ଯେତେବେଳେ କୃଷକ ଆନ୍ଦୋଳନରେ ସାମିଲ ହୋଇ ଗିରଫ୍ ହୋଇଥିଲେ ବାଜପେୟୀ । ନୈନୀ ଜେଲରେ କଟିଥିଲା ୫ ଦିନ

315

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ବିଲ କୁ ବିରୋଧ କରି ଏକଜୁଟ୍ ହୋଇଛନ୍ତି ଦେଶର କୃଷକ ମାନେ । କୃଷକ ମାନେ ସରକାରଙ୍କ ଦ୍ୱାରା ଆଗତ ୩ ଟି କୃଷି କାନୁନକୁ ପତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି । ଏନେଇ କୃଷକ ମାନେ ଆଜି (ମଙ୍ଗଳବାର) ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ବିରୋଧୀ ଦଳମାନେ ବି ସମର୍ଥନ ଜଣାଇଛନ୍ତି । ହେଲେ ଦେଶରେ ବହୁତ କମ୍ ଲୋକ ଜାଣିଛନ୍ତି କି ଏହି କୃଷକ ମାନଙ୍କ ହକ୍ ପାଇଁ ଆନ୍ଦୋଳନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଥିବା ଅଟଳ ବିହାରୀ ବାଜପେୟୀଙ୍କୁ ଜେଲ୍ ଯିବାକୁ ପଡିଥିଲା । ସେତେବେଳେ ଦେଶର ସବୁଠାରୁ ସୁରକ୍ଷିତ ଜେଲ ନୈନୀ ଜେଲରେ ତାଙ୍କୁ ୫ ଦିନ ରଖାଯାଇଥିଲା ।
କହିରଖୁ କି ୧୯୭୪ ମସିହାରେ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିଲା । ସେତେବେଳେ ଉତରପ୍ରଦେଶରେ କଂଗ୍ରେସର ସରକାର ଥିଲା । ସେତେବେଳେ ରାଜ୍ୟ କଂଗ୍ରେସର ନେତୃତ୍ୱ ହେମବତୀ ନନ୍ଦନ ବହୁଗୁଣା ନେଉଥିଲେ ଓ ଅଟଳବିହାରୀ ବାଜପେୟୀ ଜନସଂଘର ନେତା ଥିଲେ । ଏହାସହ ସାରା ଦେଶର ଲୋକମାନଙ୍କର ମୁଦ୍ଦାକୁ ନେଇ କଂଗ୍ରେସ ବିରୋଧରେ ଆନ୍ଦୋଳନ କରୁଥିବା ନେତାଙ୍କ ମଧ୍ୟରେ ବାଜପେୟୀ ଥିଲେ ଅନ୍ୟତମ ।
୧୯୭୩ ମସିହାରେ ଚାଷୀ ମାନେ ଭଲ ଗହମ ଅମଳ କରିଥିଲେ । ଉତରପ୍ରଦେଶର କଂଗ୍ରେସ ସରକାର ସରକାରୀ ଦାମରେ ଗହମ ବିକ୍ରି କରିବାକୁ ଚାଷୀ ମାନଙ୍କୁ ବାଧ୍ୟ କରିଥିଲେ । ସରକାର ନିର୍ଦ୍ଦେଶ ଦେଇଥିଲେ କି କୌଣସି ଚାଷୀ ଖୋଲା ବଜାରରେ ଗହମ ବିକ୍ରି କରିପାରି ନାହିଁ । ହେଲେ ସେତେବେଳେ ଗହମର ସରକାରୀ ଦାମ ଠାରୁ ଖୋଲା ବଜାରରେ ଚାଷୀଙ୍କୁ ଅଧିକ ଦାମ୍ ମିଳୁଥିଲା । ସରକାରଙ୍କ ନିର୍ଦ୍ଦେଶ ପରେ ଚାଷୀ ମାନେ ଚିନ୍ତାରେ ଥିଲେ । ଏହି ସମୟରେ ବାଜପେୟୀଙ୍କ ନେତୃତ୍ୱରେ ସାରା ଦେଶରେ କଂଗ୍ରେସ ବିରୋଧରେ କୃଷକ ମାନେ ଆନ୍ଦୋଳନକୁ ଉହ୍ଲାଇଥିଲେ । ହଜାର ହଜାର କୃଷକଙ୍କ ସମର୍ଥନରେ ବାଜପେୟୀ ରାସ୍ତାକୁ ଉହ୍ଲାଇଥିଲେ । ସରକାରଙ୍କ ବିରୋଧରେ ନାରା ଲଗାଇବା ଦ୍ୱାରା ସରକାରୀ କଳରେ ହଇଚଇ ସୃଷ୍ଟି ହୋଇଥିଲା ।
