କନକ ବ୍ୟୁରୋ : ଖଟଶେଯରେ ଅଛି ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାର । କେତେ ସୁରକ୍ଷିତ, କେବେ ହେବ ଗଣତି ମଣତି ? ମାସେ ବିତିଲାଣି, ହୋଇପାରୁନି ଲେଜର ସ୍କାନିଂ । ୧୪ ଜୁଲାଇ ୨୦୨୪, ୪୬ ବର୍ଷ ପରେ ଖୋଲିଥିଲା ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର । ୧୮ ଜୁଲାଇ ୨୦୨୪, ମହାପ୍ରଭୁଙ୍କ ଅଳଙ୍କାରକୁ କରାଗଲା ସ୍ଥାନାନ୍ତରଣ । ଖଟଶେଯ ଘରକୁ ଅସ୍ଥାୟୀ ରତ୍ନଭଣ୍ଡାର କରି ରଖାଗଲା ଶ୍ରୀଜିଉଙ୍କ ମହଣ ମହଣ ରତ୍ନ ଅଳଙ୍କାର । କିନ୍ତୁ ଏହି ରତ୍ନ ଅଳଙ୍କାରର କେବେ ହେବ ଗଣତି ମଣତି, ସେନେଇ ଏବେ ବି ସସପେନ୍ସ ଲାଗି ରହିଛି । ମାସେରୁ ଅଧିକ ସମୟ ବିତିଲାଣି କିନ୍ତୁ ଏ ଦିଗରେ ପାଦେ ଆଗେଇ ପାରୁନି ପ୍ରଶାସନ । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢିଲାଣି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟିର ଅନେକ ଥର ବୈଠକ ବସିଲାଣି, ହେଲେ ତାରିଖ ନିର୍ଦ୍ଧାରଣ ନେଇ ହୋଇପାରୁନି ନିଷ୍ପତ୍ତି ।

Advertisment

ରତ୍ନଭଣ୍ଡାରକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ଏସଓପିକୁ ରାଜ୍ୟ ସରକାର ଗ୍ରୀନ୍ ସିଗନାଲ ଦେଲେ

  • ଏଏସଆଇର ଉଚ୍ଚସ୍ତରୀୟ ଟିମ୍ ଭିତର ରତ୍ନଭଣ୍ଡାରର କରିବ ଲେଜର ସ୍କାନିଂ
  • ଭିତର ରତ୍ନଭଣ୍ଡାର କାନ୍ଥର ଅବସ୍ଥା କଣ ଅଛି, ଚଟାଣ ତଳେ କୌଣସି ସୁଡଙ୍ଗ ଅଛି କି ନାହିଁ ତାହାର ହେବ ଯାଞ୍ଚ
  • ଭିତର ରତ୍ନଭଣ୍ଡାରର ମରାମତି ପରେ ମହାପ୍ରଭୁଙ୍କର ଅଳଙ୍କାରର ହେବ ଗଣତି ମଣତି

ହେଲେ ମାସେ ପରେ ଏବେ ପ୍ରଶ୍ନ ଉଠୁଛି

  • ନୂଆ ଏସଓପିକୁ କାହିଁକି ଅନୁମୋଦନ ଦେଇନାହାନ୍ତି ରାଜ୍ୟ ସରକାର?
  • ଖଟଶେଯରେ ଥିବା ରତ୍ନ ଅଳଙ୍କାର କେତେ ସୁରକ୍ଷିତ ?
  • କାହିଁକି ଏଯାଏଁ ଏଏସଆଇକୁ ପ୍ରବେଶ ପାଇଁ ମିଳୁନି ଅନୁମତି?

ମହାପ୍ରଭୁଙ୍କର କେତେ ରତ୍ନ ଅଳଙ୍କାର ଅଛି ଓ ଭିତର ରତ୍ନଭଣ୍ଡାରକୁ ନେଇ ଶୁଣାଯାଉଥିବା ଲୋକକଥାରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ଜଗନ୍ନାଥପ୍ରେମୀ ଉତ୍ସାହିତ ଅଛନ୍ତି । ଏଭଳି ସମୟରେ ନୂଆ ଏସଓପିକୁ କେବେ ଅନୁମୋଦନ ମିଳୁଛି, ତାକୁ ଅପେକ୍ଷା କରାଯାଇଛି ।