କନକ ବ୍ୟୁରୋ: କର୍ପୂରୀ ଠାକୁର ଓ ଲାଲକୃଷ୍ଣ ଆଡଭାନୀଙ୍କ ପରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ନେଇ ଦାବି ଜୋର ଧରିଛି । ବହୁଦିନ ଧରି ଏ ନେଇ ଦାବି ହୋଇଆସୁଥିଲେ ବି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୁଲି ଯାଇଛନ୍ତି କେନ୍ଦ୍ର ସରକାର । ଆଉ ଏହି ଦାବିକୁ ଉଭୟ ରାଜ୍ୟ ବିଜେପି ଓ କଂଗ୍ରେସ ନେତା ସମର୍ଥନ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ୨ ଜଣ ଜନନାୟକଙ୍କୁ ଭାରତରତ୍ନ ସମ୍ମାନ ଘୋଷଣା ପରେ ପୁଣି ଥରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ଦାବି ଜୋର ଧରିଛି ।

ଜାନୁଆରୀ ୨୪ ତାରିଖରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନେତା କର୍ପୂରୀ ଠାକୁରଙ୍କୁ ମରଣୋତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ କେନ୍ଦ୍ର ସରକାର । ଫେବ୍ରୁଆରୀ ୩ ତାରିଖରେ ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତରତ୍ନ ଦିଆଯିବା ନେଇ ନିଜେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତର ବିକାଶରେ ଏହି ଦୁଇ ଜନନାୟକଙ୍କର ଅତୁଳନୀୟ ଅବଦାନ ରହିଛି । ସେମାନଙ୍କୁ ଭାରତରତ୍ନରେ ସମ୍ମାନିତ କରିବା ଦେଶ ପାଇଁ ଗୌରବର ବିଷୟ । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୁଲି ଯାଇଛନ୍ତି ସରକାର । ନିକଟରେ ଦୁଇ ଜନନାୟକଙ୍କୁ ଭାରତରତ୍ନ ଘୋଷଣା ପରେ ପୁଣିଥରେ ଏହି ଦାବି ଉଠିଛି । ଉଭୟ ରାଜ୍ୟ ବିଜେପି ଓ କଂଗ୍ରେସ ନେତା ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

ଗତ ଶୁକ୍ରବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ବିତର୍କରେ ଭାଗନେଇ ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି କରିଥିଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ଓଡିଶା ବିଧାନଭାରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା । ପୂର୍ବରୁ ଓଡିଶା ବିଧାନସଭାରେ ଏ ନେଇ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଥିଲା । ଦେଶ ଗଠନରେ ବିଜୁ ପଟ୍ଟନାୟକଙ୍କର ବଳିଷ୍ଠ ଅବଦାନ ରହିଛି ।

ବିଜୁବାବୁଙ୍କୁ କେବେ ମିଳିବ ଭାରତରତ୍ନ?
ସ୍ୱାଧୀନତା ସଂଗ୍ରାମରେ ବି ରହିଛି ତାଙ୍କର ଅବଦାନ
୧୯୪୭ ମସିହା ପାକିସ୍ତାନ-ଭାରତ ÷ଯୁଦ୍ଧ ବେଳେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ ଥିଲା ଅନନ୍ୟ ଅବଦାନ
‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରିଛି ଇଣ୍ଡୋନେସିଆ
ଆଧୁନିକ ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