ଗହମର ଦାମ୍ କୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ନେଇ ବାଜପେୟୀ କହିଥିଲେ କି ସରକାର ଗରିବ କୃଷକ ମାନଙ୍କୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ କରିପାରିବେ ନାହିଁ । ହେଲେ ସରକାର କହିଥିଲେ କି ଯଦି ଜଣେ କୃଷକ ଗୋଟିଏ କୁଇଣ୍ଟାଲ ଗହମ ଆମଦାନୀ କରୁଛି ତେବେ ତାକୁ ସରକାରୀ ମଣ୍ଡିରେ ୫୦ କେ.ଜି ଗହମ ବିକ୍ରି କରିବା ବାଧ୍ୟତାମୂଳକ । ସରକାରଙ୍କ ଏଭଳି ଆଦେଶକୁ ମାନିବାକୁ କୃଷକ ମାନେ ପ୍ରସ୍ତୁତ ହୋଇ ନଥିଲେ । ଜନସଂଘ ଏହି ସମୟରେ କୃଷକଙ୍କ ସ୍ୱରରେ ସ୍ୱର ମିଳାଇ ଆନ୍ଦୋଳନରେ ସାମିଲ ହୋଇଥିଲା ।
ଲକ୍ଷେ୍ନøରେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ କୃଷକ ମାନେ ଆନ୍ଦୋଳନ କରୁଥିବା ବେଳେ ତାଙ୍କୁ ଗିରଫ୍ କରାଯାଇଥିଲା । ପୋଲିସ ଆନ୍ଦୋଳନକୁ ରୋକିବାକୁ ବଳ ପ୍ରୟୋଗ କରିଥିବା ବେଳେ ହଜାର ହଜାର କୃଷକ ଏହାର ବିରୋଧ କରିଥିଲେ । ଜଣେ ଖବର ଦାତାଙ୍କ କହିବା ମୁତାବକ ଆନ୍ଦୋଳନରେ ଏତେ ସଂଖ୍ୟାରେ କୃଷକ ସାମିଲ ହୋଇଥିଲେ କି ସେମାନଙ୍କୁ ସ୍ଥାନୀୟ ଜେଲରେ ରଖିବା ସମ୍ଭବ ହୋଇନଥିଲା । ଫଳରେ ଗିରଫ୍ ହୋଇଥିବା ବାଜପେୟୀଙ୍କୁ ଦେଶର ସବୁଠାରୁ ସୁରକ୍ଷିତ ଜେଲ୍ କୁହାଯାଉଥିବା ନୈନୀ ଜେଲରେ ରଖାଯାଇଥିଲା ।
କୃଷକ ଆନ୍ଦୋଳନକୁ ନେଇ ଗିରଫ୍ ହୋଇଥିବା ବାଜପେୟୀ ଓ ତାଙ୍କର ୫ ଜଣ ସମର୍ଥକଙ୍କୁ ନୈନୀ ଜେଲର ୫ ନମ୍ବର କୋଠରୀରେ ରଖାଯାଇଥିଲା । ବାଜପେୟୀ ୫ ଦିନ ଜେଲରେ ରହିବା ପରେ ତାଙ୍କୁ ଜାମିନ୍ ମିଳିଥିଲା ।
ଏହାପରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ବି ବାଜପେୟୀଙ୍କୁ ଜେଲ୍ ଯିବାକୁ ପଡିଥିଲା ହେଲେ ଶ୍ରୀ ବାଜପେୟୀ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ସେ କୃଷକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଯେମିତି କି କୃଷକ ମାନଙ୍କୁ କ୍ରେଡିଟ୍ କାର୍ଡର ସୁବିଧା, ଏହାସହ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୧୯.୬ ପ୍ରତିଶତ ବୃଦ୍ଧି କରି ଇତିହାସ ରଚିଥିଲେ । ଏହାସହ ଚିନିକଳର ପଞ୍ଜିକରଣ ପଦ୍ଧତିକୁ ମୁକ୍ତ କରିଥିଲେ ଓ ରାଷ୍ଟ୍ରୀୟ କୃଷିବୀମା ଯୋଜନା ବି ଲାଗୁ କରିଥିଲେ ।