କାହିଁକି ଛିଡୁନି ଅଙ୍କକଷା ଓ କାହାକୁ ଅପେକ୍ଷା କରିଛି କଂଗ୍ରେସ ତାକୁ ନେଇ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ତୃଣମୂଳ ସ୍ତରରେ କଂଗ୍ରେସ ସଙ୍ଗଠନ ଦୁର୍ବଳ ହେଉଛି । ନିର୍ବାଚନ ପୂର୍ବରୁ କଂଗ୍ରେସର ଅଧିକ ନେତା ଦଳ ଛାଡୁଛନ୍ତି । ୯ ବିଧାୟକଙ୍କ ମଧ୍ୟରୁ ସୁର ରାଉତରାୟ, ନରସିଂହ ମିଶ୍ର ନିର୍ବାଚନ ଲଢିବେନି ବୋଲି କହିସାରିଛନ୍ତି । ଅଧିରାଜ ପାଣିଗ୍ରାହୀ ମଧ୍ୟ ଦଳ ଛାଡିସାରିଛନ୍ତି । କଂଗ୍ରେସ କହିଥିଲା, ଅଳ୍ପ ବ୍ୟବଧାନରେ ଦଳ ହାରିଥିବା ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ ଦେବ । କିନ୍ତୁ ଏଥିରେ ଅହେତୁକ ବିଳମ୍ବ ଯୋଗୁଁ ଆଶାୟୀ ପ୍ରାର୍ଥୀଙ୍କ ମନ ବି ମଉଳିଗଲାଣି । ଚିରଞ୍ଜୀବ ବିଶ୍ୱାଳ, ଅଂଶୁମାନ ମହାନ୍ତି ଭଳି ନେତା ଦଳ ଛାଡିଥିବାବେଳେ ଆହୁରି ଆଗକୁ ଅନେକ ବଡ ନେତା ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି ।

ତେବେ ଦିଲ୍ଲୀରେ ବୈଠକ ପରେ ବୈଠକ ବସୁଛି । କିନ୍ତୁ ପ୍ରାର୍ଥୀ ଘୋଷଣା ହୋଇପାରୁନାହିଁ । କଂଗ୍ରେସ ନେତା ଦମ୍ଭୋକ୍ତି କରୁଛନ୍ତି ଆଜି କିମ୍ବା ଆସନ୍ତାକାଲି ପ୍ରାର୍ଥୀ ଘୋଷଣା ହେବ । ତେଣୁ ପ୍ରଶ୍ନ ଉଠୁଛି…

  • ପ୍ରାର୍ଥୀ ନାହାନ୍ତି ନା ଅନେକ ଆଶାୟୀ ଅଛନ୍ତି?
  • ବିଜେଡି, ବିଜେପି ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଛି କି କଂଗ୍ରେସ?
  • ଦଳ ଡିଆଁକୁ ଅପେକ୍ଷା କରିଛି କି କଂଗ୍ରେସ?