କେବେ ଖୋଲିବ ପ୍ରଥମରୁ ପଞ୍ଚମ ? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ସେପଟେ, ଅସର ରିପୋର୍ଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ କହିଲେ, ସ୍କୁଲ ବନ୍ଦ ଥିବାରୁ ଟିଉସନ ଉପରେ ନିର୍ଭରଶୀଳ ହେଉଥିଲେ ପିଲା

1,187

କନକ ବ୍ୟୁରୋ : ଅସର ରିପୋର୍ଟ ନେଇ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଆନୁଆଲ୍ ଷ୍ଟାଟସ ଅଫ୍ ଏଜୁକେସନ୍ ରିପୋର୍ଟ ବା ଅସର ୨୦୨୧ ଗତକାଲି ପ୍ରକାଶ ପାଇଥିଲା । ଦେଢ ବର୍ଷରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ଥିଲା ସେଥିପାଇଁ ପିଲାଙ୍କ ପାଠପଢା ଲାଗି ଅଭିଭାବକ ମାନେ ଟିଉସନ ପ୍ରତି ନିର୍ଭରଶୀଳ ହୋଇଥିଲେ । କିନ୍ତୁ ଏବେ ଯେଉଁ ନୂଆ ଢାଂଚାରେ ପାଠପଢା ଓ ପରୀକ୍ଷା କରାଯିବା ପାଇଁ ନିଷ୍ପତି ହୋଇଛି ତାହା ଆଗାମୀ ଦିନରେ ସ୍କୁଲ ପାଠପଢା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସେହିପରି ସରକାରୀ ସ୍କୁଲରେ ପଢିଲେ ମେଡିକାଲ ଓ ଇଂଜିନିୟରିଂରେ ସଂରକ୍ଷଣ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଯୋଗୁଁ ସରକାରୀ ସ୍କୁଲ ପ୍ରତି ଆଗ୍ରହ ବଢିଥିବା କହିଛନ୍ତି ସମୀର ଦାଶ । । ଏହାସହ ସ୍କାର୍ଟ କ୍ଲାସ, ଇ ଲାଇବ୍ରେରୀ, ଇ ଲାବ୍ରାଟୋରୀ ଏବଂ ଭିତିଭୂମି ଆଦି ଯୋଗୁଁ ସରକାରୀ ସ୍କୁଲରେ ନାମ ଲେଖା ବଢିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିପରି ସ୍ମାର୍ଟ ଫୋନ ସଂଖ୍ୟା ବୃଦ୍ଧି ପାଇଥିଲେ ବି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଅନେକ ସ୍ଥାନରେ ଟାୱାର ଓ ନେଟୱାର୍କ ନଥିବା କାରଣରୁ ପିଲାଙ୍କ ପାଖରେ ଫୋନ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏନେଇ ବାରମ୍ବାର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ରିପୋର୍ଟ ଅନୁସାରେ କରୋନା ସମୟରେ ସରକାରୀ ସ୍କୁଲରେ ନାମଲେଖା ବଢିଛି, ସ୍ମାର୍ଟ ଫୋନ ବ୍ୟବହାର ମଧ୍ୟ ବଢ଼ିଛି ଏବଂ ବର୍ଷକ ଭିତରେ ୧୪ ପ୍ରତିଶତ ଅଧିକ ପିଲା ଟିଉସନ୍ ଯାଉଥିବା ରିପୋର୍ଟରେ ଦର୍ଶାଯାଇଛି ।

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲୁଛି । ତେବେ ଏପର୍ଯ୍ୟନ୍ତ ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲାହୋଇନାହିଁ । ତେବେ ପ୍ରଥମ ଠାରୁ ପଂଚମ ଯାଏଁ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ବିଚାର କରାଯାଇନଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏପର୍ଯ୍ୟନ୍ତ ଏବେ ଠାରୁ କହିବା ଠିକ୍ ହେବନାହିଁ ବୋଲି କହିଛନ୍ତି ସମୀର ଦାଶ ।